କଟକ : ମହର୍ଷି ପତଞ୍ଜଳି ଯୋଗ ସେବା ଟ୍ରଷ୍ଟ ଉପରେ ମିଛ ସେଲ୍ସ ଟ୍ୟାକ୍ସ ଚଢାଉ ନେଇ ହୋଇଥିବା ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରିବା ପାଇଁ ଏୟାର ଫିଲ୍ଡ ଥାନାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଏ ସଂପର୍କିତ ଲିଖିତ ଅଭିଯୋଗ ମିଳିବା ପରେ ପୁଲିସ ଏତଲା ରୁଜୁ କରି ଘଟଣାର ତଦନ୍ତ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ହେମନ୍ତ ସି.ପାରେକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପିନାକୀ ଦତ୍ତ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ମହର୍ଷି ପତଞ୍ଜଳି ଯୋଗ ସେବା ଟ୍ରଷ୍ଟ ଓ ପଦ୍ମାଳୟା ଟ୍ରଷ୍ଟ ଅଫ୍ ଇଣ୍ଡିଆର ମ୍ୟାନେଜିଂ ଟ୍ରଷ୍ଟି ହୋଇଥିବା ବେଳେ ଦୁଇ ଟ୍ରଷ୍ଟର କାର୍ଯ୍ୟାଳୟ ଭୁବନେଶ୍ୱର ପୋଖରିପୁଟ ଲିଙ୍ଗରାଜବିହାରରେ ରହିଛି। କାର୍ଯ୍ୟାଳୟରେ ବଲାଙ୍ଗୀର ଟିକରପଡାର ମୂଳ ବାସିନ୍ଦା ଜଣେ ବ୍ୟକ୍ତିଙ୍କୁ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଗୁଜରାଟର ବିଭିନ୍ନ ସପ୍ଲାୟର୍ସଙ୍କ କାରବାର ଓ ପ୍ରଶାସନିକ କାର୍ଯ୍ୟ ଦେଖୁଥିବା ସଂପୃକ୍ତ ବ୍ୟକ୍ତି ବହୁ ବେଆଇନ କାର୍ଯ୍ୟରେ ଲିପ୍ତ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଥି ପାଇଁ ଆବେଦନକାରୀ ଓ ଅନ୍ୟ ଜଣେ ମହିଳା ଅଧିକାରୀ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ। ଏହାପରେ ପ୍ରତିଶୋଧପରାୟଣ ହୋଇ ସଂପୃକ୍ତ ବ୍ୟକ୍ତି ୨୦୧୩, ଜୁନ୍ ୬ରେ ସଂପୃକ୍ତ ମହିଳା ଅଧିକାରୀଙ୍କୁ ଆକ୍ରମଣ କରିିବା ସହିତ ଜୀବନରୁ ମାରିବା ପାଇଁ ଧମକ ଦେଇଥିଲେ। ଏହି ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଥିବା ବେଳେ ଏ ନେଇ ନାଗପୁରର ଗଣେଶଘାଟ ଥାନାରେ ଏତଲା ରୁଜୁ ହୋଇଥିଲା। ଏହାପରେ ସଂପୃକ୍ତ ବ୍ୟକ୍ତି ୨୦୧୩, ମାର୍ଚ୍ଚ ୮ରେ ଫେରାର ହୋଇଥିଲେ।
୨୦୧୪, ଜାନୁଆରି ୧୦ରେ ସଂପୃକ୍ତ ବ୍ୟକ୍ତି ଓ ଅନ୍ୟ କେତେକଙ୍କ ସହିତ ଟ୍ରଷ୍ଟ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଭୁବନେଶ୍ୱର ସେଲ୍ସ ଟ୍ୟାକ୍ସ ଅଫିସରୁ ଆସିଛନ୍ତି ଓ ଚଢାଉ କରୁଛନ୍ତି ବୋଲି କହିଥିଲେ। ସେମାନେ ଟ୍ରଷ୍ଟ କାର୍ଯ୍ୟାଳୟରେ ବେହୁ ସଂଖ୍ୟାରେ ଆଇଏମଏମଟିରେ ପରୀକ୍ଷା ପାଇଁ ରଖାଯାଇଥିବା ରୁପା କଏନ୍, ବେଡସିଟ ଓ ଅନ୍ୟ ସାମଗ୍ରୀ ନେଇ ଯାଇଥିଲେ। ସେମାନେ ଏହି ସବୁ ସାମଗ୍ରୀ ଜବତ କରି ପାରିବେ ବୋଲି ଗୋଟିଏ ଚିଠି ଦେଖାଇଥିଲେ ଓ ଆବେଦନକାରୀଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ସଂପୃକ୍ତ ବ୍ୟକ୍ତି ଓ ଅନ୍ୟ ଦୁର୍ବୃତ୍ତଙ୍କ କାଣ୍ଡ ବୋଲି ଜଣା ପଡିଥିଲା। ପ୍ରାୟ ୨୦ ଲକ୍ଷ ଟଙ୍କାର କଏନ୍ ଓ ଅନ୍ୟାନ୍ୟ ସାମଗ୍ରୀ ସଂସ୍ଥାରୁ ସେମାନେ ନେଇ ଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ କରିିବା ପରେ ମଧ୍ୟ କିଛି ଫଳ ନ ମିଳିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।