ହରିଚନ୍ଦନପୁର : ହରିଚନ୍ଦନପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ଆନନ୍ଦ ଚନ୍ଦ୍ର ସାହୁ ଏବଂ ହରିଚନ୍ଦନପୁର ତଳବଜାରର ତରଣୀସେନ ସାହୁଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି। ଆନନ୍ଦଙ୍କ ଝିଅ ବାହାଘର ପାଇଁ ଥିବା ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ।
/sambad/media/post_attachments/wp-content/uploads/2021/02/loot2.jpg)
ରଘୁନାଥପୁର ଗ୍ରାମର ଆନନ୍ଦ ଏବଂ ତାଙ୍କ ପରିବାରର ସଦସ୍ୟ ୧୩ ତାରିଖରେ ବଡ଼ଝିଅ ଘର ନଳପଙ୍ଗା ଗ୍ରାମକୁ ଶନିଶ୍ଚର ମେଳାରେ ଯୋଗଦେବାକୁ ଯାଇଥିଲେ। ଘରେ ସାନଝିଅର ବାହାଘର ପାଇଁ ଏକ ଟିଣ ବାକ୍ସରେ ୪ ଲକ୍ଷ ୩୦ ହଜାର ଟଙ୍କା, ସୁନା ଚେନ୍, କାନଫୁଲ, ମୁଦି, ଲକେଟ୍ ଆଦି ଥିଲା। ଗତକାଲି ରାତିରେ ପାଖ ଘରେ ବାପାମା' ଓ ଅନ୍ୟ କୋଠରୀରେ ଭାଇମାନେ ଶୋଇଥିଲେ। ଦୁର୍ବୃତ୍ତମାନେ ବାହାର ପଟୁ କବାଟ ବନ୍ଦ କରି ଆନନ୍ଦଙ୍କ ଘରର କବାଟ ଭାଙ୍ଗି ଜିନିଷପତ୍ର ଓ ଟଙ୍କାସୁନା ଥିବା ଟିଣ ବାକ୍ସକୁ ଉଠାଇ ନେଇଥିଲେ। ଟଙ୍କା ଓ ସୁନା ଅଳଙ୍କାର ନେଇ ଗାଁର ବେଡ଼ା ଜମିରେ ଖାଲି ବାକ୍ସକୁ ଫିଙ୍ଗି ଦେଇଥିଲେ। ସେହିପରି ତଳବଜାରର ତରଣୀସେନଙ୍କ ପରିବାର ଲୋକେ ଶୋଇଥିବାବେଳେ ଦୁର୍ବୃତ୍ତମାନେ ବାହାରପଟୁ ବନ୍ଦ କରି ଅନ୍ୟ ଏକ କୋଠରୀରେ ଥିବା ଏକ କାଠ ବାକ୍ସକୁ ଟେକି ନେଇଥିଲେ। ସେଥିରେ ଥିବା ୩ ହଜାର ଟଙ୍କା, ସୁନା କାନଫୁଲ ଓ ଦୁଇଟି ନୂଆ ଶାଢ଼ି ନେଇ ଖାଲି ବାକ୍ସକୁ ବିଲରେ ଫିଙ୍ଗି ଦେଇଥିଲେ। ଏନେଇ ଉଭୟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/loot-2.jpg)