ପୁଣି ମାତିଲେ ଅଷ୍ଟଧାତୁ ମୂର୍ତ୍ତି ଲୁଟେରା: ସିଦ୍ଧେଶ୍ବରଦେବ ମନ୍ଦିରରୁ ୧୦ ମୂର୍ତ୍ତି ଚୋରି

ପିପିଲି : କିଛିଦିନ ବ୍ୟବଧାନରେ ପୁରୀ ଜିଲ୍ଲାରେ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଜିଲ୍ଲାର ପିପିଲି ଥାନା ସଁପୁର ପଞ୍ଚାୟତ ରାଜତେଇ ଗାଁର ଆରାଧ୍ୟ ଠାକୁର ଶ୍ରୀସିଦ୍ଧେଶ୍ବର ଦେବଙ୍କ ମନ୍ଦିରରୁ ବିଭିନ୍ନ ଠାକୁରଙ୍କର ୧୦ଟି ମୂର୍ତ୍ତି ଚୋରି କରିଛନ୍ତି। ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିବାବେଳେ ଗୋଟିଏ ମନ୍ଦିରରୁ ଏକାଥରକେ ଏତେ ସଂଖ୍ୟକ ମୂର୍ତ୍ତି ଚୋରି ହେବା ଜିଲ୍ଲାର ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ମନ୍ଦିରର ସେବକ ନିରଞ୍ଜନ ପୁଷ୍ପାଳକ ଓ ବନମାଳି ନାୟକ ଠାକୁରଙ୍କର ପୂଜା ଆଦି ନିତ୍ୟକର୍ମ ସାରି ମନ୍ଦିରରେ ଚାବି ପକାଇ ଘରକୁ ଫେରିଥିଲେ। ଆଜି ସକାଳ ପ୍ରାୟ ୬ଟାରେ ମନ୍ଦିରର ମୁଖ୍ୟ ସେବକ ବନମାଳି ନାୟକ ଠାକୁରଙ୍କର ନୀତି ନିମନ୍ତେ ମନ୍ଦିରକୁ ଯିବାରେ ମନ୍ଦିର ମୁଖ୍ୟ ଦ୍ବାର ସମେତ ସମସ୍ତ ଦ୍ବାର ତାଲା ଭଙ୍ଗା ଯାଇ ଖୋଲାଥିବା ଦେଖିବାକୁ ପାଇଥିଲେ। ସେ ଅନ୍ୟାନ୍ୟ ସେବକ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ମନ୍ଦିରର ପ୍ରାଚୀନ ଅଷ୍ଟଧାତୁ ନିର୍ମିତ ଶ୍ରୀରାଧାକୃଷ୍ଣ ମୂର୍ତ୍ତି, ମା’ ବନଦୁର୍ଗା, ମା’ ଦୁର୍ଗା, ଶ୍ରୀଚନ୍ଦ୍ରଶେଖର ଆଦି ପ୍ରାୟ ଅଢ଼େଇ ଲକ୍ଷ ଟଙ୍କର ୧୦ଟି ମୂର୍ତ୍ତି ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଥିବା ଦେଖି ଗ୍ରାମବାସୀ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ଚୋରି ଯାଇଥିବା ମୂର୍ତ୍ତିଗୁଡ଼ିକର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଗ୍ରାମବାସୀ କହିଛନ୍ତି।

ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ଏସ୍‌ଆଇ ସନ୍ଦୀପ ଦାସ, ଏଏସ୍‌ଆଇ ପ୍ରକାଶ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର