ବାଲିଅନ୍ତା: ବ୍ରାହ୍ମଣଷଡ଼ଙ୍ଗୀ- ଶିଶିଲୋ ଗ୍ରାମ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତାର ଲୁଟା ବୁଲାଣି ନିଛାଟିଆ ରାସ୍ତାରେ ଆଜି ଅପରାହ୍ନ ଦି’ଟା ସମୟରେ ଆଜମୀ ସୁଲତାନା ନାମକ ଜଣେ ଯୁବତୀ ଏକାକୀ ସାହସର ସହ ଦୁଇଜଣ ଡକାୟତଙ୍କ ସହ ଦୀର୍ଘ ସମୟ ଧରି ଲଢ଼ିଥିଲେ। ଆଉ ଲୁଟେରାଙ୍କୁ ସାମନା କରି ନିଜ ପାଖରେ ଥିବା ଟଙ୍କା ବ୍ୟାଗକୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ସୁଲତାନା ଦୁଇଜଣଯାକ ଲୁଟେରାଙ୍କୁ ଅଟକାଇବାରେ ମଧ୍ୟ ସକ୍ଷମ ହୋଇଥିଲେ। ଲୁଟେରା ତାଙ୍କ ନିକଟରୁ ଖସିବାରେ ବିଫଳ ହେବାରୁ ତାଙ୍କ ହାତକୁ ଭୁଜାଲିରେ ହାଣି ଦେଇଥିଲେ । ସୁଲତାନାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ତଥାପି ସୁଲତାନା ରକ୍ତାକ୍ତ ଅବସ୍ଥାରେ ମଧ୍ୟ ସାହାସ ନହରାଇ ଟଙ୍କା ବ୍ୟାଗକୁ ଧରି ଦୌଡ଼ି ପ୍ରମିଳା ନାୟକ ନାମକ ଜଣେ ମହିଳାଙ୍କ ଘର ଭିତରକୁ ପଶିଯାଇଥିଲେ। ଫଳରେ ଲୁଟେରାଙ୍କ ଟଙ୍କା ବ୍ୟାଗ ଲୁଟ ହେବା ଘଟଣା ବିଫଳ ହୋଇଯାଇଥିଲା। ଟଙ୍କା ବ୍ୟାଗ ଛଡ଼ାଇ ନେବା ଉଦ୍ୟମ ବିଫଳ ହୋବା ସହ ସୁଲତାନାଙ୍କ ଏହି ସାହସିକ ପଦକ୍ଷେପ ଯୋଗୁ ଲକ୍ଷାଧିକ ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇଯାଇଥିଲା।
ଗ୍ରାମବାସୀମାନେ ଘଟଣା ସଂପର୍କରେ ଜାଣିବା ପରେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଆଉ କିଛି ଯୁବକ ଲୁଟେରାଙ୍କ ପିଛା କରିଥିଲେ। ହେଲେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇନଥିଲେ। ସୁଲତାନା ଲୁଟେରାଙ୍କ ସହ ଲଢ଼ି ସଫଳ ହେବା ଏବଂ ଲକ୍ଷାଧିକ ଟଙ୍କା ଲୁଟ ଉଦ୍ୟମ ବିଫଳ ହେବା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ସ୍ଥାନୀୟ ଲୁଣା ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସକୁ ଡକାଇ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା କରାଇ ସୁଲତାନା ଘରକୁ ଯାଇଛନ୍ତି।
ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲି ଖାନ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହ ଗ୍ରାମବାସୀଙ୍କୁ ପଚରାଉଚରା କରିଥିଲେ। ପୁଲିସ ଘଟଣାସ୍ଥଳରୁ ସୁଲତାନାଙ୍କ ସ୍କୁଟିକୁ ଉଦ୍ଧାର କରିଛି। ଏସଂପର୍କରେ ସୁଲତାନା ବାଳକାଟି ଫାଣ୍ଡିରେ ଲିଖିତ୍ ଅଭିଯୋଗ କରିଛନ୍ତି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ଏନେଇ ଥାନାରେ ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି। ସେହିପରି ପୁଲିସ ଘଟଣାରେ ସଂପୃକ୍ତ ଲୁଟେରାଙ୍କୁ ଏଯାଏ ଠାବ କରିପାରିନି। ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ଫାଣ୍ଡି ଅଧିକାରୀ ଶ୍ରୀ ଖାନ ଆଖପାଖ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଫୁଟେଜକୁ ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିଛି। ଖୁବ ଶୀଘ୍ର ଉଭୟଙ୍କୁ ଗିରଫ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।
ଖବର ନେବାରେ ଜଣାପଡ଼ିଛିଯେ, କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ସୁଲତାନା ବାଳକାଟି ଫାଣ୍ଡି ନିକଟରେ ଥିବା ବନ୍ଧନ ନାମକ ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି। ଆଜି ମଧ୍ୟାହ୍ନରେ ସୁଲତାନା ବ୍ରାହ୍ମଣସୁଆଁଲୋ ଗ୍ରାମ, ସରକଣା, ରଣପୁର, ଅଞ୍ଚଳର ମହିଳାମଣ୍ଡଳରୁ ଟଙ୍କା ସଂଗ୍ରହ କରି ଉକ୍ତ ରାସ୍ତାରେ ବାଳକାଟି ଅଭିମୁଖେ ଯାଉଥିଲେ। ହେଲେ ଦୁଇଜଣ ଲୁଟେରା ତାଙ୍କୁ ବାଇକରେ ପିଛା କରି ଅଟକାଇ ଥିଲେ। ସୁଲତାନା ରହିବା ପରେ ତାଙ୍କ ସ୍କୁଟିକୁ ଗୋଇଠା ମାରି ଫୋପଡ଼ି ଦେଇଥିଲେ। ଆଉ ତା‘ ପରେ ସୁଲତାନାଙ୍କ ହାତରୁ ଭ୍ୟାନିଟରେ ଥିବା ଟଙ୍କା ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ହେଲେ ସୁଲତାନା ସାହସ ଜୁଟାଇ ଲୁଟେରାଙ୍କ ସହ ଲଢ଼ିଥିଲେ।