ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ଜାମୁଯୋଡ଼ି ପଞ୍ଚାୟତର ରାଜୀବ ଗାନ୍ଧି ସେବାକେନ୍ଦ୍ରରୁ ବୁଧବାର ରାତିରେ ଚୋରି ହୋଇଛି। ଦୃର୍ବୃତ୍ତମାନେ ଏହି କେନ୍ଦ୍ରରେ ଚାଲିଥିବା ଜିଆର୍‌ଏସ୍‌ଙ୍କ କାର୍ଯ୍ୟାଳୟରୁ ୩ଟି ପ୍ରିଣ୍ଟର, ୨ଟି ବ୍ୟାଟେରି, ଗୋଟିଏ ଇନଭର୍ଟର, ସାମାଜିକ ଶିକ୍ଷା ସାଧନ କେନ୍ଦ୍ରରୁ ଦୁଇଟି ବ୍ୟାଟେରି, ଗୋଟିଏ ଇନ୍‌ଭର୍ଟର, ଦୁଇଟି ମନିଟର, ଗୋଟିଏ ସିପିୟୁ, ଦୁଇଟି ୟୁପିଏସ୍‌ ଓ ୭ଟି କିବୋର୍ଡ ଚୋରି କରିଛନ୍ତି। କିଛି କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀକୁ ଭାଙ୍ଗିରୁଜି ଦେଇଛନ୍ତି।

Advertisment

ଏ ସମ୍ପର୍କରେ ସରପଞ୍ଚ କୌଶଲ୍ୟା ନାୟକ ଓ ସାମାଜିକ ଶିକ୍ଷା କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ଥାନାରେ ଅଭିଯୋଗ କରାଯାଇଛି। ଜାମୁଯୋଡ଼ି ପଞ୍ଚାୟତର ରାଜୀବ ଗାନ୍ଧି ସେବାକେନ୍ଦ୍ରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସ୍‌ପାୟାର ଓ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ସାମାଜିକ ଶିକ୍ଷା ସାଧନ କେନ୍ଦ୍ର ଖୋଲାଯାଇ ଲୋକଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଛି। ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କେନ୍ଦ୍ରର ତାଲା ଭାଙ୍ଗି ଏସବୁ ସାମଗ୍ରୀ ଲୁଟି ନେଇଛନ୍ତି। ରାଜୀବ ଗାନ୍ଧି ସେବାକେନ୍ଦ୍ର ଠାରୁ କିଛି ଦୂରରେ ଦୁର୍ବୃତ୍ତମାନେ କିଛି ସାମଗ୍ରୀ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି। ତାଲା ଭାଙ୍ଗିବା ପାଇଁ ବ୍ୟବହାର ଶାବଳ ଓ ଆରିପାତକୁ ଛାଡ଼ି ପଳାଇ ଯାଇଛନ୍ତି। ଚୋରି ପଛରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।