ଯାଜପୁରସଦର : ଯାଜପୁର ଟାଉନ ଥାନା ବୈଦ୍ୟନାଥନଗରରେ ଗତକାଲି ରାତିରେ ସିରିଜ ଚୋରି ହୋଇଛି। ୩ ଜଣଙ୍କ ଘରୁ ଝରକା ଭାଙ୍ଗି ଚୋର କଳାକନା ବୁଲାଇ ଦେଇଛନ୍ତି। ଏ ଘଟଣାରେ ଟାଉନ ପୁଲିସ ସନ୍ଦେହରେ ୫ ଜଣଙ୍କୁ ଅଟକ ରଖିଛି।

Advertisment

publive-image

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୈଦ୍ୟନାଥନଗରର ଅବସରପ୍ରାପ୍ତ ଇଂଜିନିୟର ସରୋଜ ରାଉତ, ପ୍ରମୋଦ କୁମାର ସର ଓ ଗଦାଧର ପତିଙ୍କ ଘରର ଝରକା ଭାଙ୍ଗି ଲୁଟ୍‌ କରିଛନ୍ତି। ସିସିଟିଭି ଫୁଟେଜ ଅନୁସାରେ ରାତି ପ୍ରାୟ ଗୋଟାଏରୁ ୨ଟା ମଧ୍ୟରେ ଚୋର ପ୍ରଥମେ ସରୋଜଙ୍କ ଘ‌ରର ସିସି କ୍ୟାମେରାକୁ ଭାଙ୍ଗିବା ପରେ  ଝରକାକୁ ତାଡ଼ିଦେଇଥିଲେ। ପରେ ଘର ଭିତର ପଟୁ କବାଟ ଦେଇ ଆଲମାରି ଭାଙ୍ଗି ସୁନାଗହଣା ଓ ଟଙ୍କା ନେଇଛନ୍ତି। ସମାନ ଭାବେ ଅନ୍ୟ ଦୁଇଜଣଙ୍କ ଘରୁ ମଧ୍ୟ ଚୋରମାନେ କଳାକନା ବୁଲାଇଛନ୍ତି। ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସେହି ନିକଟରେ ଅସ୍ଥାୟୀ ଭାବେ ରହୁଥିବା ୫ ଜଣ ଯୁବକଙ୍କୁ ଅଟକ ରଖିଛି। ସେମାନେ କୋଲକାତାର ବୋଲି ପରିଚୟ ଦେଇ ସେଠାରେ ରହୁଥିଲେ କିନ୍ତୁ ବାଂଲାଦେଶୀ ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ପୁଲିସର ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରୁଥିବା ବେଳେ ଥାନାଧିକାରୀ ଅଜୟ ଜେନା ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଚୋରି ହୋଇଥିବା ସୁନାଅଳଙ୍କାରର ମୂଲ୍ୟ ଆକଳନ ହୋଇନଥିବା ଜଣାପଡ଼ିଛି। ତୁରନ୍ତ ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହୋଇଛି।