ସମ୍ବଲପୁର : ଏଟିଏମ୍ ଭିତରୁ ଟଙ୍କା କାଢ଼ିବା ବେଳେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ବହୁତ ରହୁଛି। ଅନ୍ୟପଟେ ଅନେକ ଏଟିଏମ୍ ନିକଟରେ ସିକ୍ୟୁରିଟି ରହୁ ନଥିବାରୁ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଗତ ବୁଧବାର ସନ୍ଧ୍ୟାରେ ବୀର କିଶୋର କର ଭିଏସ୍ଏସ୍ ମାର୍ଗରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ର ଏଡିବି ଶାଖା ଏଟିଏମ୍ରୁ ଟଙ୍କା ଉଠାଇବାକୁ ଯାଇଥିଲେ। ସେ ଟଙ୍କା ଉଠାଇ ଘରକୁ ଫେରିଲେ। ଗୁରୁବାର ସକାଳୁ ଉଠି ମୋବାଇଲ୍ ଦେଖିବା ବେଳକୁ ତାଙ୍କ ଆକାଉଣ୍ଟରୁ ଅଧିକ ଥର ଟଙ୍କା କଟିଥିବାର ମେସେଜ୍ ଦେଖିଲେ। ସେ ଏ ନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ପୁଲିସ ଉକ୍ତ ଏଟିଏମ୍ରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଭିଡିଓ ଦେଖିବା ପରେ ଜଣେ ଯୁବକ ଚଞ୍ଚକତା କରି ବୀର କିଶୋରଙ୍କ ଏଟିଏମ୍ କାର୍ଡକୁ ଚେଞ୍ଜ କରିଦେଇଥିବା ଜଣାପଡ଼ିଥିଲା। ବୀର କିଶୋରଙ୍କ ପଛପଟେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକ ଏହି କାରସାଦି କରିଥିଲେ। ବୀର କିଶୋର ଟଙ୍କା ଉଠାଇ ଗଣିବା ସମୟରେ ଉକ୍ତ ଯୁବକ ଜଣକ ଚତୁରତାର ସହ ତାଙ୍କ ଏଟିଏମ୍ କାର୍ଡକୁ ବାହାର କରି ଆଉ ଏକ ଏଟିଏମ୍ କାର୍ଡ ଭର୍ତ୍ତି କରି ଦେଇଥିଲା। ଟଙ୍କା ଗଣିସାରିବା ପରେ ନିଜ ଏଟିଏମ୍ କାର୍ଡ ଭାବି ବୀର କିଶୋର ଅନ୍ୟ ଏଟିଏମ୍ କାର୍ଡଟି ଧରି ଘରକୁ ଫେରି ଆସିଥିଲେ। ଏହାପରେ ଉକ୍ତ ଯୁବକ ଜଣକ ତାଙ୍କ ଆକାଉଣ୍ଟରୁ ୨ ଥର କରି ଟଙ୍କା ଉଠାଇଥିଲା। ପ୍ରଥମ ଥର ୨୪ ହଜାର ଟଙ୍କା ଓ ଦ୍ବିତୀୟ ଥର ୯ ହଜାର ୫ ଶହ କରି ମୋଟ ୩୩ ହଜାର ୫ ଶହ ଟଙ୍କା ଉଠାଇ ନେଇଥିଲା। ଏହା ଜାଣିବା ପରେ ବୀର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ତଦନ୍ତ ଜାରି ରଖିଥିବା କହିଛି।