ରାଉରକେଲା: କଲୁଙ୍ଗା ବେଲ୍‌ଡିହିସ୍ଥ ବନ୍ଦ ପଡିଥିବା ରାଜଶ୍ରୀ ଆଲଏଜ୍‌ ଆଣ୍ଡ ଷ୍ଟିଲ କାରଖାନାରେ ପଶି ଲୁଟ୍‌ କରିବା ଘଟଣାରେ ବ୍ରାହ୍ମଣୀତରଙ୍ଗ ପୁଲିସ ଆଜି ୭ ଚୋରଙ୍କୁ ଗିରଫ କରିଛି। ଗିରଫ ଚୋରମାନେ ହେଲେ ବୀରମିତ୍ରପୁରରା ଅମିତ ତିର୍କୀ (୨୫), ରୋହିତ ଖେସ୍‌ (୨୩), ବ୍ରାହ୍ମଣୀତରଙ୍ଗ ଥାନା ମାରଙ୍ଗପିଡ଼ିର ଗୋଇଣ୍ଡା ଓରଫ ସୁରଜ ଓରାମ (୨୬), ଭାଲୁପାତ୍ରାର ରୋନି ଓରଫ ରନାଇ ଏକ୍କା (୨୫), ମାରଙ୍ଗପିଡ଼ିର ଡମୁ ବାରୱା (୨୪), ବ୍ରାହ୍ମଣୀତରଙ୍ଗ ଜୁନା ବଲଣ୍ଡାର ଅଜିତ କିସାନ, ମାଣ୍ଡିଆକୁଦରର ନବୀନ ଲାକ୍ରା (୨୨)। ଏାନଙ୍କ ନିକଟରୁ ପୁଲିସ ୪ ଲକ୍ଷ ଟଙ୍କାର ତମ୍ବା ତାର (୪୦୦ କେଜି), ନମ୍ବରବିହୀନ ଟାଟା ଏସିଇ, ବିନା ପଞ୍ଜିକୃତ ଟିଭିଏସ୍‌ ଆପାଚି ମୋଟରବାଇକ୍, ଗ୍ୟାସ୍‌ କଟର,  ଅକ୍ସିଜେନ୍‌ ସିଲିଣ୍ଡର, ଟିଭିଏସ୍‌ ମୋଟରବାଇକ୍ ଜବତ ହୋଇଛି। ଗିରଫ ୭ ଚୋରମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଗତ ୫ ତାରିଖ ରାତିରେ ଗିରଫ ୭ ଚୋର ଜବତ ଟାଟା ଏସସିଇ,  ଦୁଇଟି ମୋଟରବାଇକ୍‌ରେ ବେଲ୍‌ଡିହିସ୍ଥ ରାଜଶ୍ରୀ ଆଲୟଜ ଆଣ୍ଡ ଷ୍ଟିଲ କାରଖାନା ଗେଟ୍‌ ପାଖରେ ପହଞ୍ଚିଥିଲେ।

Advertisment

ସୁରକ୍ଷା ଦାୟିତ୍ବ ଥିବା ସିକ୍ୟୁରିଟି ଗାର୍ଡକୁ ଧମକଚମକ ଦେଇଥିଲେ। ସିକ୍ୟୁରିଟି ରୁମ୍‌ ଭିତରେ ବାନ୍ଧି ବସାଇ ଦେଇଥିଲେ। ୨/୩ ଜଣ ଚୋର କାରଖାନା ଗେଟ୍‌ ସମ୍ମୁଖରେ ଛିଡା ହୋଇଥିଲେ। ଅନ୍ୟମାନେ କାରଖାନା ଭିତରକୁ ପଶିଥିଲେ। ଗ୍ୟାସ୍‌ କଟର ବ୍ୟବହାର କରି ତମ୍ବାଗୁଡ଼ିକୁ କାଟି ଏକାଠି କରିଥିଲେ। ଶେଷରେ ତମ୍ବାତାରକୁ ସାଙ୍ଗରେ ନେଇଯାଇଥିବା ଟାଟା ଏଇସିଇରେ ବୋଝେଇ କରି  କାରଖାନାରୁ ଚମ୍ପଟ ମାରିଥିଲେ। ପରଦିନ କାରଖାନା ମାଲିକ ନିରଜ ଅଗ୍ରୱାଲ ଏ ସଂକ୍ରାନ୍ତରେ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା  ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଉଲ୍ଲେଖଯୋଗ୍ୟ, କଲୁଙ୍ଗା ଶିଳ୍ପାଞ୍ଚଳରେ ବହୁ କାରଖାନା ବନ୍ଦ ପଡିଛି। ଚୋରଗ୍ୟାଙ୍ଗ ଏସବୁ କାରଖାନାକୁ ଟାର୍ଗେଟ କରୁଛନ୍ତି। ଦିନରେ କାରଖାନାକୁ ଚିହ୍ନଟ କରୁଛନ୍ତି। ଯୋଜନା ମୁତାବକ ରାତିରେ ଏସବୁ କାରଖାନାକୁ ପଶି ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, ତମ୍ବାତାର, ବୈଦ୍ୟୁତିକ ଯନ୍ତ୍ରପାତି ଆଦି ଚୋରି କରି ଫେରାର ହୋଇଯାଉଛନ୍ତି। ବିଗତ ଦିନରେ  କାରଖାନାରୁ ଚୋରି କରିବାରେ ଘଟଣାରେ ବ୍ରାହ୍ମଣୀତରଙ୍ଗ ପୁଲିସ ଅନେକ ଚୋରଙ୍କୁ ବାନ୍ଧି ଜେଲ୍‌ ହାଜତକୁ ପଠାଇଛି। ତଥାପି  କଲୁଙ୍ଗା ଶିଳ୍ପାଞ୍ଚଳରେ ଚୋରି କମୁନି। ସ୍ଥାନୀୟ ପୁଲିସ ଓ ଫାଣ୍ଡି ରାତ୍ରୀକାଳୀନ ‌ପେଟ୍ରୋଲିଂକୁ କଡାକଡି କରିବାକୁ କାରଖାନା ମାଲିକମାନେ ଦାବି କରିଛନ୍ତି।