ଅନୁଗୁଳ : ଖାଇଗଲେ କାମ୍ପା ପାଣ୍ଠି! ସାର, ପିଡ଼ିଆ ନାଁରେ ମିଛ ବିଲ୍ କରି ଟଙ୍କା କରିଦେଲେ ଚଳୁ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜ୍‌ରୁ ଏମିତି ଦୁର୍ନୀତି କଥା ପଦାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଜଙ୍ଗଲ ବିଭାଗରେ ଚାଲିଥିବା ଦୁର୍ନୀତିର ଫର୍ଦ୍ଦ ଖୋଲିବା ପରେ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଲୋକାୟୁକ୍ତଙ୍କୁ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି।

Advertisment

ଏ ବୃକ୍ଷରୋପଣ ଦୁର୍ନୀତି ହେଉଛି ୨୦୧୫-୧୬ମସିହାର। ସରକାରୀ ନିୟମ କହୁଛି ଯେ କୌଣସି ଶିଳ୍ପ କିମ୍ବା ଖଣିରେ ଜଙ୍ଗଲ ନଷ୍ଟ ହେଲେ ତାର ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅନ୍ୟ କେଉଁଠି ବି ଜଙ୍ଗଲ ନିଶ୍ଚିତ ସୃଷ୍ଟି କରାଯିବ। ନୂଆ ବୃକ୍ଷରୋପଣ କରାଯିବ। ଅନୁଗୁଳ ଜିଲ୍ଲା କଣିହାଁ ଅଂଚଳର ମନ୍ଦାକିନୀ କୋଲ୍‌ ମାଇନ୍‌ସ ପାଇଁ ଜଙ୍ଗଲ ନଷ୍ଟ ବାବଦକୁ ନୂଆ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆଠମଲ୍ଲିକ ବନଖଣ୍ଡରେ ଜାଗା ଚୟନ କରାଯାଇଥିଲା। ହଣ୍ଡପା ରେଞ୍ଜ୍‌ କୁଆଝରି, ନୂଆ କୁଆଝରି, ପାପସରା-ବିଲେଇନାଳୀ ପ୍ରମୁଖ ଚାରୋଟି ଅଞ୍ଚଳରେ ପ୍ରାୟ ୧୪୩.୩୭୭ହେକ୍ଟର ଜମିକୁ ଜଙ୍ଗଲ କରିବାକୁ ସରକାରୀ ଯୋଜନା ଥିଲା।

ଆର୍‌ଟିଆଇ ତଥ୍ୟ ମୁତାବକ, ପାପସରା-ବିଲେଇନାଳୀ ଇଲାକାରେ ୨୬.୭୪ହେକ୍ଟର ଜାଗାରେ ୪୨ହଜାର ୭୮୪ଗଛ, ବିଲେଇନାଳୀ ଇଲାକାର ୦୬.୦୦ହେକ୍ଟର ଜମିରେ ୯ହଜାର ୬ଶହ ଗଛ, କୁଆଝରି ଇଲାକାର ୪୯.୭୬୭ହେକ୍ଟର ଜମିରେ ୭୯ହଜାର ୬୨୭ଟି ଗଛ ଏବଂ ନୂଆକୁଆଝରି ଇଲାକାର ୬୦.୮୭୦ହେକ୍ଟର ଇଲାକାରେ ୯୭ହଜାର ୩୯୨ ଗଛ ଲଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଚାରୋଟି ଜାଗାରେ ୧୪୩.୩୭୭ହେକ୍ଟର ଜମିରେ ୨ଲକ୍ଷ ୨୯ହଜାର ୩୭୩ଟି ଗଛ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଥିଲା।

ନିୟମ ମୁତାବକ, ଗଛ ଲଗାଇବା ଠାରୁ ତାର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ଚାରି ବର୍ଷ ଯାଏ ଗଛ ପିଛା ଟଙ୍କା ଖର୍ଚ୍ଚ କରାଯିବ। ଗାତ ଖୋଳାଠାରୁ ଆରମ୍ଭ କରି ଜଳ ସିଞ୍ଚନ, ସାର, ପିଡ଼ିଆ ଆଦି ସବୁ ପ୍ରକାର ରକ୍ଷଣାବେକ୍ଷଣ କରିବାକୁ ଯୋଜନା ହୋଇଥିଲା। ସେଥିପାଇଁ ସରକାର ଆଠମଲ୍ଲିକ ବନଖଣ୍ଡକୁ କାମ୍ପା ପାଣ୍ଠିରୁ ଟଙ୍କା ଯୋଗାଇଥିଲେ। କିନ୍ତୁ, ଗଛ ଲଗାଇବା ବଦଳରେ ମିଛ ବିଲ୍ ଭାଉଚର କରି କାମ୍ପା ଟଙ୍କା ଚଳୁ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଗଛ ପାଇଁ ସାର, ପିଡ଼ିଆ, ଶ୍ରମ ମଜୁରି ବାବଦକୁ କେମିତି ମିଛ ବିଲ୍‌ ଭାଉଚର ଦେଇ କାମ୍ପା ଟଙ୍କା ଚଳୁ କରାଯାଇଛି ସେନେଇ ସୂଚନା ଅଧିକାର କର୍ମୀ ପ୍ରସନ୍ନ ସାହୁ ତଥ୍ୟ ପ୍ରମାଣ ସହ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଥିଲେ। ଏ ପ୍ରସଙ୍ଗରେ ଲୋକାୟୁକ୍ତ ଜଙ୍ଗଲ ବିଭାଗର ପକ୍ଷ ମଧ୍ୟ ଲୋଡ଼ିଥିଲେ। କିନ୍ତୁ ଜଙ୍ଗଲ ବିଭାଗ ପକ୍ଷକୁ ନେଇ ଅସନ୍ତୋଷ ଝାଡ଼ିଥିଲେ ଏବଂ ଏହାର ତଦନ୍ତ ଦାୟିତ୍ବ ଭିଜିଲାନ୍ସକୁ ଦେଇଥିଲେ। ଇତିମଧ୍ୟରେ ଭିଜିଲାନ୍ସ ଏ ଦୁର୍ନୀତି ଅଭିଯୋଗର ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଛି। ଏହା ଉପରେ ଲୋକାୟୁକ୍ତ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତା ଉପରେ ସଭିଁଙ୍କ ନଜର ରହିଛି।