ଲୁଟ ଉଦ୍ୟମ ବିଫଳ: ୮ ଲକ୍ଷ ୬୩ ହଜାର ଟଙ୍କା ଓ ସୁନା ଗହଣା ଉଦ୍ଧାର

ଛୁରାମାଡ଼ରେ ପିଅନ ଆହତ, ବାଇକ ସମେତ ଛୁରା ଓ ଖେଳନା ବନ୍ଧୁକ ଜବତ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଅଟଳାଗଡ଼ା ପଞ୍ଚମୁଖୀ ଆପାର୍ଟମେଣ୍ଟ ପରିସରରେ ଥିବା ଭାରତୀୟ ‌ଷ୍ଟେଟବ୍ୟାଙ୍କ ଶାଖାରୁ ଏକ ବଡ଼ ଧରଣର ଟଙ୍କା ଓ ସୁନାଗହଣା ଲୁଟ ଉଦ୍ୟମ ବିଫଳ ହୋଇଛି। ଆଜି ସଂଧ୍ୟା ସାଢ଼େ ୫ଟା ସମୟରେ ବ୍ୟାଙ୍କ ବନ୍ଦ ହେବା ସମୟରେ ଏହି ଲୁଟ ଘଟଣା ଘଟିଛି। ଏହି ବ୍ୟାଙ୍କ ଲୁଟ ଘଟଣାରେ ସଂପୃକ୍ତ ବାଲିଅନ୍ତା, ପାଟଣା ଗ୍ରାମର ଉମାଶଙ୍କର ପରିଡ଼ାକୁ ସ୍ଥାନୀୟ ଲୋକ କାବୁ କରି ବହେ ଛେଚିଥିଲେ। ଏହାପରେ ତାକୁ ବାଲଇଅନ୍ତା ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ।

ଲୁଟେରା  ଉମାଶଙ୍କର ନିକଟରୁ ପୁଲିସ ଉକ୍ତ ଚୋରି ୮ ଲକ୍ଷ ୬୩ ହଜାର ୫୮ ଯଙ୍କା ଏବଂ ୮ ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ସୁନାଗହଣା ମଧ୍ୟ ଜବତ କରାଯାଇଛି। ଏଥିସହିତ ଲୁଟରେ ବ୍ୟବହୃତ ବାଇକ ସହିତ ଗୋଟିଏ ଖେଳନା ବନ୍ଧୁକ ଓ ରକ୍ତଭିଜା ଛୁରା ଜବତ ହୋଇଛି। ସୂଚନା ମୁତାବକ ବ୍ୟାଙ୍କର ଭିତରେ ପଶି ବ୍ରାଙ୍କର ପିଅନ ଗଙ୍ଗାଧରଙ୍କ ବେକକୁ ଛୁରାରେ ଭୁସି ଆହତ  କରିଦେଲା। ଏହାପରେ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଗୋଟିଏ ଘରେ ପୂରାଇ ବାହାରପଟୁ ବନ୍ଦ କରିଦେଲା। ତା’ ପରେ କ୍ୟାସିୟର ବେକରେ ଛୁରାଲଗାଇ ଉମା ଭୟଭୀତ କରାଇ ବ୍ୟାଙ୍କରୁ ସବୁ ଟଙ୍କା ଓ ସୁନାଗହଣା ଭର୍ତ୍ତି ବ୍ୟାଗ ନେଇ ଦୌଡ଼ି ପଳାଉଥିଲା

ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ଆହତ କର୍ମଚାରୀ ଗଙ୍ଗାଧର ବେହେରାକୁ ଚିକିତ୍ସା ଲାଗି ହସ୍ପିଟାଲକୁ ନେଇଥିଲେ। ଏହାପରେ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ଅନୁରୂପ ଭାବେ ସଂପୃକ୍ତ ଲୁଟେରାକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଲୁଟ ଘଟଣାରେ ଉମାଶଙ୍କର ଏକାକୀ କରିଛି କିମ୍ବା ତା’ ସହିତ ଅନ୍ୟ କେହି ସହଯୋଗୀ ଅଛନ୍ତି ଏହା ପୂର୍ବରୁ ଅନ୍ୟ କୌଣସି ବ୍ୟାଙ୍କ ଲୁଟ ଘଟଣାରେ ସଂପୃକ୍ତ  ସେ ସଂପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ପୁଲିସ ଚେଷ୍ଟା କରୁଛି।

ସୂଚନା ମୁତାବକ ଆଜି ସଂଧ୍ୟା ୫ଟା ବେଳେ ବ୍ୟାଙ୍କ ବନ୍ଦ ହେବା ସମୟରେ ଲୁଟେରା ଜଣକ ବ୍ୟାଙ୍କ ଭିତରେ ପଶି ହଠାତ ପିଅନ ଗଙ୍ଗାଧର ବେହେରାଙ୍କ ବେକକୁ ଛୁରାରେ ଭୁସି ଆହତ କରି ଦେଇଥିଲା। ଏହାପରେ ତାଙ୍କ ବେକରେ ଛୁରା‌ ଲଗାଇ , ଶାଖା ପରିଚାଳକ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ‌ଭୟଭୀତ କରାଇ ରେକର୍ଡ଼ରୁମ ଭିତରେ ପୂରାଇ ବାହାରପଟୁ ବନ୍ଦ କରି ଦେଇଥିଲା। ତା’ ପରେ କ୍ୟାସିୟରଙ୍କୁ ଭୟଭୀତ କରାଇ କ୍ୟାସ ଡ୍ରରେ ଥିବା ୮ ଲକ୍ଷ ଟଙ୍କା  ଓ ଲକରରେ ଥିବା ସବୁ ସୁନା ଗହଣାକୁ ବ୍ୟାଗରେ ପୂରାଇ ଖସି ପଳାଇଯିବାକୁ ଉଦ୍ୟମ କକରିଥିଲା।

କର୍ମଚାରୀମାନେ ଝରକାବାଟେ ଚୋର ଚୋର ବୋଲି ଚିତ୍କାର କରିଥିଲେ। ଫୋନକରି ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ଯୁବକମାନଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ସେମାନଙ୍କ ପାଟିଶୁଣି ଆପାର୍ଟମେଣ୍ଟ ପରିସରରେ ଖେଳୁଥିବା ଯୁବକମାନେ ଲୁଟେରାକୁ ଗୋଡ଼ାଇଥିଲେ। ଫୋନକଲ ପାଇ ଜଗନ୍ନାଥପୁର ଗ୍ରାମର ଯୁବକମାନେ ବି ପହଞ୍ଚିଥିଲେ। ଗହୀର କାଦୁଅ ବିଲ ଭିତରେ  ଦୌଡ଼ି ଖସି ପଳାଇବାକୁ ଉଦ୍ୟମ କରୁଥିବା ଲୁଟେରାକୁ ସେମାନେ କାବୁ କରି ନେଇଥିଲେ। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଏବଂ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳ ପହଞ୍ଚି ଛାନଭିନ କରିଥିଲା। ଘଟଣାସ୍ଥଳରୁ ପୁଲିସ ଲୁଟରେ ବ୍ୟବହୃତ ବାଇକଟିକୁ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର