ପେଟ୍ରୋଲ ଟାଙ୍କି ମ୍ୟାନେଜରଙ୍କ ଠାରୁ ଲୁଟ୍ ମାମଲା: ୨ଅଭିଯୁକ୍ତ ଗିରଫ

ଜୟପୁର: ରେଳବିଭାଗ ପକ୍ଷରୁ ନବରାତ୍ରୀ ଉତ୍ସବ ପାଇଁ ଜଗଦଲକୁନ୍ଦ୍ରା ବ୍ଲକରେ ଥିବା ଭଗବତୀ ପେଟ୍ରୋଲ ଟାଙ୍କିର ମ୍ୟା‌ନେଜର ଅରବିନ୍ଦ ମଣ୍ଡଳଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ଜୟପୁର ସଦର ପୁଲିସ ଅଭିଯୁକ୍ତ ଉମୁରିର ଜିତୁ ଦାସ(୨୧) ଓ ମକାପୁଟର ଅମନ ନାଗ(୨୧)ଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଲୁଟ୍ ହୋଇଥିବା ୨୦ହଜାର ୩୦୦ଟଙ୍କା ଜବତ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଉପରୋକ୍ତ ଅଭିଯୁକ୍ତ ଦ୍ବୟ ସହଯୋଗୀ ଉମୁରୀର ଡେଭିଡ, ମକାପୁଟର ସଂଜୟ ନାଗ, ପାଲିଗୁଡ଼ାର ଗୋପୀ, କାଳିଆଗାଁର ବବ୍ଲୁ , ତେଲିଆର ବିକାସ ଓ ଭତରାର ରିତିକ୍ ଭଗବତୀ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କ ଠାରୁ ଡକାୟତି ପାଇଁ ଷଡୟନ୍ତ୍ର କରିଥିଲେ। ସେମାନଙ୍କର ଯୋଜନା ଅନୁୟାୟୀ, ୨୨ତାରିଖ  ରାତି ୮ଟାରୁ ସେମାନେ ଉକ୍ତ ପେଟ୍ରୋଲ ପମ୍ପର ମ୍ୟାନେଜର ଅରବିନ୍ଦଙ୍କ ଗତିବିଧିକୁ ଲକ୍ଷ୍ୟ କରିତିଲେ। ରାତି ପ୍ରାୟ ୧୦ଟା ବେଳେ ଅରବିନ୍ଦ ବାଇକ ନେଇ କୁନ୍ଦ୍ରାରୁ ନିଜ ଘର ପାମ୍ପୁଣି ଅଭିମୁଖେ ବାହାରିଥିଲେ। ପୂର୍ବରୁ ଛପି ରହିଥିବା ଅଭିଯୁକ୍ତ ମାନେ ୨ଟି ବାଇକ ଓ ଗୋଟିଏ ସ୍କୁଟିରେ ତାଙ୍କ ପିଛା କରିଥିଲେ। ପଡେଇକେରା ଛକରେ ସେମାନେ ତାଙ୍କ ହେଲମେଟକୁ ମାରିବାକୁ ଉଦ୍ୟମ କରିଥିଲେ।

ତେବେ ସେଠାରୁ ସେ ଖସିଯିବାରେ ସକ୍ଷମ ହୋଇଥିଲେ। ତା’ପରେ ସେମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ଧକ୍କା ଦେଇଥିଲେ ଯାହା ମଣ୍ଡଳଙ୍କ ମୁଣ୍ଡରେ ଥିବା ହେଲମେଟରେ ବାଜିଥିଲା। ତେବେ ସେଠାରୁ ଖସି ଆସି ହନୁମାନ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ସାଙ୍ଗମାନଙ୍କୁ ଡାକିଥିଲେ। ତାଙ୍କ ସାଙ୍ଗମାନେ ଆସିବା ପୂର୍ବରୁ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଜୋରଜବରଦସ୍ତ ମଣ୍ଡଳଙ୍କ ନିକଟରେ ଥିବା ୨୦ହଜାର ୩ଶହ ଟଙ୍କା ଛଡାଇ ନେଇଥିଲେ। ସାଙ୍ଗ ମାନେ ଆସି ଦଉଡାଇବାରେ ଅନ୍ୟ ଅଭିଯୁକ୍ତ ମାନେ ଖସି ପଳାଇଥିବା ବେଳେ ଦୁଇଜଣ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ପଶି ଯାଇଥିଲେ। ଖବର ପାଇ ରାତିରେ ପାଟ୍ରୋଲିଂ କରୁଥିବା ଏଏସ୍ଆଇ ଜି. ପି. ବେହେରା ଓ ଟିମ୍ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉପରୋକ୍ତ ଦୁଇ ଅଭିୟୁକ୍ତଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ଲୁଟ୍ ଟଙ୍କା ଜବତ କରାଯାଇଥିଲା ବୋଲି କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଏହି ମାମଲାର ଅନ୍ୟ ୫ଅଭିଯୁକ୍ତ ଚିହ୍ନଟ ହୋଇଥିବାରୁ ସେମାନଙ୍କୁ ବି ଅତିଶୀଘ୍ର ଧରାଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ।

 

ସମ୍ବନ୍ଧିତ ଖବର