ଖଇରା: ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଘରେ ପଶିଲେ ଦୁର୍ବୃତ୍ତ। ଆଉ ବନ୍ଧୁକ ଓ ଭୁଜାଲି ଦେଖାଇ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା, ଏଟିଏମ୍ କାର୍ଡ, ମୋବାଇଲ୍ ସହ ନଗଦ ୧୫ ହଜାର ଟଙ୍କା ଲୁଟିନେଲେ। ଖଇରା ଥାନା ନନ୍ଦୁରୁ ପଞ୍ଚାୟତ ବ୍ରହ୍ମଚାରୀ ଗାଁରେ ଘଟିଥିବା ଏହି ସଶସ୍ତ୍ର ଡକାୟତି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢେ ୧୨ଟା ସମୟରେ ବ୍ରହ୍ମଚାରୀ ଗ୍ରାମର ଯଦୁନାଥ ବେହେରାଙ୍କ ଘରେ ୧୨ରୁ ୧୫ ଜଣ ଡକାୟତ ଗ୍ରିଲ୍ ଭାଙ୍ଗି ଘର ଭିତରେ ପଶିଥିଲେ। ସମସ୍ତେ ମୁହଁରେ ଗାମୁଛା ବାନ୍ଧିଥିଲେ। ଯଦୁନାଥଙ୍କ ସହ ଘରେ ତାଙ୍କ ସ୍ତ୍ରୀ, ସାନପୁଅ ବସନ୍ତ ଓ ବୋହୂ ବନଲତା ଥିବାବେଳେ ଡକାୟତମାନେ ସମସ୍ତଙ୍କୁ ବନ୍ଧୁକ, ଭୁଜାଲି ମୁନରେ ଭୟଭୀତ କରି ପ୍ଲାଷ୍ଟିକ୍ ଦଉଡ଼ିରେ ବାନ୍ଧି ପକାଇଥିଲେ। ପାଟି କଲେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ପରେ ସେମାନେ ଗଡରେଜ୍ ଆଲମିରାରୁ ୬ଟି ସୁନାମୁଦି, ୨ଟି ଚେନ୍, ୩ଟି କାନଫୁଲ, ମଙ୍ଗଳସୂତ୍ର, ହାର, ରୁପା ଅଳଙ୍କାର ସହିତ ଏଟିଏମ୍ କାର୍ଡ, ମୋବାଇଲ ଓ ନଗଦ ୧୫ ହଜାର ଟଙ୍କା ଲୁଟି ନେଇ ସେଠାରୁ ଚମ୍ପଟ୍ ମାରିଥିଲେ। ଏ ନେଇ ଗୃହକର୍ତ୍ତା ଯଦୁନାଥ ଖଇରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ଆଜି ନୀଳଗିରି ଏସ୍ଡିପିଓ ଅମୂଲ୍ୟ କୁମାର ଧର, ଥାନା ଆଇଆଇସି ସୁବ୍ରତ ବେହେରା, ଫରେନସିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଡକାୟତମାନଙ୍କ ସଂପର୍କରେ କୌଣସି ସନ୍ଧାନ ମିଳିନଥିଲା।
ଯଦୁନାଥଙ୍କ ଯେଉଁ ଘରୁ ଡକାୟତି ହୋଇଛି ତାହା ଗାଁଠାରୁ ପ୍ରାୟ ଅଧ କିଲୋମିଟର ଦୂର। ସେଠାରେ ନୂଆ ଘର କରି ଯଦୁନାଥ ତାଙ୍କ ପତ୍ନୀ, ସାନପୁଅ ଓ ବୋହୂ ସହ ରହୁଥିଲେ। ଗାଁର ପୁରୁଣା ଘରେ ଯଦୁନାଥଙ୍କ ବଡ଼ପୁଅ ରହୁଛନ୍ତି। ନୂଆଘରଟି ନିଛାଟିଆ ସ୍ଥାନ ଏବଂ ପାଖରେ ଅନ୍ୟ କୌଣସି ଘର ନ ଥିବାରୁ ଦୁର୍ବୃତ୍ତମାନେ ଯଦୁନାଥଙ୍କ ଘରକୁ ଟାର୍ଗେଟ୍ କରିଥିବା କୁହାଯାଉଛି। ତେବେ ଗୃହକର୍ତ୍ତାଙ୍କ ଅଭିଯୋଗ ଅନୁସାରେ, ୧୨ରୁ ୧୫ ଡକାୟତ ଲୁଟପାଟ୍ରେ ସଂପୃକ୍ତ ଥିବାବେଳେ ପୁଲିସ ଏହାକୁ ଅସ୍ବୀକାର କରି ଏତେ ଲୋକ ସଂପୃକ୍ତ ନଥିବା କହିଛି। ତଥାପି ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଖୁବଶୀଘ୍ର ଡକାୟତଙ୍କୁ ଧରାଯିବ ବୋଲି ଖଇରା ଥାନା ଆଇଆଇସି ଶ୍ରୀ ବେହେରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/chain-loot.jpg)