ଲମତାପୁଟ: ରାସ୍ତାରୁ ଲୁଟିଲେ ଗଞ୍ଜେଇ ଗାଡ଼ି। ନିଜ ଭିତରେ ଭାଗ ତ ଛିଣ୍ଡିଲାନି, ବରଂ ବିବାଦ ବଢ଼ିଲା। ଖବର ଡିଆଇଜି ଓ ଏସ୍ପିଙ୍କ ନିକଟରେ ପହଞ୍ଚିବା ପରେ ନିଲମ୍ବିତ ହୋଇଛନ୍ତି ଥାନା ଅଧିକାରୀଙ୍କ ସମେତ ୭ ପୁଲିସ କର୍ମଚାରୀ। ଦୁଇ ହୋମଗାର୍ଡଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସର ଏହି କାରନାମା ଖାକି ପୋଷାକକୁ ପୁଣି କଳଙ୍କିତ କରିଛି। ପ୍ରାୟ ୪ରୁ ୫ ଦିନ ତଳେ ଆନ୍ଧ୍ରରୁ ଗୋଟିଏ ଟ୍ରକ୍ ୪ରୁ ୫ କୁଇଣ୍ଟାଲ ଗଞ୍ଜେଇ ନେଇ ଓଡ଼ିଶାରେ ପଶିଥିଲା। ଗଞ୍ଜେଇ ମାଫିଆଙ୍କୁ ୧୦ ଲକ୍ଷ ଟଙ୍କା ବଦଳରେ ଛାଡ଼ି ଦେବାକୁ ଡିଲ୍ କରିଥିଲା ମାଛକୁଣ୍ଡ ଥାନା ପୁଲିସ। ଡରରେ ଗଞ୍ଜେଇ ମାଫିଆ ୫ ଲକ୍ଷ ଗଣି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ମାଫିଆଙ୍କୁ ଗିରଫ ଭୟ ଦେଖାଇ ଘଟଣାସ୍ଥଳରୁ ତଡ଼ିବା ପରେ ଟ୍ରକ୍ରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଲୁଟି ନେଇଥିଲେ ପୁଲିସ କର୍ମଚାରୀ। ଥାନା ସୁରକ୍ଷା ଦାୟିତ୍ବରେ ଥିବା ଓଏପିଏଫ୍ ଯବାନଙ୍କ ମଧ୍ୟରୁ କେହି ଜଣେ ଏ ସଂପର୍କରେ ଡିଆଇଜି ଓ ଏସ୍ପିଙ୍କୁ ସୂଚନା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା।
ଗଞ୍ଜେଇ ଟ୍ରକ୍ ଲୁଟ୍ରେ ପୁଲିସ କର୍ମଚାରୀଙ୍କ ସଂପୃକ୍ତି ବରିଷ୍ଠ ଅଧିକାରୀଙ୍କୁ ବି ତାଟକା କରିଥିଲା। କଥା ଯେମିତି ପ୍ରଘଟ ନହୁଏ ସେଥିପ୍ରତି ଧ୍ୟାନ ରଖି ଆଭ୍ୟନ୍ତରୀଣ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ସୋମବାର ବିଳମ୍ବିତ ରାତିରେ କୋରାପୁଟରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଗୋଟିଏ ଟିମ୍ ମାଛକୁଣ୍ଡ ଥାନାରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲେ। ଥାନାର ସମସ୍ତ କର୍ମଚାରୀଙ୍କୁ ଗୁଡ଼େଇତୁଡ଼େଇ ଜେରା କରାଯାଇଥିଲା। ଗଞ୍ଜେଇ ମାଫିଆଙ୍କ ସହ ମାଛକୁଣ୍ଡ ପୁଲିସର ସିଧାସଳଖ ଲିଙ୍କ୍ ରହିଥିବା ପ୍ରମାଣ ମିଳିଥିଲେ ସୁଦ୍ଧା ଲୁଟ୍ ଗଞ୍ଜେଇ ଟ୍ରକ୍କୁ କେଉଁଠି ଲୁଚାଇ ରଖିଛନ୍ତି, ସେ ସଂକ୍ରାନ୍ତରେ କେହି ମୁହଁ ଖୋଲି ନଥିଲେ। ତେଣୁ ବରିଷ୍ଠ ଅଧିକାରୀ ନିଜ ସୂଚନାଦାତାଙ୍କ ଜରିଆରେ ଟ୍ରକ୍ର ସନ୍ଧାନ କରୁଛନ୍ତି। ଏହି ଘଟଣାରେ ମାଛକୁଣ୍ଡ ଥାନା ଓ ଲମତାପୁଟ ଫାଣ୍ଡିର ମୋଟ ୧୧ ଜଣ କର୍ମଚାରୀଙ୍କୁ ଗତକାଲି ସଂଧ୍ୟାରେ କୋରାପୁଟ ଏସ୍ପି ଅଭିନବ ସୋନକର ପଚରାଉଚୁରା କରିଥିଲେ। ଆଜି ସକାଳେ ମାଛକୁଣ୍ଡ ଥାନା ଅଧିକାରୀ କରୁଣାକର ଶବର, ଏସ୍ଆଇ ସୁରେନ୍ଦ୍ର କୁମାର ସେଠୀ, ଲମତାପୁଟ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ହାଜଦା, ଓଏପିଏଫ୍ ଯବାନ ବିଷ୍ଣୁ ଜାନି ଓ ବିଜୟ ପାଙ୍ଗିଙ୍କୁ ନିଲମ୍ବିତ କରାଯାଇଛି। ସେହିପରି କିଛି ମାସ ତଳେ ତାଲିମ ନିମନ୍ତେ ମାଛକୁଣ୍ଡ ଥାନାରେ ଯୋଗ ଦେଇଥିବା ଦୁଇ ଏସ୍ଆଇଙ୍କୁ ମଧ୍ୟ ନିଲମ୍ବିତ କରିବା ସହ ଉଭୟଙ୍କୁ ପୁଲିସ ମୁଖ୍ୟାଳୟରେ ଅଟକ ରଖାଯାଇଛି। ହୋମଗାର୍ଡ ଦୁର୍ଯ୍ୟୋଧନ ସାହୁ ଓ ଧାଡ଼ିଆ ଚାକିରିରୁ ବହିଷ୍କୃତ ହୋଇଛନ୍ତି।