ଚୋର ନେଇଗଲେ ୧୪୧ କୋଟିର ସମ୍ପତ୍ତି

୪୪ କୋଟି ମିଳିଛି, ୯୭ କୋଟି ଧରି ଚୋର ଛୁ
ବଢ଼ିଛି ଧର୍ତ୍ତବ୍ୟ ଅପରାଧ, ହତ୍ୟା ମାମଲା କମିଛି
ଅଧା ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିନି ପୁଲିସ

ଭୁବନେଶ୍ବର : ଧନଜୀବନ ସୁରକ୍ଷା ପାଇଁ ରାଜ୍ୟରେ ବିଶାଳ ପୁଲିସ ବ୍ୟବସ୍ଥା ରହିଛି। ହେଲେ ରାଜ୍ୟ ସରକାରଙ୍କ ଗୃହ ବିଭାଗର ପରିସଂଖ୍ୟାନ କହୁଛି, ବର୍ଷକ ଭିତରେ ଡକାୟତ, ଚୋର, ଖଣ୍ଟ ସାଧାରଣ ଲୋକଙ୍କ ଠାରୁ ୧୦୦ କୋଟି ଟଙ୍କାର ସଂପତ୍ତି ଲୁଟିନେଇଛନ୍ତି। ପୁଲିସ ଅଧାରୁ ଅଧିକ ଅର୍ଥ ଜବତ କରିପାରିନାହିଁ। ବିପୁଳ ଟଙ୍କା ଧରି ଅପରାଧୀ ଛୁ। ୨୦୨୦ ତୁଳନାରେ ୨୦୨୧ରେ ହତ୍ୟାକାଣ୍ଡ କମିଛି ସତ, ହେଲେ ଚାର୍ଜସିଟ୍ ଦାଖଲର ସଂଖ୍ୟା ଯେ କେହି ବ୍ୟକ୍ତିକୁ ବିସ୍ମିତ କରିବ। ୨୦୨୧ ମସିହା ଅପରାଧ ସଂପର୍କରେ ଗୃହ ବିଭାଗ ବିଧାନସଭା ସାମ୍ନାକୁ ଆଣିଥିବା ଶ୍ବେତପତ୍ରରେ ଏଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ରହିଛି।

ଏହି ରିପୋର୍ଟ କହୁଛି, ୨୦୨୧ ମସିହାରେ ରାଜ୍ୟରେ ୧ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ତେବ‌େ ସେଥିମଧ୍ୟରୁ ୧ଲକ୍ଷ ୪୯ହଜାର ୨୩୨ଟି ମାମଲା ସତ୍ୟ ଏବଂ ଏକ ଲକ୍ଷ ୬ହଜାର ୨୮୩ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି। ଏହା ପୂର୍ବବର୍ଷ ତୁଳନାରେ ଢେର୍‌ ଅଧିକ। ୨୦୨୦ ମସିହାରେ ୧ଲକ୍ଷ ୩୪ହଜାର ୨୩୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୧ଲକ୍ଷ ୨୯ହଜାର ୩୦୫ଟି ମାମଲା ସତ୍ୟ ବୋଲି ସରକାର କହିଥିଲେ ଏବଂ ୯୩ ହଜାର ୨୨୯ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଦୁଇ ବର୍ଷର ପରିସଂଖ୍ୟାନକୁ ତୁଳନା କଲେ ୨୦୨୧ ମସିହାରେ ୨୧ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ବଢ଼ିଛି। ତେବେ ଚାଞ୍ଚଲ୍ୟକର କଥା ଯେ, ୧ଲକ୍ଷ ୪୯ହଜାର ୨୩୨ଟି ମାମଲା ସତ୍ୟ ବୋଲି ଦର୍ଶାଯାଇଥିଲେ ବି ୪୨ହଜାର ୯୪୯ ମାମଲା ଅର୍ଥାତ ୨୯% ମାମଲାର ଚାର୍ଜସିଟ୍‌ ଦାଖଲ ହୋଇନାହିଁ। ୨୦୨୦ ମସିହାରେ ୪୯୨୫ ମିଛ ମାମଲା ରହିଥିବା ବେଳେ ୨୦୨୧ରେ ଏହା ବଢ଼ି ୬୧୮୮ରେ ପହଞ୍ଚିଛି।

ଅନ୍ୟପକ୍ଷରେ ୨୦୨୦ ମସିହାରେ ୧୪୭୦ ହତ୍ୟା ମାମଲା ରୁଜୁ ହୋଇଥିଲା। ୨୦୨୧ରେ ଏହି ସଂଖ୍ୟା କମିଛି। ଏବର୍ଷ ୧୩୯୪ ହତ୍ୟା ମାମଲା ରୁଜୁ ହୋଇଛି। ହେଲେ ଉଦ୍‌ବେଗର କଥା ଯେ, ମାତ୍ର ୬୫୮ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ମାତ୍ର ୪୯.୭% ମାମଲାରେ ଚାର୍ଜସିଟ୍‌ ଦାଖଲ ହେବା ଘଟଣା ପୁଲିସର ତଦନ୍ତ ପ୍ରତି ଆଙ୍ଗୁଳି ଉଠାଇଛି। ୨୦୨୧ ମସିହାରେ ୭୧ଟି ମିଛ ହତ୍ୟା ମାମଲା ରୁଜୁ ହେବା ବି କିଛି କମ୍ ଗୁରୁତର ଘଟଣା ନୁହେଁ।

ସବୁଠୁ ଚକିତ କରିଛି ଡକାୟତି, ଲୁଣ୍ଠନ, ସିନ୍ଧିଚୋରି ଏବଂ ଚୋରି। ୨୦୨୧ ମସିହାରେ ଚୋର ୧୪୧କୋଟି ୬୪ଲକ୍ଷ ୩୪ହଜାର ୫୬୫ଟଙ୍କାର ସମ୍ପତ୍ତି ନେଇଯାଇଛନ୍ତି। ପୁଲିସ ସେମାନଙ୍କଠାରୁ ମାତ୍ର ୪୪କୋଟି ୩୦ଲକ୍ଷ ୪୦ହଜାର ୮୭୨ଟଙ୍କାର ସମ୍ପତ୍ତି ଜବତ କରିଛି। ଅର୍ଥାତ ଏବେ ବି ୯୭କୋଟି ୩୪ଲକ୍ଷ ଟଙ୍କାର ସମ୍ପତ୍ତି ଚୋରଙ୍କ ହାତରେ ରହିଛି। ସର୍ବାଧିକ ୬୬କୋଟି ୮୧ଲକ୍ଷ ୮୦ହଜାର ୬୯୦ଟଙ୍କାର ସମ୍ପତ୍ତି ଚୋର ଚୋରି କରି ନେଇଥିଲେ। ୪୭କୋଟି ୬୮ଲକ୍ଷ ୬୩ହଜାର ଟଙ୍କାର ସମ୍ପତ୍ତି ସିନ୍ଧିଚୋର ନେଇଥିଲେ। ସେହିଭଳି ୧୪କୋଟି ୮୩ଲକ୍ଷ ୯୪ହଜାର ଲୁଣ୍ଠନ ଏବଂ ୧୦କୋଟି ୩୦ଲକ୍ଷ ଟଙ୍କାର ସମ୍ପତ୍ତି ଡକାୟତି ନେଇଛନ୍ତି। ତେବ‌େ ପୁଲିସ ଚୋରିରୁ ୨୬କୋଟି ୭୨ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଥିବା ବେଳେ ସିନ୍ଧିଚୋରିରୁ ୭ କୋଟି ସାଢ଼େ ୩୭ଲକ୍ଷ, ଲୁଣ୍ଠନରୁ ୬କୋଟି ୩୭ଲକ୍ଷ ଏବଂ ଡକାୟତିରୁ ୩କୋଟି ସାଢ଼େ ୮୨ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି।

ସମ୍ବନ୍ଧିତ ଖବର