ବିନିକା/ସିଙ୍ଘିଯୁବା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଙ୍ଘିଯୁବା-ଖଇରମାଲ ରାସ୍ତାରେ ମଙ୍ଗଳବାର ରାତିରେ ଏକ ଲୁଟ୍ ଉଦ୍ୟମକୁ କେନ୍ଦ୍ର କରି ବୁଧବାର ତୁମୁଳକାଣ୍ଡ ଘଟିଛି। ଗ୍ରାମବାସୀଙ୍କ ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଓ ଅନ୍ୟ ୩ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀ ହେଲେ ଏସ୍ଆଇ ସୁଜାତା ବୁଡ଼େକ, ଏଏସ୍ଆଇ ତ୍ରିନାଥ ସାହୁ ଓ କନେଷ୍ଟବଳ ଗୋପୀନାଥ ସାହୁ। ସେହିପରି ଦୁଇଜଣ ନାବାଳକଙ୍କ ସମେତ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମହାନନ୍ଦ (୧୮) ମଧ୍ୟ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳର ଚନ୍ଦ୍ରକାନ୍ତ ମହାନନ୍ଦ ଓ ଅନ୍ୟ ୨ ଜଣ ନାବାଳକ ବିନିକା ଥାନା ଅଧୀନ ସିଙ୍ଘିଯୁବା-ଖଇରମାଲ ରାସ୍ତାରେ ଚାଷଜମିକୁ ପାଣି ବ୍ୟବସ୍ଥା କରିବାକୁ ଯାଇଥିବା ଜଣେ ଚାଷୀଙ୍କଠାରୁ ମୋବାଇଲ ଫୋନ୍‌ 
ଲୁଟ୍ ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ଚାଷୀଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଅନ୍ୟଚାଷୀମାନେ ଦୌଡ଼ି ଆସିଥିଲେ। ଅଭିଯୁକ୍ତମାନେ ସେଠାରୁ ଫେରାର୍‌ ହୋଇ ସିଙ୍ଘିଯୁବା-ପାପି ଗାଁ ରାସ୍ତାରେ ଥିବା ଆନନ୍ଦନଗର କ୍ଲବ୍‌ ଘରକୁ ପଶି ଯାଇଥିଲେ। ଏହି ସମୟରେ ସେମାନଙ୍କୁ ପିଛା କରୁଥିବା ଲୋକେ କ୍ଲବ୍‌ ଘରେ ତାଲା ପକାଇ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ରାମପୁର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ବିରୋଧ କରି ଫେରାଇ ଦେଇଥିଲେ। ବିନିକା ଥାନା ପୁଲିସ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ସେଠାରେ ପହଞ୍ଚିବା ଦେଖି ଗ୍ରାମବାସୀ ଅଧିକ ଉତ୍ତେଜିତ ହୋଇଯାଇଥିଲେ। ତିନି ଅଭିଯୁକ୍ତଙ୍କୁ ବନ୍ଦ ଘରୁ ବାହାର କରିବା ସମୟରେ ଗ୍ରାମବାସୀ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ଅଭିଯୁକ୍ତଙ୍କ ସହ ଉକ୍ତ ତିନି ପୁଲିସ କର୍ମଚାରୀ ଆହତ ହୋଇଥିଲେ।

୩ ଅଭିଯୁକ୍ତ ସମେତ ୨୦ ଗ୍ରାମବାସୀ ଅଟକ, ୨୧ ବାଇକ୍‌ ଜବତ

ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପୁଲିସ ଗାଡ଼ିର କାଚ ମଧ୍ୟ ଭାଙ୍ଗିଯାଇଛି। ଶେଷରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗ୍ରାମବାସୀଙ୍କ ପାଖରୁ ନିଜ ହେପାଜତକୁ ଆଣିଥିଲା। ବିନିକା ଡାକ୍ତରଖାନାରେ ଅଭିଯୁକ୍ତମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ବିନିକା ଥାନାରେ ରଖି ପଚରାଉଚରା କରୁଛି। ଆହତ ପୁଲିସ କର୍ମଚାରୀମାନେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଆକ୍ରମଣ ଅଭିଯୋଗରେ ପୁଲିସ ଗ୍ରାମବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରୁ ବିଭିନ୍ନ ଗାଁର ୨୦ ଜଣଙ୍କୁ ଅଟକ ରଖିବା ସହ ସେମାନେ ବ୍ୟବହାର କରିଥିବା ୨୧ଟି ବାଇକ୍‌କୁ ଜବତ କରିଛି। ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ଏସ୍‌ପି ରାମପ୍ରସାଦ ସାହୁ କହିଛନ୍ତି। ବର୍ତ୍ତମାନ ବିନିକା ଥାନାରେ ସୋନପୁର ଏସ‌୍‌ପି, ଡିଏସ୍‌ପି, ଏସ୍‌ଡିପିଓ, ରାମପୁର ଆଇଆଇସି, ଏକ ପ୍ଲାଟୁନ ଫୋର୍ସ, ମହିଳା ପୁଲିସ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସନ୍ଧ୍ୟାରେ ସମ୍ବଲପୁର ପୁଲିସ ଡିଆଇଜି ହିମାଂଶୁ ଲାଲ ପହଞ୍ଚିଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଏବଂ ଉଭୟ ପକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ପୁଲିସର ନିଷ୍କ୍ରିୟତା ଯୋଗୁଁ ବିନିକା ରାମପୁର ମୁଖ୍ୟରାସ୍ତା ଓ ଆଖପାଖ ଅଞ୍ଚଳରେ ଚୋରି, ରାହାଜାନି, ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସନ୍ଧ୍ୟା ହେଲେ ଲୋକେ ଯାତାୟାତ କରିବାକୁ ଭୟ କରୁଛନ୍ତି। ଯେଉଁଥିପାଇଁ ବୁଧବାର ଏହି ଘଟଣା ଘଟିଥିବା ଆଲୋଚନା ହେଉଛି।