ଗରଦପୁର : ହନୁମାନ ପଇସା ଲୋଭ ଦେଖାଇ ଜଣେ ଯୁବ ବ୍ୟବସାୟୀଙ୍କଠାରୁ ଠକମାନେ ୧୨ ଲକ୍ଷ ଟଙ୍କା ଠକିନେଇଛନ୍ତି। ବଦଳରେ କାଗଜବିଡ଼ା ଧରାଇଛନ୍ତି। ଏ ସମ୍ପର୍କରେ ଗୁରୁବାର ପାଟକୁରା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପାଟକୁରା ଥାନା ଅନ୍ତର୍ଗତ ବିଚଣା ଗ୍ରାମର ବଳରାମ ବେହେରା ପାରାଦୀପରେ ଟ୍ରଲର୍‌ ବ୍ୟବସାୟ କରନ୍ତି। ବଳରାମ ନେହରୁ ବଙ୍ଗଳା ନିକଟରେ ଘରଭଡ଼ା ନେଇ ବ୍ୟବସାୟ ଦେଖାଶୁଣା କରନ୍ତି। ତାଙ୍କ ଭଡ଼ାଘର ନିକଟରେ ଏରସମା ଅଂଚଳର ସରୋଜ ଗିରି ଏକ ପାନ ଦୋକାନ କରିଛନ୍ତି। ବଳରାମ ଓ ସରୋଜଙ୍କ ମଧ୍ୟରେ କିଛି ବର୍ଷ ହେଲା ବନ୍ଧୁତ୍ବ ରହି ଆସିଛି। ଏହି ସମ୍ପର୍କର ସୁଯୋଗ ନେଇ ସରୋଜ ଅନେକ ସମୟରେ ହନୁମାନ ପଇସା କିଣିବା ପାଇଁ ବଳରାମଙ୍କୁ ପ୍ରବର୍ତ୍ତାଇ ଆସୁଥିଲେ। କିଛିଦିନ ଏହି କସରତ ଚାଲିବା ପରେ ସରୋଜଙ୍କ କଥାରେ ସମ୍ମତି ପ୍ରକାଶ କରି ହନୁମାନ ପଇସା କିଣିବା ପାଇଁ ବଳରାମ ପ୍ରସ୍ତୁତ ହୋଇଗଲେ। ଯୋଜନା ମୁତାବକ ଗତ ମଙ୍ଗଳବାର ଦିନ କାର୍‌ରେ ସରୋଜଙ୍କୁ ସାଙ୍ଗରେ ନେଇ ବଳରାମ ଏକ ବ୍ୟାଗ୍‌‌ରେ ନଗଦ ୧୨ ଲକ୍ଷ ଟଙ୍କା ଧରି ଚଣ୍ତିଖୋଲ ଯାଇଥିଲେ। ସରୋଜ ଡାକିଥିବା ଦୁଇ ଜଣ ଠକ ହନୁମାନ ପଇସା କ୍ରୟ ବିକୟ ପାଇଁ ସେଠାରେ ପୂର୍ବରୁ ପହଞ୍ଚି ସାରିଥିଲେ। ଠକଙ୍କ ମଧ୍ୟରୁ ଜଣେ କାର୍‌ ଭିତରେ ବଳରାମଙ୍କ ପାଖରେ ବସି ହନୁମାନ ପଇସା ଦେଣନେଣ ବାବଦରେ କଥାବାର୍ତ୍ତା ହୋଇ ମୂଲଚାଲ କରିଥିଲେ। ହନୁମାନ ପଇସା ପାଖରେ ରଖିଲେ କିଭଳି ସୌଭାଗ୍ୟବାନ ହୁଅନ୍ତି ଏବଂ କିପରି କୋଟିପତି ହୁଅନ୍ତି ଏ ସମ୍ପର୍କରେ ଠକଜଣକ ବଳରାମଙ୍କୁ ବୁଝାଇଥିଲେ।

ଏହି ସମୟରେ କୌଶଳକ୍ରମେ ସରୋଜଙ୍କ ବ୍ୟାଗ୍‌ ଭଳି ଅନ୍ୟ ଏକ ବ୍ୟାଗ୍ ସେଠାରେ ରଖି ଦେଇଥିଲେ। ସରୋଜଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଟଙ୍କା ବ୍ୟାଗଟିକୁ ବାହାରେ ଥିବା ଠକ ଜଣଙ୍କ କାର୍‌ ଭିତରୁ ନେଇଯାଇଥିଲେ। ‘ହନୁମାନ ପଇସା ଏଇଠୁ ଆଣି ଆପଣଙ୍କୁ ଦେଉଛି’ ବୋଲି କହି ଠକ ଜଣଙ୍କ କାର ଭିତରୁ ବାହାରି ଚାଲିଯାଇଥିଲେ। ଦୀର୍ଘସମୟ ଅପେକ୍ଷା କରିବା ପରେ ଠକ ଦୁଇଜଣ ହନୁମାନ ପଇସା ଧରି ଆଉ ନ ଫେରିବାରୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ବଳରାମ ଓ ସରୋଜ ଘରକୁ ଫେରି ଆସିଥିଲେ। ବାଟରେ ଆସି ଦେଖିଲାବେଳକୁ ବ୍ୟାଗରେ ଟଙ୍କା ନାହିଁ। ଟଙ୍କା ବଦଳରେ ୫୦୦ ଟଙ୍କା ନୋଟ୍‌ ଆକାରର ସାଧା କାଗଜ ବିଡ଼ା ରହିଥିବା ଦେଖିବାକୁ ପାଇଥିଲେ। ଏ ନେଇ ବଳରାମ ଗତକାଲି ରାତିରେ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି।