ଲାଞ୍ଜିଗଡ଼ ଭୈରବ ଦେବଙ୍କ ମନ୍ଦିରରୁ ଚୋରି

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ର ଆରାଧ୍ୟ ଦେବତା ଭୈରବ ଦେବଙ୍କ ମନ୍ଦିରରୁ ଚୋରି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭୈରବ ଦେବଙ୍କ ମନ୍ଦିରର ତାଲା କାଟି ଖଣ୍ଡା, ଟାଙ୍ଗି, ଛତର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲାଞ୍ଜିଗଡ଼ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରି ପୁଲିସ୍‌ର ଦ୍ବାରସ୍ଥ ହୋଇଛନ୍ତି।

ସୂଚନାମତେ, ଶନିବାର ସକାଳୁ ଭୈରବ ଦେବଙ୍କ ପୂଜକ ହରିଶ୍ଚନ୍ଦ୍ର ମୁଁଛିନା ମନ୍ଦିର ରାସ୍ତାଦେଇ ନିଜ ଚାଷ ଜମିକୁ ଯାଉଥିଲେ। ମନ୍ଦିର କବାଟ ଖୋଲା ରହିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ମନ୍ଦିର ଭିତରକୁ ଆସି ଦେଖିଲା ବେଳକୁ ଭୈରବ ଦେବଙ୍କ ମନ୍ଦିର ଭିତରୁ କେହି ଦୁର୍ବୃତ୍ତ ଚୋରି କରିଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଲାଞ୍ଜିଗଡ଼ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ, ମନ୍ଦିର ପରିଚାଳନା କମିଟି ଓ ସମସ୍ତ ପୂଜକଙ୍କୁ ଜଣାଇଥିଲେ। ସମସ୍ତେ ମନ୍ଦିରକୁ ଯାଇ ଦେଖିଥିଲେ ଯେ, ଠାକୁରାଣୀଙ୍କ ୨ଟି ଖଣ୍ଡା, ପୂର୍ବରୁ ଥିବା ୨୦ ଗୋଟି ପୁରୁଣା ଖଣ୍ଡା, ୫ ଗୋଟି ଟାଙ୍ଗି, ୨ଟି ରୁପାର ବଡ଼ଛତର, ସାନ ରୁପା ଛତର ୬ଟି, ଲୁହା ଶିଙ୍କୁଳି ୧ଟି, ସମେତ ଗୋଡ଼ରେଜ୍‌ର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି। ରାଜା ଶ୍ରୀ ସିଂଦେଓ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ମନ୍ଦିର ପରିଚାଳନା କମିଟି ସମେତ ଲାଞ୍ଜିଗଡ଼ ଅଞ୍ଚଳବାସୀ ସମସ୍ତେ ମିଶି ଲାଞ୍ଜିଗଡ଼ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର