ଜୟପୁର: କୁନ୍ଦ୍ରା ବ୍ଲକରେ ଥିବା ଭଗବତୀ ପେଟ୍ରୋଲ ଟାଙ୍କିର ମ୍ୟାନେଜର ଅରବିନ୍ଦ ମଣ୍ଡଳଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ଜୟପୁର ସଦର ପୁଲିସ ଫେରାର ଥିବା ତୃତୀୟ ଅଭିଯୁକ୍ତ ଭତରାର ରିତିକ ହରିଜନ (୨୨)ଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛି। ଏହି ମାମଲାରେ ପୁଲିସ ପୂର୍ବରୁ ଦୁଇ ଅଭିଯୁକ୍ତ ଉମୁରିର ଜିତୁ ଦାସ(୨୧) ଓ ମକାପୁଟର ଅମନ ନାଗ(୨୧)ଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିବା ସହ ସେମାନଙ୍କ ଠାରୁ ଲୁଟ୍ ହୋଇଥିବା ୨୦ହଜାର ୩୦୦ଟଙ୍କା ଜବତ କରିଥିଲେ।
ମିଳିଥିବା ସୂଚନା ମୁତାବକ, ଉପରୋକ୍ତ ଅଭିଯୁକ୍ତ ଦ୍ବୟ ସହଯୋଗୀ ଉମୁରୀର ଡେଭିଡ, ମକାପୁଟର ସଂଜୟ ନାଗ, ପାଲିଗୁଡ଼ାର ଗୋପୀ, କାଳିଆଗାଁର ବବ୍ଲୁ , ତେଲିଆର ବିକାସ ଓ ଭଗବତୀ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କ ଠାରୁ ଡକାୟତି ପାଇଁ ଷଡୟନ୍ତ୍ର କରିଥିଲେ। ସେମାନଙ୍କର ଯୋଜନା ଅନୁୟାୟୀ, ମାର୍ଚ୍ଚ୨୨ତାରିଖ ରାତି ୮ଟାରୁ ସେମାନେ ଉକ୍ତ ପେଟ୍ରୋଲ ପମ୍ପର ମ୍ୟାନେଜର ଅରବିନ୍ଦଙ୍କ ଗତିବିଧିକୁ ଲକ୍ଷ୍ୟ କରିତିଲେ। ରାତି ପ୍ରାୟ ୧୦ଟା ବେଳେ ଅରବିନ୍ଦ ବାଇକ ନେଇ କୁନ୍ଦ୍ରାରୁ ନିଜ ଘର ପାମ୍ପୁଣି ଅଭିମୁଖେ ବାହାରିଥିଲେ। ପୂର୍ବରୁ ଛପି ରହିଥିବା ଅଭିଯୁକ୍ତ ମାନେ ୨ଟି ବାଇକ ଓ ଗୋଟିଏ ସ୍କୁଟିରେ ତାଙ୍କ ପିଛା କରିଥିଲେ। ପଡେଇକେରା ଛକରେ ସେମାନେ ତାଙ୍କ ହେଲମେଟକୁ ମାରିବାକୁ ଉଦ୍ୟମ କରିଥିଲେ।
ତେବେ ସେଠାରୁ ସେ ଖସିଯିବାରେ ସକ୍ଷମ ହୋଇଥିଲେ। ତା'ପରେ ସେମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ଧକ୍କା ଦେଇଥିଲେ ଯାହା ମଣ୍ଡଳଙ୍କ ମୁଣ୍ଡରେ ଥିବା ହେଲମେଟରେ ବାଜିଥିଲା। ତେବେ ସେଠାରୁ ଖସି ଆସି ହନୁମାନ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ସାଙ୍ଗମାନଙ୍କୁ ଡାକିଥିଲେ।
ତାଙ୍କ ସାଙ୍ଗମାନେ ଆସିବା ପୂର୍ବରୁ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଜୋରଜବରଦସ୍ତ ମଣ୍ଡଳଙ୍କ ନିକଟରେ ଥିବା ୨୦ହଜାର ୩ଶହ ଟଙ୍କା ଛଡାଇ ନେଇଥିଲେ। ସାଙ୍ଗ ମାନେ ଆସି ଦଉଡାଇବାରେ ଅନ୍ୟ ଅଭିଯୁକ୍ତ ମାନେ ଖସି ପଳାଇଥିବା ବେଳେ ଦୁଇଜଣ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ପଶି ଯାଇଥିଲେ। ଖବର ପାଇ ରାତିରେ ପାଟ୍ରୋଲିଂ କରୁଥିବା ପୁଲିସ ସହଯୋଗରେ ୨ଜଣଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଲୁଟ୍ ଟଙ୍କା ମିଳିଥିଲା। ଏହି ମାମଲାର ଅନ୍ୟ ୭ଅଭିଯୁକ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଧରାପଡ଼ିଥିବା ବେଳେ ଆଉ ୬ଜଣଙ୍କୁ ବି ଧରାଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/40-1.jpg)