୨ ବ୍ୟାଙ୍କରୁ ୧୯ ଲକ୍ଷ ଲୁଟିଲେ

ବାଲେଶ୍ବରରେ ୧୪ ଲକ୍ଷ, ପୁରୀରେ ୫ ଲକ୍ଷ ଟଙ୍କା

ରୁପ୍‌ସା/ବସ୍ତା/ପୁରୀ : ଶୁକ୍ରବାର ଦିନ ଦୁଇଟି ବ୍ୟାଙ୍କରେ ବଡ଼ଧରଣର ଡକାୟତି ଘଟିଛି। ସ୍ପଷ୍ଟ ଦିବାଲୋକରେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଛକଠାରେ ଥିବା ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ୧୩ଜଣ ଦୁର୍ବୃତ୍ତ ପଶି ପ୍ରାୟ ୧୪ ଲକ୍ଷ ଟଙ୍କା ଓ ଜଣେ ଗ୍ରାହକଙ୍କଠାରୁ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିଭଳି, ପୁରୀର ୟୁକୋ ବ୍ୟାଙ୍କ ପରିସରରୁ ଜଣେ ଜମାକାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୩ ଦୁର୍ବୃତ୍ତ।

ଶୁକ୍ରବାର ଦିନ ପ୍ରାୟ ୨ଟା୧୫ରେ ଦୁର୍ବୃତ୍ତ ମାନେ ଗୋଟିଏ ବୋଲେରୋ ଓ ଦୁଇଟି ବାଇକ୍‌ରେ ଆସି ‌ବରୁଣଗଡ଼ିଆସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ବ୍ୟାଙ୍କ ଭିତରକୁ ପଶିଥିବାବେଳେ ଅନ୍ୟମାନେ ବାହାରେ ରହିଥିଲେ। କେହି କିଛି ବୁଝିବା ଆଗରୁ ବ୍ୟାଙ୍କ ଭିତରେ ପଶିଥିବା ଦୁର୍ବୃତ୍ତମାନେ ପ୍ରଥମେ ସିସିଟିଭିଗୁଡ଼ିକର ତାର ସବୁ କାଟି ଦେଇଥିଲେ। ପରେ ସେମାନେ ଗ୍ରାହକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ। ବ୍ୟାଙ୍କ ମ୍ୟାନେଜର ତ୍ରିଦେବ ଭୂୟାଁଙ୍କୁ ତାଙ୍କ ଚାମ୍ବରରୁ ବାହାର କରିବା ସହ ସେଠାରେ ସମସ୍ତ ଗ୍ରାହକଙ୍କୁ ପୂରାଇ କବାଟ
ବନ୍ଦ କରିଦେଇଥିଲେ। କେହି ପାଟିକଲେ ଗୁଳିରେ ଉଡ଼ାଇ ଦେବୁ ବୋଲି କହି ବ୍ୟାଙ୍କ ମ୍ୟାନେଜର ଶ୍ରୀ ଭୂୟାଁ ଓ ଅନ୍ୟ କର୍ମଚାରୀଙ୍କୁ ବାନ୍ଧି ପକାଇଥିଲେ। ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କ ପାଖରୁ ମୋବାଇଲ୍‌ ଛଡ଼ାଇ ନେଇଥିଲେ ଦୁର୍ବୃତ୍ତ। କ୍ୟାସିୟର ଶ୍ରୀଧର ଜେନା ଟଙ୍କାଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରି କ୍ୟାସ୍‌ କାଉଣ୍ଟରରେ ଥିବା ଟଙ୍କା ନେଇଯାଇଥିଲେ। ଗଲାବେଳେ ବ୍ୟାଙ୍କ ଫାଟକରେ ତାଲା ପକାଇବା ସହ ଛଡ଼ାଇ ରଖିଥିବା ମୋବାଇଲ୍‌ଗୁଡ଼ିକୁ ସେଠାରେ ଫିଙ୍ଗିଦେଇଥିଲେ। ବସ୍ତା ପୁଲିସ ବ୍ୟାଙ୍କ ସହିତ ସଂଲଗ୍ନ ସବୁ ରାସ୍ତାକୁ ସିଲ୍‌ କରି ଧରପଗଡ଼ ଚଳାଇଛି। ପ୍ରାଥମିକ ଭାବେ ଯାହା ଜଣାପଡ଼ିଛି, ଦୁର୍ବୃତ୍ତମାନେ ବ୍ୟାଙ୍କରୁ ପାଖାପାଖି ୧୪ ଲକ୍ଷ ଟଙ୍କା ସହିତ ଜଣେ ଗ୍ରାହକ ସଂଯୁକ୍ତା ମଣ୍ଡଳଙ୍କଠାରୁ ୬୦ ହଜାର ଟଙ୍କା ନେଇ ଯାଇଛନ୍ତି। ତଦନ୍ତ ପରେ ଲୁଟ୍‌ ହୋଇଥିବା ଟଙ୍କାର ସଠିକ୍‌ ପରିମାଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ, ଶୁକ୍ରବାର ଦିନ ପୁରୀର ଦୁଦୁୱାଲା ଧର୍ମଶାଳାସ୍ଥିତ ୟୁକୋ ବ୍ୟାଙ୍କ ପରିସରରୁ ଗ୍ରାହକଙ୍କ ନିକଟରୁ ଫିଲ୍ମ ଷ୍ଟାଇଲ୍‌ରେ ୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଚନ୍ଦନପୁରରେ ଥିବା ରାଇସ୍‌ମିଲ୍‌ରେ ଶିଉଳିତୋଟା ମାଳିସାହିର ପ୍ରସନ୍ନ ନାୟକ(୪୨) ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ଆଜି ସେ ତାଙ୍କ ମିଲ୍‌ର ପ୍ରାୟ ୫ ଲକ୍ଷ ଟଙ୍କା ଦୁଦୁୱାଲା ଧର୍ମଶାଳାରେ ଥିବା ୟୁକୋ ବ୍ୟାଙ୍କକୁ ଜମା କରିବାକୁ ଆସିଥିଲେ। ଅପରାହ୍ନ ୧ଟା ୧୧ମିନିଟ୍‌ ସମୟରେ ଲୁଟେରା ଗ୍ୟାଙ୍ଗ୍‌ର ଜଣେ ଯୁବକ ବ୍ୟାଙ୍କର ଚଟାଣରେ କିଛି ଟଙ୍କା ଫିଙ୍ଗିଦେଇ ପ୍ରସନ୍ନଙ୍କୁ ସମ୍ବୋଧନ କରି ତୁମ ଟଙ୍କା ପଡ଼ିଛି ବୋଲି କହିଥିଲା। ଯୁବକଙ୍କ କଥା ଶୁଣି ପ୍ରସନ୍ନ ତଳକୁ ଚାହିଁ ଏହାକୁ ଗୋଟାଇବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଟଙ୍କା ବ୍ୟାଗ୍‌ଟିକୁ ନେଇ ଚମ୍ପଟ ମାରିଥିଲେ। ଏହା ପ୍ରସନ୍ନ ଜାଣିବା ପରେ ଦୁର୍ବୃତ୍ତମାନଙ୍କୁ ଚାରିଆଡ଼େ ଖୋଜାଖୋଜି କରିବା ପରେ ଏନେଇ ଟାଉନ ଥାନାକୁ ଖବର ଦେଇଥିଲେ। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସି କ୍ୟାମେରାର ଫୁଟେଜ୍‌କୁ ସଂଗ୍ରହ କରିଥିଲା। ତିନି ଜଣ ଦୁର୍ବୃତ୍ତ ଏହି ଗ୍ୟାଙ୍ଗ୍‌ରେ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଧରିବା ପାଇଁ ପୁଲିସ ଚାରିଆଡ଼େ ଜାଲ ବିଛାଇଛି।

ସମ୍ବନ୍ଧିତ ଖବର