ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ପୁଣି ଚୋରି ଆତଙ୍କ। ଦୁର୍ବୃତ୍ତମାନେ ଦିନ ଦ୍ବିପହରରେ ଜନଗହଳି ଥିବା ସଦର ପାତ୍ରସାହିର ଅଭିନ ପାତ୍ରଙ୍କ ଘରେ ପଶି କଳାକନା ବୁଲାଇଛନ୍ତି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସୋମବାର ଦ୍ବିପହରରେ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରିକରି ନେଇ ଯାଇଛନ୍ତି। ଏ ନେଇ ଘର ମାଲିକ ଅଭିଁ ପାତ୍ର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମଙ୍ଗଳବାର ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଦଳ ତଦନ୍ତ କରି ଫେରିଛନ୍ତି।
ସୂଚନା ଅନୁଯାୟୀ ଡାବୁଗାଁ ସଦର ପାତ୍ରସାହିର ଅଭିନ ପାତ୍ରଙ୍କ ପରିବାର ନିଜ ସମ୍ପର୍କୀୟ ଘରେ ସୋମବାର ସକାଳେ ସପରିବାର ଘରେ ତାଲା ପକାଇ ଛତିଶଗଡ଼ର ଜଗଦଲପୁର ଯାଇଥିଲେ। କାର୍ଯ୍ୟ ସରିବା ପରେ ରାତ୍ର ସାଢେ଼ ୭ ଘଣ୍ଟ ସମୟରେ ସପରିବାର ଘର କୁ ଫେରିଥିଲେ। ତେବେ ଘରର ସମ୍ମୁଖ କବାଟ ତାଲା ଭାଙ୍ଗିବା ପରେ ଦୁର୍ବୃତ୍ତମାନେ ଘର ଭିତରେ ପଶି ଗୋଡରେଜ ଓ ଆଲମିରା ତାଲା ଭାଙ୍ଗି ସେଥି ମଧ୍ୟରୁ ୪ଟି ସୁନା ହାର, ୧୨ ଖଣ୍ଡ ସୁନା ମୁଦି, ୨୫୦ ଗ୍ରାମ ରୂପା ଗହଣା ସହ ନଗଦ ୧୦ ହଜାର ଟଙ୍କା ନେଇ ଯାଇଥିବା ଜଣା ପଡିଥିଲା। ଦିନ ଦ୍ବିପହରରେ ଘର କବାଟ ଭାଙ୍ଗି ଏପରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ।
ଏ ନେଇ ଅଭିନ ପାତ୍ର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଏସ ଆଇ ବିଜୁରାମ ବାଘ ଘଟଣାର ତଦନ୍ତ କରୁଛନ୍ତି। ସନ୍ଧାନୀ କୁକୁର ସହ ସାଇନ୍ଟି ଫିକ ଦଳ ଆସି ତଦନ୍ତ କରିଥିବା ବେଳେ ଡାବୁଗାଁ ସଦର ନୁଆଗୁଡା ଓ ଭେଲୁଆଗୁଡ଼ାର ତିନି ଯୁବକ ଏଥିରେ ସଂପୃକ୍ତ ଥିବା ଘର ମାଲିକ ଅନୁମାନ କରିବା ସହ ଏତଲାରେ ଦର୍ଶାଇ ଛନ୍ତି। ସୂଚନା ଥାଉ କି ଚଳିତ ନଭେମ୍ବର ମାସ ୨ ତାରିଖରେ ଡାବୁଗାଁ ସାପ୍ତାହିକ ହାଟରେ ଦିନ ଦ୍ବିପହରରେ ଦୁର୍ବୃତ୍ତମାନେ ଏକ ଗୋରୁ ବେପାରୀ ଠାରୁ ୨୮ ଲକ୍ଷ ଟଙ୍କା ଡକାୟତ କରିଥିବା ବେଳେ ପୁଣି କିଛି ଦିନର ବ୍ୟେବଧାନ ପରେ ଦିନ ଦ୍ବିପହରରେ ଜନ ଗହଳି ଥିବା ପାତ୍ର ସାହିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି।