କଣ୍ଟାମାଳ : ପୁଲିସର ପରିଚୟ ଦେଇ ମନମୁଣ୍ଡା ତେଲନଦୀ ପୋଲ ନିକଟରୁ ୨ଜଣ ଦୁର୍ବୃତ୍ତ ଏକ ବାଇକ୍ ଓ ମୋବାଇଲ୍ ଫୋନ୍ ଲୁଟି ନେଇଛନ୍ତି। ଏନେଇ ବୁଧବାର ରାତି ୧୦ଟାରେ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁନ୍ଦୁଲିଆ ପଞ୍ଚାୟତ ଲୁମୁରଜୁନା ଗ୍ରାମର ଦିଲ୍ଲୀପ ପ୍ରଧାନ ମନମୁଣ୍ଡା ଡାକ୍ତରଖାନା ଛକସ୍ଥିତ ସନ୍ତୋଷ ବେହେରାଙ୍କ ଜଳଖିଆ ଦୋକାନରେ ମିସ୍ତ୍ରି ଭାବରେ କାର୍ଯ୍ୟ କରିଥାନ୍ତି। ବୁଧବାର କାମ ସାରି ରାତି ୮ଟା ସମୟରେ ସବୁଦିନ ଭଳି ସେ ନିଜ ଗାଁକୁ ବାଇକ୍ ଯୋଗେ ଯାଉଥିଲେ। ଖଇରମାଳ ଛକ ନିକଟରେ ୨ ଜଣ ଯୁବକ ମନମୁଣ୍ଡା ଥାନାର ପୁଲିସ ବୋଲି ପରିଚୟ ଦେଇ ତାଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର ମାଗିଥିଲେ। ଦିଲ୍ଲୀପ ଗାଡ଼ିଟି ଯୌତୁକ ପାଇଥିବା ଓ କାଗଜପତ୍ର ଘରେ ଥିବା କହିବାରୁ ତାଙ୍କୁ ଥାନାକୁ ଚାଲ ବୋଲି ଗାଡ଼ିରେ ବସାଇ ନେଇଥିଲେ। ମନମୁଣ୍ଡା ତେଲନଦୀ ପୋଲ ନିକଟକୁ ଆଣି ସେଠାରୁ ତାଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ ଓ ଗାଡ଼ିରୁ ଧକ୍କା ମାରି ଠେଲି ଦେଇଥିଲେ।
ଘଟଣା ସଂପର୍କରେ ଦୋକାନ ମାଲିକ ସନ୍ତୋଷ ବେହେରାଙ୍କୁ କହିବା ପରେ ଉଭୟେ ରାତି ୧୦ ଟାରେ ମନମୁଣ୍ଡା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଖୁବ୍ ଶୀଘ୍ର ଲୁଟେରାମାନଙ୍କୁ ଧରାଯିବ ବୋଲି ଥାନା ଆଇଆଇସି ଗୋପୀନାଥ ପ୍ରଧାନ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/loot2.jpg)