ଚିତ୍ରଡ଼ା: ବନ୍ଧୁକ ମୁନରେ ଜଣେ ଗହଣା ଦୋକାନୀଙ୍କୁ ଲୁଟ କଲେ ଦୁର୍ବୃତ୍ତ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ତଥା ଶୁଳିଆପଦା ଥାନା ଅଧୀନ ସାତଭାୟା ଜଙ୍ଗଲ ନିକଟରେ। ଦୋକାନୀ ଜଣକ ହେଲେ ଚଢେଇଗାଁ ପଞ୍ଚାୟତ ଅଢେଇକୁଲା ଗ୍ରାମର ସ୍ୱପ୍ନେଶର ସିଂହ। ସେ କୋଷ୍ଠା ବଜାରରେ ଥିବା ତାଙ୍କ ଗହଣା ଦୋକାନ ତାର୍କେଶ୍ୱର ଜୁଏଲର୍ସକୁ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଦୁଇଟି ବାଇକରେ ଚାରିଜଣ ଯୁବକ ସାତଭାୟା ଜଙ୍ଗଲ ନିକଟରେ ତାଙ୍କୁ ଅଟକାଇଥିଲେ ଏବଂ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ନିକଟସ୍ଥ ଏକ ଜଙ୍ଗଲ ଭିତରକୁ ନେଇଯାଇଥିଲେ। ଚାରିଜଣ ଦୁର୍ବୁତ୍ତ ତାଙ୍କୁ ଏକ ଗଛରେ ବାନ୍ଧି ଦୀର୍ଘ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ନିର୍ଧୁମ ମାଡ଼ମାରି ଶାରୀରିକ ନିର୍ଯାତନା ଦେଇଥିଲେ।

Advertisment

ତେବେ ରାତି ପ୍ରାୟ ସାଢେ ଏଗାରଟା ବେଳେ ଦୁର୍ବୁତ୍ତମାନେ ବନ୍ଧୁକ ମୁନରେ ତାଙ୍କୁ ତାଙ୍କ କୋଷ୍ଠା ବଜାରସ୍ଥିତ ଦୋକାନକୁ ନେଇ ଦୋକାନରୁ ସମସ୍ତ ସୁନା ଓ ରୁପା ଗହଣା, ଟଙ୍କା ଲୁଟ କରିବା ପରେ ତାଙ୍କୁ ନେଇ ଉକ୍ତ ଜଙ୍ଗଲରେ ଛାଡିଦେଇଥିଲେ। ଏତିକିରେ ଦୁର୍ବୁତ୍ତଙ୍କ ମନ ମାନିନଥିଲା। ସେମାନେ ପୁଣି ତାଙ୍କ ପାଖରୁ ଚାବି ଛଡ଼ାଇ ଦୋକାନକୁ ପୁଣି ଯାଇ ଯାହା କିଛି ଦୋକାନରେ ଥିଲା ସମସ୍ତ ସୁନାରୁପା ଗହଣାକୁ ନେଇ ପଳାଇଲେ । ଏନେଇ ସ୍ଵପ୍ନେଶ୍ଵର ଶୁଳିଆପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଶୁଳିଆପଦା ଥାନାରେ ଏକ ମାମଲା ରୁଜୁ ହେବା ସହିତ ଏସଡ଼ିପିଓ ପ୍ରକାଶ ଯୋଜ ଟପୋ, ଚାନ୍ଦୁଆ ଥାନା ଆଇଆଇସି କୁନି ବେଶ୍ରା ସଦଳବଳେ ଏବଂ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

publive-image

ତେବେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଚଢେଇଗାଁ ପଞ୍ଚାୟତ ମୋରଡା ବ୍ଲକ ସୀମାରେ ଥିବା ବେଳେ ମୋରଡା ଥାନା ଏବଂ ଶୁଳିଆପଦା ଥାନା ଠାରୁ ବହୁ ଦୂରରେ ରହିଛି ଏହି ପଞ୍ଚାୟତ । ତେଣୁ ଏଠାରେ ଏକ ପୁଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଲିଖିତ ଦାବି କରିଥିଲେ ସୁଦ୍ଧା ସରକାର ଏବଂ ପଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନଥିବାରୁ ଏଭଳି ଲୁଟ, ଛିନତାଇ ଭଳି ଘଟଣା ଉକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବାର ଲୋକେ କରୁଥିବା ଆଲୋଚନା ରୁ ଶୁଣିବାକୁ ମିଳିଛି। ତେଣୁ ଉକ୍ତ ପଞ୍ଚାୟତର ସାତଭାୟା ନିକଟରେ ଏକ ପୁଲିସ ଫାଣ୍ଡି ଶୀଘ୍ର ପ୍ରତିଷ୍ଠା କରିବା ଦିଗରେ ରାଜ୍ୟ ସରକାର ଏବଂ ପୁଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବିଶିଷ୍ଟ ସମାଜସେବୀ ତଥା ନେତା ସଞ୍ଜୀବ ଦେ ଦୃଢ଼ ଦାବି କରିଛନ୍ତି। ତେବେ ଉକ୍ତ ଲୁଟ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିବା ସହ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଜଣାପଡିଛି।