ନୀଳଗିରି/ରାଜବରହମପୁର : ବାଲେଶ୍ବରରେ ଆଇନଶୃଙ୍ଖଳା ବିଗିଡ଼ିଯାଇଛି। ଆଉ ଡରୁନାହାନ୍ତି ଅପରାଧୀ। ଦିନ ଦ୍ବିପ୍ରହରରେ ହତ୍ୟା, ଛିନ୍‌ତାଇ, ଲୁଟ୍‌ ଭଳି କାଣ୍ଡ ନିର୍ଭୟରେ ଘଟାଇ ଚାଲିଛନ୍ତି। ଆଜି ନୀଳଗିରି ବ୍ଲକ୍‌ ଜାମୁନାଠାରେ ସେମିତି ଏକ ଘଟଣା ଘଟିଛି। ଲୁଟେରାମାନେ ବନ୍ଧୁକ ଓ ଭୁଜାଲି ଦେଖାଇ କିଓସ୍କ ବ୍ୟାଙ୍କ ଓ ଏଟିଏମ୍‌ରୁ ପାଖାପାଖି ସାଢ଼େ ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି।

Advertisment

ନୀଳଗିରି ବ୍ଲକ୍‌ ପିଠାହତା ପଞ୍ଚାୟତ ୧୯ ନମ୍ବର ରାଜ୍ୟ ରାଜପଥର ଜାମୁନାଠାରେ ଷ୍ଟେଟ୍‌ବ୍ୟାଙ୍କର ଏକ କିଓସ୍କ ଶାଖା ରହିଛି। ଗୁରୁବାର ଦିନ ଏହାର ମାଲିକ ଚନ୍ଦନ କୁମାର ସାହୁ ନୀଳଗିରି ଷ୍ଟେଟ୍‌ବ୍ୟାଙ୍କରୁ ସା‌ଢ଼େ ୩ ଲକ୍ଷ ଟଙ୍କା ନେଇ କିଓସ୍କ ଶାଖାକୁ ଆସିଥିଲେ। ସେଠାରେ ସେ ଦେଢ଼ଲକ୍ଷ ଟଙ୍କା ନେଣଦେଣ ପାଇଁ ରଖି ବାକି ୨ ଲକ୍ଷ ଟଙ୍କା ନିକଟ ଏଟିଏମ୍‌ରେ ଭର୍ତ୍ତି କରିବାକୁ ଯାଇଥିଲେ। ୧୨ଟା ୪୫ ପାଖାପାଖି ସମୟ ହେବ। ହଠାତ୍‌ ନମ୍ବର ନଥିବା ଗୋଟିଏ ଏମ୍‌ଟି, ଗୋଟିଏ ପଲ୍‌ସର ଓ ଗୋଟିଏ ଆପାଚି ବାଇକ୍‌ରେ ୮ ଜଣ ମୁଖାପିନ୍ଧା ଲୁଟେରା ହାତରେ ୩ଟି ବନ୍ଧୁକ ଓ ୩ଟି ଭୁଜାଲି ଧରି ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଗୋଟିଏ ବନ୍ଧୁକ, ଗୋଟିଏ ଭୁଜାଲି ଓ ସ୍ପ୍ରେୟର ଧରି ବ୍ୟାଙ୍କ ଭିତରେ ଏବଂ ୩ ଜଣ ଗୋଟିଏ ବନ୍ଧୁକ ଓ ଗୋଟିଏ ଖଣ୍ଡା ଧରି ଏଟିଏମ୍‌ରେ ଭିତରେ ପଶିଥିଲେ। ଅନ୍ୟଜଣେ ଭୁଜାଲି ସହ ବ୍ୟାଙ୍କ ଓ ଏଟିଏମ୍‌ ବାହାରେ ଜଗିରହିଥିବା ବେଳେ ୨ ଜଣ ବନ୍ଧୁକ ଓ ଖଣ୍ଡା ଧରି ବାଇକ୍‌ ପାଖରେ ଥିଲେ।

ଲୁଟେରାମାନେ ଏଟିମ୍‌ ଭିତରେ ଚନ୍ଦନଙ୍କୁ ବନ୍ଧୁକ ଓ ଖଣ୍ଡା ଦେଖାଇ ଟଙ୍କା ମାଗିଥିଲେ। ସେ ନଦେବାରୁ ନିସ୍ତୁକ ମାଡ଼ ମାରିବା ସହ ଭୁଜାଲିରେ ଆକ୍ରମଣ କରି ଟଙ୍କାତକ ଛଡ଼ାଇ ନେଇଥିଲେ। ସେହିପରି, ବ୍ୟାଙ୍କ ଭିତରେ ଥିବା ଲୁଟେରାମାନେ ବନ୍ଧୁକ ଓ ଖଣ୍ଡା ଦେଖାଇ ୩ ଜଣ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀ ସ୍ନିଗ୍ଧାରାଣୀ ସାହୁ, ମମତା ସାହୁ ଓ ପ୍ରଭାସିନୀ ଖିଲ୍ଲାରଙ୍କୁ ଭୟଭୀତ କରିଥିଲେ। ଫଳରେ, କର୍ମଚାରୀମାନେ କ୍ୟାସ୍‌ କାଉଣ୍ଟରରେ ଥିବା ଦେଢ଼ଲକ୍ଷ ଟଙ୍କା ଲୁଟେରାଙ୍କୁ ଦେଇଦେଇଥିଲେ। ଟଙ୍କା ମିଳିବା ପରେ ସେମାନେ ସେଗୁଡ଼ିକୁ ଧରି ବାଇକ୍‌ରେ ଚମ୍ପଟ ମାରିଥିଲେ।

ଏହିସମୟରେ କିଛି ଲୋକ ଲୁଟେରାଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ। ହେଲେ, ସେମାନେ ଫାଙ୍କା ଗୁଳିଚାଳନା କରି ୧୯ ନଂ. ରାଜ୍ୟ ରାଜପଥର ଶେରଗଡ଼-ଉଦଳା ରାସ୍ତାରେ ପଳାଇଯାଇଥିଲେ। ସ୍ଥାନୀୟ କିଛି ଯୁବକ ଲୁଟେରାଙ୍କ ପିଛା କରିଥିଲେ ମଧ୍ୟ ଫଳ ମିଳି ନଥିଲା।

ଘଟଣା ସମ୍ପର୍କରେ ଖବର ପାଇ ବରହମପୁର ଥାନା ଓଆଇସି ହେମନ୍ତ କୁମାର ମାଝୀ, ଏଏସ୍‌ଆଇ ବବି ମିଶ୍ର, କଳ୍ପତରୁ ସାହୁ ଓ ହାବିଲଦାର ରତିକାନ୍ତ ସ୍ବାଇଁ ସନ୍ଧାନୀ କୁକୁର ଟିମ୍‌ ସହ ବ୍ୟାଙ୍କରେ ପହଞ୍ଚି ତଦନ୍ତ କରିଥିଲେ। ‌ସେହିପରି କପ୍ତିପଦା ଥାନା ପୁଲିସ ମଧ୍ୟ ବିଭିନ୍ନ ରାସ୍ତା ସିଲ୍‌ କରି ଗାଡ଼ିମୋଟର ଯାଞ୍ଚ କରିଥିଲା। ତଦନ୍ତ ବେଳେ ଖୋଖା ସହ ଗୋଟିଏ ଭୁଜାଲି ଓ ଗୋଟିଏ ସ୍ପ୍ରେୟର ଏବଂ ଏଟିଏମ୍‌ରୁ ୮ ହଜାର ଟଙ୍କା ଜବତ ହୋଇଛି। ତେବେ ଉକ୍ତ ଟଙ୍କା ଆଜିର କି ପୂର୍ବରୁ ଏଟିଏମ୍‌ରେ ଥିଲା, ସେନେଇ ଜଣାପଡ଼ି ନାହିଁ। ସେହିପରି ଲୁଟ୍‌ ବେଳର ସିସିଟିଭି ଫୁଟେଜ୍‌ ମଧ୍ୟ ମିଳିଛି। ଯାହାକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିବା‌ ଜଣାପଡ଼ିଛି।