ମହାକାଳପଡ଼ାରେ ସଶସ୍ତ୍ର ଡକାୟତି: ଟଙ୍କା ଓ ସୁନାଗହଣା ଲୁଟ୍, ୨ ଡକାୟତଙ୍କୁ ଧରିଲେ ଗ୍ରାମବାସୀ

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ କାକଟପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଡକାୟତି  ଘଟିଛି । ସୂଚନା ମୁତାବକ ଡକାୟତମାନେ ସଂଘବଦ୍ଧ ହୋଇ ଗତକାଲି ପ୍ରାୟ ରାତି ଗୋଟାଏ ସମୟରେ କାର୍ତ୍ତିକ ସ୍ବାଇଁଙ୍କ ଘରେ ପଶି ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବା ସହିତ ୨ ଲକ୍ଷରୁ ଅଧିକ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଡକାୟତମାନେ ଡକାୟତି କରି ଫେରାର ହୋଇଯାଉଥିବା ବେଳେ ପରିବାର ଲୋକଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଉଠିପଡ଼ିଥିଲେ।

ଗ୍ରାମବାସୀମାନେ ଆସିଯିବାର ଦେଖି ଡକାୟତମାନେ ଫେରାର ହୋଇଯାଉଥିବା ବେଳେ ୨ ଜଣ ଡକାୟତଙ୍କୁ ଗ୍ରାମବାସୀମାନେ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତଙ୍କ ଆକ୍ରମଣରେ କାର୍ତ୍ତିକ ସ୍ବାଇଁଙ୍କ ସହିତ ତାଙ୍କ ପତ୍ନୀ ଏବଂ ଭାଇ ଗୁରୁତର ଆହତ ହୋଇଛନ୍ତି। ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ୨ ରାଉଣ୍ଡ ଫାୟାରିଙ୍ଗ ହୋଇଥିବାର ସୂଚନା ମିଳିଛି। ୨ ଜଣ ଡକାୟତ ଧରାପଡ଼ିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଡକାୟତଙ୍କ ପାଖରୁ ଗୋଟିଏ ବନ୍ଧୁକ ୨ଟି ଭୁଜାଲି,  ୨ଟି ମୋବାଇଲ ସହିତ ୨ ବାଇକ ପୁଲିସ ଜବତ କରିଛି। ଆହତମାନେ ହେଲେ କାର୍ତ୍ତିକ ସ୍ବାଇଁ, ପତ୍ନୀ ତୁଳସୀ ସ୍ବାଇଁ ଓ ଭାଇ ସୁବାସ ସ୍ବାଇଁ। ଏମାନେ ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଏସିପି ମଦକର ସମ୍ପିତ ସମ୍ପଦ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର