ମୁଣ୍ଡରେ ବନ୍ଧୁକ ଲଗାଇ କନଷ୍ଟେବଳଙ୍କୁ ଲୁଟ୍‌, ସରପଞ୍ଚ ଗିରଫ

ଲୁଟ୍‌ ସୁନା ଚେନ୍‌ ଜବତ

ଯଖପୁରା/ ପୁରୀ: ଗତ ୨୭ ତାରିଖ ବିଳମ୍ବିତ ରାତିରେ ତାଳବଣିଆ ଥାନା ନିକଟରେ ଜଣେ ପୁଲିସ କନେଷ୍ଟବଳଙ୍କୁ ବନ୍ଧୁକ ମୁନରେ ଲୁଟ୍‌ ଘଟଣାରେ ପୁଲିସ ଆଜି ତିନି ଜଣଙ୍କୁ ଗିରଫ କରିଛି। ଏହି ତିନି ଜଣଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ଯଖପୁରାର ସରପଞ୍ଚ ରହିଥିବା ଜଣାପଡ଼ିଛି। ଏହି ମାମଲାରେ ସମ୍ପୃକ୍ତ ଚତୁର୍ଥ ଅଭିଯୁକ୍ତକୁ ପୁଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବଳଙ୍ଗା ଥାନା ଅନ୍ତର୍ଗତ ଗଡ଼ଚାନ୍ଦପୁରର ବଳରାମ ମଲ୍ଲିକ ପୁରୀରେ ପୁଲିସ କନେଷ୍ଟବଳ ଭାବେ ଚାକିରି କରନ୍ତି। ସେ ଗତ ୨୭ ତାରିଖ ରାତିରେ ସାଙ୍ଗ ଘରେ ଭୋଜି କରି ତାଙ୍କ ବୁଲେଟ୍‌ ମୋଟରସାଇକଲରେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ବୁଲେଟ୍‌ ଆଗରେ ଓଡି-୦୨-ସିସି-୧୯୯୬ ନମ୍ବର ବିଶିଷ୍ଟ କାର୍‌ ସାଇଡ୍‌ ମାରିଥିଲା। ତେଣୁ ବଳରାମ ଅଟକି ଯିବା ପରେ କାର୍‌ରୁ ଜଣେ ଦୁର୍ବୃତ୍ତ ବାହାରକୁ ଆସି ତାଙ୍କ ବୁଲେଟ୍‌ ଚାବିଟି ନେଇଯାଇଥି‌ଲା।

ବଳରାମ ବିରୋଧ କରିବାରୁ କାର୍‌ରେ ଥିବା ଅନ୍ୟ ତିନି ଜଣ ବାହାରକୁ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ବେକରେ ଥିବା ୨ ଭରିର ସୁନାଚେନ୍‌ ଲୁଟି ନେଇଥିଲେ। ଖୁବ୍‌ କମ୍‌ ସମୟରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିବା ବେଳେ ବଳରାମ ତାଙ୍କ କାର୍‌ ନମ୍ବରକୁ ନିଜ ମୋବାଇଲରେ ଫଟୋ ଉଠାଇ ଦେଇଥିଲେ। ଏହାପରେ ବଳରାମ ତାଳବଣିଆ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏହି କାର୍‌ ନମ୍ବରକୁ ନେଇ ଯାଞ୍ଚ କରିବାରୁ ଏହା ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ଯାଜପୁର ଜିଲ୍ଲା ଯଖପୁରାର ସରପଞ୍ଚ ଅରୁଣଜ୍ୟୋତି ସାମଲ(୨୮)ଙ୍କର ସମ୍ପୃକ୍ତି ରହିଥିବା ମଧ୍ୟ ଜଣାପଡ଼ିଥିଲା। ତେଣୁ ଗତକାଲି ରାତିରେ ତାଳବଣିଆ ଥାନା ପୁଲିସ ଭୁବନେଶ୍ବରରେ ଚଢ଼ଉ କରି ସରପଞ୍ଚ ଅରୁଣଜ୍ୟୋତି ସମେତ ଯଖପୁର ଥାନା ଅନ୍ତର୍ଗତ ମାଣତିରା ଅଞ୍ଚଳର ବିଶ୍ବଜିତ ‌ଘଡ଼େଇ(୨୮) ଓ ଜ୍ଞାନରଞ୍ଜନ ସାମଲ(୨୬)କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ପୁଲିସ ବଳରାମଙ୍କ ସୁନା ଚେନ୍‌ ମଧ୍ୟ ଜବତ କରିଥିଲା। ଆଜି ପୁଲିସ ଏହି ତିନି ଜଣଙ୍କୁ କୋର୍ଟଚାଲାଣ କରିଛି। ସେହିପରି ଅପରାଧରେ ବ୍ୟବହୃତ କାର୍‌କୁ ମଧ୍ୟ ଜବତ କରିଛି।

ସୂଚନାଯୋଗ୍ୟ ଯେ ଅରୁଣଜ୍ୟୋତି ନିର୍ଦ୍ଦେଶକ୍ରମେ ଗତ ୧୯ ତାରିଖ ଦିନ ଯାଜପୁର ଜିଲ୍ଲା ଯଖପୁର ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଦାଦାବଟି ମାଗି ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏପରିକି ପେଟ୍ରୋଲ ବମ୍‌ ପକାଇ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ମଧ୍ୟ ଅରୁଣଜ୍ୟୋତି ଓ ଅନ୍ୟମାନଙ୍କୁ ଖୋଜୁଥିବା ବେଳେ ସେମାନେ ଫେରାର ହୋଇଯାଇଥିଲେ। ଫେରାର ଥିବା ସମୟରେ ସେମାନେ ପୁରୀରେ ଏହି ଅପରାଧ ଘଟାଇଥିବା ନେଇ ପୁଲିସ କହିଛି।

ସମ୍ବନ୍ଧିତ ଖବର