ଭୁବନେଶ୍ବରରେ ମାସକୁ ୧୪ ମହିଳା ଛିନ୍‌ତାଇର ଶିକାର ହେଉଛନ୍ତି

ଭୁବନେଶ୍ୱର : ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଜଧାନୀରେ ୭୬୪ ମହିଳା ଛିନ୍‌ତାଇର ଶିକାର ହୋଇଛନ୍ତି। ଏଥିରେ ସମ୍ପୃକ୍ତ ୫୫୮ଜଣଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିଛି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଗୃହରେ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି କି ମାସକୁ ୧୪ଜଣ ମହିଳାଙ୍କୁ ଲୁଟ୍‌ ବା ଛିନ୍‌ତାଇ କରାଯାଉଛି। ଏହି ପରିସଂଖ୍ୟାନ କେବଳ ଥାନାରେ ହୋଇଥିବା ମାମଲାକୁ ଆଧାର କରି ହୋଇଛି।

‌‌‌‌‌‌ତେବେ ଆହୁରି ଅନେକ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚି ନଥିବା ବେଳେ କେ‌ତେକ କେବଳ ଷ୍ଟେସନ୍‌ ଡାଏରିରେ ସୀମିତ ରହିଛି। ଏଣୁ ମାସକୁ ୧୪ ନୁହେଁ, ୨୦ରୁ ଊର୍ଦ୍ଧ୍ବ ମହିଳା ଏଭଳି ଅପରାଧର ଶିକାର ହେଉଛନ୍ତି। ତେବେ ଏହି ଅପରାଧ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ଲଗାତାର ପ୍ରୟାସ ଜାରି ରହିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ମହିଳାମାନେ ଏଭଳି ଅପରାଧର ଶିକାର ହେଲେ ‘ମୋ ସାଥୀ’ ନାମକ ଏକ ମୋବାଇଲ ଆପ୍ଲିକେସନ୍‌ର ସହାୟତା ନେବା ପାଇଁ ବ୍ୟବସ୍ଥା ରହିଛି। ମହିଳାଙ୍କ ସୁରକ୍ଷିତ ଯାତାୟାତ ପାଇଁ ପିଙ୍କ୍‌ ଅଟୋ ବ୍ୟବସ୍ଥା କରାଯାଇଛି। ରାତିରେ ପିସିଆର ଭ୍ୟାନ୍‌ ଓ ଅନ୍ୟ ଗାଡ଼ି ଦ୍ବାରା ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ନିୟମିତ ବ୍ୟବଧାନରେ ସନ୍ଦେହ କରାଯାଉଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି। ଅପରିଚିତ ବ୍ୟକ୍ତି ବା ସନ୍ଦେହଜନକ ଭାବରେ ଥିବା ଲୋକଙ୍କ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ ଗୁପ୍ତଚର ନିୟୋଜିତ କରାଯାଉଛି। ଅପରାଧୀମାନଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ମହିଳାଙ୍କ ସମେତ ସମସ୍ତଙ୍କ ପାଇଁ ଡାଏଲ-୧୦୦ ପ୍ରଚଳନ କରାଯାଇଛି, ଯାହା ଆଜିକାଲି ବେଶ୍‌ ଭରସାଯୋଗ୍ୟ ହୋଇଛି ବୋଲି ମନ୍ତ୍ରୀ ବିବୃତି ରଖିଛନ୍ତି। ତେବେ ପିଙ୍କ୍‌ ଅଟୋ ସେବା ଓ ମୋ ସାଥୀ ଆପ୍‌ ଫେଲ୍‌ ମାରିଛି।

ସୂଚନା ମୁତାବକ, ୨୦୧୪ ମସିହାରେ ୯୮ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୦୦ଜଣ ଗିରଫ ହୋଇଥିଲେ। ୨୦୧୫ ମସିହାରେ ୧୫୫ ମାମଲାରେ ଶହେ ଜଣ, ୨୦୧୬ ମସିହାରେ ୧୨୯ ମାମଲାରେ ୧୩୦ ଜଣ, ୨୦୧୭ ମସିହାରେ ୧୫୧ ମାମଲାରେ ୧୦୫ ଜଣ, ୨୦୧୮ ମସିହାରେ ୧୪୬ ମାମଲାରେ ୬୮ ଜଣ ଓ ଚଳିତ ବର୍ଷ ୭ମାସ ମଧ୍ୟରେ ୮୫ ମାମଲାରେ ୫୫ଜଣ ବନ୍ଧା ହୋଇଛନ୍ତି।

ସମ୍ବନ୍ଧିତ ଖବର