ଲୁଟ୍‌ ଉଦ୍ୟମ ବିଫଳ: ସ୍ଥାନୀୟ ଲୋକଙ୍କ ମାଡ଼ରେ ୨ ଦୁର୍ବୃତ୍ତ ଲହୁଲୁହାଣ, ୨ ଜଣ ଫେରାର

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଆଜି ଅପରାହ୍ନରେ ୨ ଜଣ ଲୁଟେରାଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ଥାନୀୟ ଲୋକଙ୍କର ମାଡ଼ରେ ୨ ଜଣ ଲୁଟେରା ଗୁରୁତର ଥିବାରୁ ତାକୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବାଳକାଟି ପାଣ୍ଠି ଅନ୍ତର୍ଗତ ନୂଆପାଟଣା ଗାଁର ଜଗନ୍ନାଥ ସାହୁ ଆଜି ଅପରାହ୍ନ ପ୍ରାୟ ୧ଟାରେ ବାଳକାଟି ବଜାରସ୍ଥିତ ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇଥିଲେ। ସେ ଟଙ୍କା ନେଇ ନିଜ ଗାଡ଼ି ପାଖକୁ ଆସୁଥିବା ବେଳେ ଘଟଣାସ୍ଥଳକୁ ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ପହଞ୍ଚି ଥିଲେ। ଦୁବୃର୍ତ୍ତମାନେ ଜଗନ୍ନାଥଙ୍କ ଠାରୁ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଜଗନ୍ନାଥ ଚିତ୍କାର କରିବାରୁ ବଜାରରେ ଥିବା ଲୋକେ ପହଞ୍ଚି ଜଗନ୍ନାଥଙ୍କୁ ଉଦ୍ଧାର କରିଥିଲେ।

ତେବେ ସ୍ଥାନୀୟ ଲୋକଙ୍କର ମାଡ଼ ହେବା ପରେ ୨ ଜଣ ଦୁବୃର୍ତ୍ତ ଘଟଣାସ୍ଥଳରୁ କୌଶଳ କ୍ରମେ ଖସି ଯାଇଥିଲେ। କିନ୍ତୁ ୨ ଜଣ ଲୋକଙ୍କ ସାମ୍ନାରୁ ଯାଇପାରି ନଥିଲେ। ସ୍ଥାନୀୟ ଲୋକଙ୍କର ମାଡ଼ରେ ଜଣେ ଦୁର୍ବୃତ୍ତ ଲହୁଲୁହାଣ ହୋଇଛି। ସୂଚନା ପାଇ ବାଲିଅନ୍ତା ଥାନା ପୁଲିସ ଦୁଇଜଣକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳେକୁ ମାମଲା ରୁଜୁ ହୋଇ ନଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରୁ ଏକ ବାଇକ୍‌ ଜବତ କରିଛି।

ସମ୍ବନ୍ଧିତ ଖବର