କୋକସରା: କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ଭଇଁରିପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିବା ଜଣାଯାଇଛି। ଡକାୟତମାନେ ବନ୍ଧୁକ ଦେଖାଇ ଜନୈକ ବ୍ୟବସାୟୀ ସୌରଭ ଜୈନଙ୍କ ଘରୁ ୧୨ରୁ ୧୫ ଲକ୍ଷ ଟଙ୍କା ଓ ପ୍ରାୟ ୩୦ ଭରି ସୁନା ଗହଣା ଲୁଟି ନେଇଥିବାର ଅଭିଯୋଗ ହୋଇଛି।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧ଟା ସମୟରେ ୫ଜଣ ମୁଖା ପିନ୍ଧା ସଶସ୍ତ୍ର ଡକାୟତ ହାତରେ ବନ୍ଧୁକ ଓ ଲୁହା ଛଡ଼ ଧରି ଭଇଁରିପାଲି ଗାଁର ଧାନକୁଣ୍ଡା ବ୍ୟବସାୟୀ ସୌରଭ ଜୈନଙ୍କ ଘରେ ପଶିଥିଲେ। ବାହାରେ ବି କିଛି ଡକାୟତ ଥିଲେ ବୋଲି କୁହାଯାଉଛି। ଏହାପରେ ସଶସ୍ତ୍ର ଡକାୟତମାନେ ପ୍ରଥମେ ସୌରଭ ଜୈନଙ୍କ ବାପାଙ୍କୁ ଲୁହ ଛଡ଼ରେ ପିଟିଥିଲେ। ତାପରେ ଘରେ ଥିବା ସୌରଭଙ୍କ ମାଆଙ୍କୁ ଭୟଭୀତ କରି ଲକରର ଚାବି ଆଣି ସେଥିରେ ଥିବା ୧୨ରୁ ୧୫ ଲକ୍ଷ ଟଙ୍କା ଓ ପ୍ରାୟ ୩୦ ଭରି ସୁନା ଗହଣା ଲୁଟି ନେଇଥିଲେ। ଏହାପରେ ସେମାନେ ଧମକ ଦେଇ ଚାଲି ଯାଇଥିଲେ।

publive-image

ଡକାୟତମାନେ ଯିବା ପରେ ସୌରଭ ଜୟପାଟଣା ଥାନାକୁ ଫୋନ୍ ଯୋଗେ ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଖବର ପାଇ ଜୟପାଟଣା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଜି ସକାଳେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବି ଗଙ୍ଗାଧର ବି ଘଟଣାସ୍ଥଳରେ ପହଞ୍ଚିଥିଲେ। ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ତଦନ୍ତ ଚଳାଉଥିବା ଜଣାଯାଇଛି। ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।