ବେତନଟୀ ସଦର: ଘର ମାଲିକ ବାହାରକୁ ଯାଇ ଥିବା ତଥା କରେଣ୍ଟ ନଥିବାର ସୁଯୋଗ ନେଇ ଲୁଟେରା ଗ୍ରିଲ ଭାଙ୍ଗି ଆଲମିରା ତାଡି ଲୁଟ୍ କରିଛନ୍ତି। ଏଭଳି ଘଟଣା ବୁଧବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ କଦଳିଆ ଗାଁରେ। ଲକ୍ଷାଧିକ ଟଙ୍କାର ସୁନା ରୁପା ଓ ଟଙ୍କା ଲୁଟ କରିଛନ୍ତି ଲୁଟେରା। ଘର ମାଲିକ ଲକ୍ଷ୍ମଣ ମନ୍ତ୍ରୀ ଗତ କାଲିରୁ ବାହାରକୁ ଯାଇଛନ୍ତି।
ସୂଚନା ଅନୁଯାୟୀ ଲକ୍ଷ୍ମଣ ମଙ୍ଗଳବାର ଠାରୁ କୌଣସି କାମ ପାଇଁ ନିଜର ବାଲେଶ୍ୱର ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ତାଙ୍କରେ କଦଳିଆ ଛକସ୍ଥିତ ନିଛାଟିଆ ଜାଗାରେ ଥିବା ଘରେ ତାଲା ପକାଇ ଦେଇଯାଇଥିଲେ ଓ ଗ୍ରାମର ବିକା ସିଂ ନାମକ ବ୍ୟକ୍ତିଙ୍କୁ ରାତିରେ ଘର ଜଗିବାକୁ କହିଯାଇଥିଲେ। ହେଲେ ବୈଶିଙ୍ଗା ଅଞ୍ଚଳରେ ଆଜି ଦ୍ବିପହର ଠାରୁ ବିଦ୍ୟୁତ ସରବରାହ ବନ୍ଦ ଥିବା ବେଳେ ସ୍ଥାନଟି ସମ୍ପୂର୍ଣ ଅନ୍ଧକାରମୟ ଥିଲା ଓ ଯାହାର ସୁଯୋଗ ନେଇ ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଲୁଟେରା ଗ୍ରିଲ କବାଟ ଭାଙ୍ଗି ଘରେ ପଶି ଗଡ଼ରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ନଗଦ ଟଙ୍କା ଲୁଟି ନେଇଥିଲେ। ପରେ ପାଖାପାଖି ୮ଟା ୩୦ରେ ବିକା ସିଂ ଘର ଜଗିବାକୁ ଆସି ଘର ଭିତରୁ କିଛି ଗୋଟେ ଜୋର ଶବ୍ଦ ପାଇ ଭୟରେ ସାଇକେଲ ଛାଡି କଦଳିଆ ଗ୍ରାମକୁ ଯାଇ ଲକ୍ଷ୍ମଣଙ୍କ ଭାଇ ବାବୁଲି ମନ୍ତ୍ରୀଙ୍କୁ ଡାକି ଆଣିଥିଲା। ହେଲେ ସେତେବେଳକୁ ଦୁର୍ବୁତ୍ତ ଘରେ କଳାକନା ବୁଲେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି।