ଝାରସୁଗୁଡ଼ା : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବୁଢ଼ିପଦରଠାରେ ଥିବା ଓପିଟିସିଲ୍ ଗ୍ରିଡ୍ରୁ ପ୍ରତିଦିନ ବିଭିନ୍ନ ଯନ୍ତ୍ରାଂଶ ଲୁଟ୍ ହେବାରେ ଲାଗିଛି। ମଧ୍ୟରାତ୍ରରେ ସଂଘବଦ୍ଧ ଭାବରେ ୧୦/୧୫ ଜଣ ଲୁଟେରା ଗ୍ରିଡ୍ ଭିତରେ ପଶି ସେଠାରେ ଥିବା ବହୁ ମୂଲ୍ୟବାନ ଯନ୍ତ୍ରାଂଶ ଲୁଟି ନେଉଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରୁ ନଥିବା ଜଣାଯାଇଛି। ବିଭାଗୀୟ ଅଧିକାରୀମାନେ ଏ ନେଇ ପୂର୍ବରୁ ପୁଲିସରେ ରିପୋର୍ଟ ଦେଇ ଚୁପ୍ ରହି ଯାଇଥିବା ବେଳେ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ଜାଣିଶୁଣି ଢିଲା କରି ଦିଆଯାଇଥିବା ଅଭିଯୋଗ ହୋଇଛି।
ଏକ ବିରାଟ ଅଞ୍ଚଳରେ ଥିବା ଗ୍ରିଡ୍ର ସୁରକ୍ଷା ପାଇଁ ମାତ୍ର ୨/୩ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଲୁଟେରାମାନେ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଲୁଟ୍ କରିବାକୁ ଆସୁଥିବାରୁ ତାଙ୍କୁ ପ୍ରତିରୋଧ କରିବାକୁ ନିୟୋଜିତ ସୁରକ୍ଷା କର୍ମୀମାନେ ସାହସ ଜୁଟାଇ ପାରୁ ନଥିବା କହିଛନ୍ତି। ଶୁକ୍ରବାର ରାତିରେ ଲୁଟେରାମାନଙ୍କୁ ୩ ଜଣ ହୋମଗାର୍ଡ଼ ପ୍ରତିରୋଧ କରିବାରୁ ସେମାନେ ଭୁଜାଲିରେ ଏହି ହୋମଗାର୍ଡମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଜଣେ ହୋମଗାର୍ଡ଼ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜୀବନ ବିକଳରେ ଗ୍ରିଡ୍ ଗେଟ୍ ଡେଇଁ ଭିତକୁ ପଶି ଜୀବନ ରକ୍ଷା କରିଥିଲେ। ଅନ୍ୟ ଦୁଇ ହୋମଗାର୍ଡ଼ଙ୍କ ମଧ୍ୟରୁ ଜଣେ ପାଖରେ ଥିବା ଏକ ଘରେ ଲୁଚି ଜୀବନ ରକ୍ଷା କରିଥିଲେ। ଅନ୍ୟ ଜଣେ ବୁଦାମୂଳେ ରହି ଯାଇଥିଲେ। ହୋମାଗାର୍ଡ଼ମାନେ ଯାଉଥିବା ବାଇକ୍ର ଚାବିକୁ ଲୁଟେରାମାନେ ଲୁଟି ନେଇଥିଲେ। ଖବର ପାଇ ସେଠାରେ ପିସିଆର୍ ପହଞ୍ଚିବା ପରେ ଅନ୍ୟ ଏକ ଚାବି ଆଣି ଗୋଟିଏ ବାଇକକୁ ନେଇଥିବା ବେଳେ ଆଉ ଜଣେ ପୁଲିସ କର୍ମଚାରୀଙ୍କ ବୁଲେଟକୁ ଟେକି ନେଇ ଜଣଙ୍କ ଘରେ ସୁରକ୍ଷା କର୍ମୀ ମାନେ ରଖିଥିଲେ।
ଗତ ୪/୫ ମାସ ହେଲାଣି ଏଠାରୁ ବାରମ୍ବାର ଲୁଟ ଚାଲିଥିବା ବେଳେ ଲୁଟେରାମାନଙ୍କ ସିସିଟିଭି ଫୁଟେଜ ମଧ୍ୟ ପୁଲିସକୁ ଦିଆଯାଇଛି। ବିଭାଗୀୟ ଅଧିକାରୀ କି ପୁଲିସ କେହି ଏହି ଲୁଟ୍ ରୋକିବାକୁ ଉଦ୍ୟମ କରୁ ନଥିବା ଅଭିଯୋଗ ହେଉଛି। ଅଳ୍ପ ସଂଖ୍ୟକ ସୁରକ୍ଷା କର୍ମୀ ଭୟଭୀତ ହୋଇ ପଡ଼ିଥିବା କହିଛନ୍ତି। ଲୁଟେରାମାନେ ପୁଲିସକୁ ମଧ୍ୟ ଖାତିର କରୁ ନଥିବା ଗତକାଲି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।