ଆନନ୍ଦପୁରରେ ମାତିଲେ ଲୁଟେରା : ଗୁଳି ଫୁଟାଇ ଲୁଟିଲେ, ବ୍ୟବସାୟୀ ଗୁରୁତର

ଆନନ୍ଦପୁର : ଦିନଦ୍ୱିପ୍ରହରରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ ମାତିଲେ ଲୁଟେରା। ବିଚ୍ ରାସ୍ତାରେ ଗୁଳି ଫୁଟାଇ ଯୁବ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କଠାରୁ ସୁନାଚେନ୍ ଲୁଟି ନେଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟବସାୟୀ ଆନନ୍ଦପୁର ପୌରାଞ୍ଚଳ ପଦ୍ମପୁରର ରାମଚନ୍ଦ୍ର ସାହୁ (୪୫) ଗୁରୁତର ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ରାମଚନ୍ଦ୍ର, ପତ୍ନୀ ଓ ଦୁଇପିଲାଙ୍କୁ ବାଇକ୍‌ରେ ନେଇ ଆଜି ଅପରାହ୍‌ଣ ସାଢ଼େ ୪ଟା‌ବେଳେ ଆନନ୍ଦପୁରରୁ ନିଜ ଘରକୁ ଯାଉଥିଲେ। ଆନନ୍ଦପୁର ବ୍ୟାରେଜ୍ ନିକଟରେ ପଛରୁ ଏକ ବାଇକ୍‌ରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ପଦ୍ମପୁର ଛକରେ ତାଙ୍କୁ ବନ୍ଧୁକ ଓ ଖଣ୍ଡା ଦେଖାଇ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ତାଙ୍କ ପତ୍ନୀଙ୍କ ବେକରୁ ଦୁଇଭରି ଓଜନର ଏକ ସୁନାଚେନ୍ ଲୁଟି ନେଇଥିଲେ। ରାମଚନ୍ଦ୍ର ଅଟକାଇବାକୁ ଉଦ୍ୟମ କରିବାବେଳେ ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହିତ ତାଙ୍କ ମୁଣ୍ଡକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସେ ରକ୍ତାକ୍ତ ହୋଇ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ‌କୋଡ଼ପଡ଼ା ଆଡକୁ ‌ଆଖିପିଛୁଳାକେ ଫେରାର ହୋଇ ଯାଇଥିଲେ। ରାମଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ କୌଣସି ସନ୍ଧାନ ମିଳିନାହିଁ। ଦୀର୍ଘଦିନର ବ୍ୟବଧାନ ପରେ ଆନନ୍ଦପୁର ଅଞ୍ଚଳରେ ଗୁଳି ଫୁଟିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର