ଟାଙ୍ଗୀ: ଚାରିଆଡ଼େ ସିସିଟିଭି ଲାଗିଛି। ସୁରକ୍ଷାରେ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି। ତଥାପି ଶନିବାର ବିଳମ୍ବିତ ରାତିରେ ପ୍ରସିଦ୍ଧ ତନ୍ତ୍ରପୀଠ ମା’ ଉଗ୍ରତାରାଙ୍କ ଗର୍ଭଗୃହ ଗ୍ରିଲ୍ ଭାଙ୍ଗି ଦୁର୍ବୃତ୍ତମାନେ ମା’ଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସୁନା, ରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ ଗହଣା ଲୁଟି ନେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ। ମା’ଙ୍କ ଗହଣା ଚୋରି ହେବା ପରେ ଏଠାକାର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭକ୍ତ ମହଲରେ ବି ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ମା’ଙ୍କ ମନ୍ଦିର ଭଳି ପବିତ୍ର ସ୍ଥାନରୁ ଚୋରି କରିଥିବା ଲୁଟେରାଙ୍କୁ ତୁରନ୍ତ ଧରିବାକୁ ଦାବି ହୋଇଛି।
ଗହଣା ବାକ୍ସ, ଲୁଟ୍ ଗହଣାର ମୂଲ୍ୟ ୨୦ ଲକ୍ଷରୁ ଅଧିକ
ଭକ୍ତ ମହଲରେ ଅସନ୍ତୋଷ
ଶନିବାର ରାତିରେ ନୀତିନିୟମ ଅନୁସାରେ ମା’ଙ୍କ ପୂଜାବିଧି ସଂପନ୍ନ ହୋଇଥିଲା। ରାତି ସାଢ଼େ ୯ଟାରେ ବଡ଼ସିଂହାର ବେଶ ପରେ ସବୁଦିନ ପରି ମା’ଙ୍କ ଅଙ୍ଗଲାଗି ମକୁଟ, କିରଟି, ଅଣ୍ଟା ପାତିଆ, ପଲ୍ଲା, ଚୁଡ଼ି ୬ ପଟ, ଆଖି, ଚିତା, ସୁନାର ପଲ୍ଲା, ଗୋଡ଼ର ଦୁଇଟି ସୁନା ଖଡ଼ୁ ଆଦି ସମସ୍ତ ଆଭୂଷଣ ମା’ଙ୍କ ବିଗ୍ରହରୁ ଓହ୍ଲାଇବା ପରେ ବିଗ୍ରହ ପଛପଟେ ଏକ ଟିଣ ବାକ୍ସରେ ରଖାଯାଇଥିଲା। ଏହାପରେ ପୂଜକ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କୁ ମନ୍ଦିର ଚାବି ହସ୍ତାନ୍ତର କରି ଘରକୁ ଫେରିଥିଲେ। ହେଲେ ଏହାର କିଛି ସମୟ ପରେ ଦୁଇଜଣ ସୁରକ୍ଷା କର୍ମୀ ଶୋଇପଡ଼ିଥିଲେ। ସମ୍ଭବତଃ ଏହାର ସୁଯୋଗ ନେଇ ଲୁଟେରାମାନେ ରୋଷେଇ ଘର ଗ୍ରିଲ ଭାଙ୍ଗିବା ପରେ ମନ୍ଦିର ଗ୍ରିଲ ଭାଙ୍ଗି ଅଳଙ୍କାର ରଖାଯାଇଥିବା ଟିଣ ବାକ୍ସଟିକୁ ନେଇ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ ଟାଙ୍ଗୀ ଆଇଆଇସି ଓ ଭୁଷଣ୍ଡପୁର ଫାଣ୍ଡି ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ମାମଲାର ଗୁରୁତ୍ବକୁ ବୁଝି ଖୋର୍ଦ୍ଧା ଅତିରିକ୍ତ ଏସ୍ପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସନ୍ଧାନୀ କୁକୁର ଅନୁସନ୍ଧାନ କରି ଫେରିଛି। ପୁଲିସ ସୂଚନା ଅନୁସାରେ ୩ଜଣ ଲୁଟେରାଙ୍କ ଭିଡିଓ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଲୁଟେରାମାନେ ପ୍ରଥମେ କ୍ୟାମେରା ଭାଙ୍ଗିବା ପରେ ଲୁଟ୍ କରିଥିଲେ। ଏହା ପୂର୍ବରୁ କିନ୍ତୁ ସେମାନେ ସିସିଟିଭିରେ ରେକର୍ଡ ହୋଇଯାଇଥିଲେ। ଲୁଟେରା ତିନିଜଣ ଯାକ ମୁଖା ପିନ୍ଧିଥିଲେ ହେଁ କୌଣସି କାରଣରୁ ଜଣଙ୍କ ମୁଖା ଖୋଲି ଯାଇଥିଲା। ଖୁବ୍ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ପୁଲିସ ଦୃଢ଼ୋକ୍ତି ପ୍ରକାଶ କରିଛି।