ବାଲୁଙ୍କେଶ୍ୱର ମନ୍ଦିରରୁ ଚୋରି ଘଟଣା: ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ମୁଖ୍ୟପୂଜକଙ୍କ ଧାରଣା

ଆନନ୍ଦପୁର : ଆନନ୍ଦପୁର ମ୍ୟୁନିସିପାଲିଟି ଫକୀରପୁରର ବାଲୁଙ୍କେଶ୍ବର ମନ୍ଦିରରୁ ଡିସେମ୍ବର ୧୦ ତାରିଖ ରାତିରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ମନ୍ଦିର କୋଠଘର ତାଲା ଭାଙ୍ଗି ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିଲେ। ଘଟଣାକୁ ଏକମ‌ାସ ବିତି ଯାଇଥିଲେ ମଧ୍ୟ ପୁଲିସ୍ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଦ୍ୟାବଧି ଦୁର୍ବୃତ୍ତଙ୍କ ପତ୍ତା ମିଳି ନଥିବା ବେଳେ ଚୋରି ସାମଗ୍ରୀ ଉଦ୍ଧାର ହୋଇପାରି ନାହିଁ। ଏପରିକି ଚୋରି‌ରେ ସାମିଲ ଥିବା ଲୋକଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ମୁଖ୍ୟ ପୂଜକ ବଳଦେବ ପତି ଅଭିଯୋଗ କରିଛନ୍ତି।

ଏହି ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ମୁଖ୍ୟପୂଜକ ବଳଦେବ ପତି ସୋମବାର ଦିନ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଭାରପ୍ରାପ୍ତ ଉପଜିଲ୍ଲାପାଳ ତପନ କୁମାର ନାୟକ, ଆନନ୍ଦପୁର ଏସ୍‌ଡିପିଓ ଅନିଲ ବେଉରିଆ, ଥାନା ଅଧିକାରୀ ମନୋରଂଜନ ପ୍ରଧାନ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣା‌ରୁ ଉଠିଥିଲେ।

ସମ୍ବନ୍ଧିତ ଖବର