ସମ୍ବଲପୁର : ବର୍ଷକରେ ସମ୍ବଲପୁରର ୩ ବ୍ୟାଙ୍କ ସମ୍ମୁଖରୁ ଡକାୟତି ହେଲାଣି। ତାହା ପୁଣି ସ୍ପଷ୍ଟ ଦିବାଲୋକରେ ଓ ଟାଉନ୍ ଥାନା ଅଞ୍ଚଳରେ। ଗୁରୁବାର ଦିନ ପ୍ରାୟ ଅଢ଼େଇଟା ସମୟରେ ଟାଉନ୍ ଥାନା ଅନ୍ତର୍ଗତ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖାରେ ଟଙ୍କା ଜମା କରିବାକୁ ଯାଉଥିବା ଷ୍ଟାମ୍ପ ଭେଣ୍ଡର ଘନଶ୍ୟାମ ସୂପକାରଙ୍କଠାରୁ ୩ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ୍କୁ ଲୁଟେରାମାନେ ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ଏହି ଘଟଣାରେ ପୁଲିସ୍ ସିସିଟିଭି ଛାନ୍ ଭିନ୍ କରୁଥିବା ସମୟରେ ୩ଟି ଭିନ୍ନ ଭିନ୍ନ ଟିମ୍ ଗଠନ କରି ଚଢ଼ଉ ଜାରି ରଖିଛି। ମାତ୍ର ଦେଢ଼ ବର୍ଷ ମଧ୍ୟରେ ହୋଇଥିବା ଅନ୍ୟ ୨ ଡକାୟତି ଘଟଣା ପରି ଏଥିରେ ମଧ୍ୟ ଅଭିଯୁକ୍ତ ପୁଲିସ୍ ରାଡାର୍ରୁ ଖସିଯିବା ନେଇ ଆଶଙ୍କା ଦେଖାଦେଇଛି। ତେବେ ଏହି ଘଟଣାର ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଏସ୍ଡିପିଓ ତପନ ମହାନ୍ତି କହିଛନ୍ତି।
ବିଶେଷ କରି ସମ୍ବଲପୁର ସହର ମଧ୍ୟରେ ଅପରାଧୀ ସକ୍ରିୟ ରହିଛନ୍ତି। ହତ୍ୟା ହେଉ କି ଲୁଣ୍ଠନ ବିଶେଷ କରି ସହର କେନ୍ଦ୍ରରେ ହିଁ ଘଟୁଥିବା ଦେଖିବାକୁ ମିଳିଛି। ତାହା ପୁଣି ସମ୍ବଲପୁର ଏସ୍ପିଙ୍କ କାର୍ଯ୍ୟାଳୟରୁ ୧ କିମି ପରିଧି ମଧ୍ୟରେ। ସେପଟେ, ପ୍ରାୟ ସମସ୍ତ ଅପରାଧର ସିସିଟିଭି ଫୁଟେଜ୍ ରହିଥିଲେ ହେଁ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍ ବିଫଳ ରହିଛି। ୨୦୧୯ ମସିହାରେ ଟାଉନ୍ ଥାନା ଅନ୍ତର୍ଗତ ସମବାୟ ବ୍ୟାଙ୍କ୍କୁ ଧାନ ବିକ୍ରି ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ଶାସନର ଜଣେ ବ୍ୟବସାୟୀଙ୍କୁ ୨ ଜଣ ଲୁଟେରା ଚକ୍ମା ଦେଇ ନଗଦ ୨ ଲକ୍ଷ ଟଙ୍କା ଲୁଟ୍ କରିନେଇଥିଲେ। ଏହି ଘଟଣାର କିଛି ମାସ ବ୍ୟବଧାନରେ ତତ୍କାଳୀନ ଏସ୍ପି ସଞ୍ଜୀବ ଅରୋରାଙ୍କ ସମୟରେ ସାରା ସହରରେ ସିସିଟିଭି ଲାଗିଥିଲା। ଜୁନ୍ ୪ ତାରିଖରେ ଏସ୍ପି ଏହି ସିସିଟିଭି ଉଦ୍ଘାଟନ କରିବାର କିଛି ସମୟ ପରେ ଅର୍ଥାତ୍ ଦିନ ପ୍ରାୟ ୩ଟାରେ କାନାଡା ବ୍ୟାଙ୍କ୍ ସମ୍ମୁଖରୁ ୨ ଜଣ ଲୁଟେରା ଜଣେ ବ୍ୟକ୍ତିଙ୍କଠାରୁ ନଗଦ ୭୧ ହଜାର ଟଙ୍କା ଲୁଟ୍ କରିନେଇଥିଲେ। ଏହି ଘଟଣାର ପ୍ରାୟ ୧ ବର୍ଷ ପରେ ଅର୍ଥାତ୍ ଗତ ଗୁରୁବାର ଏସ୍ବିଆଇ ସମ୍ମୁଖରୁ ପୁଣି ଟଙ୍କା ବ୍ୟାଗ୍ ଲୁଟ୍ ହୋଇଛି। ବାରମ୍ବାର ବ୍ୟାଙ୍କ୍ ସମ୍ମୁଖରୁ ଲୁଟ୍ ହେଉଥିବା ସତ୍ତ୍ବେ ଅପରାଧୀ ଧରାନପଡ଼ିବା ପୁଲିସ୍ର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।