ଆଳିରେ ଡକାୟତି : ପ୍ରା‌ଣାନ୍ତକ ଆକ୍ରମଣ କରି ଲୁଟିନେଲେ ସୁନା, ଟଙ୍କା

ପୁଲିସ ଗୁଳିରେ ଜଣେ ଡକାୟତ ଆହତ, ୩ ଖସିଗଲେ

ଆଳି : ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗାଁରେ ଡକାୟତି ହୋଇଛି। ଡକାୟତ ଦଳ ଘରେ ପଶି ଗୃହକର୍ତ୍ତାଙ୍କ ସମେତ ୩ ପରିବାର ସଦସ୍ୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ସୁନା, ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ ପରେ ଡକାୟତମାନେ ଏକ ଇଣ୍ଡିକା କାର୍‌ରେ ଚମ୍ପଟ ମାରିବା ବେଳେ ପୁଲିସ ପିଛା କରି ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ପୁଲିସ ଗୁଳିରେ ଜଣେ ଡକାୟତ ଆହତ ହୋଇଥିବା ବେଳେ ଅନ୍ୟମାନେ ଖସି ପଳାଇଛନ୍ତି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ଜୁଆଣିଆ ଗ୍ରାମର ନବଘନ ପରିଡ଼ାଙ୍କ ସିଡି ଘର କବାଟ ଭାଙ୍ଗି ଡକାୟତ ଦଳ ଘର ଭିତରକୁ ପଶିଥିଲେ। ଡକାୟତମାନେ ନବଘନଙ୍କ ମୁଣ୍ଡରେ ବନ୍ଧୁକ, ଭୁଜାଲି ଲଗାଇ ଭୟଭୀତ କରିବା ସହ ଶାବଳରେ ନିସ୍ତୁକ ପିଟିଥିଲେ। ଶାବଳ ମାଡ଼ରେ ନବଘନଙ୍କ ମୁଣ୍ଡ ଫାଟି ଯାଇଥିଲା। କେବଳ ସେତିକି ନୁହେଁ, ସେମାନେ ପରିବାରର ମହିଳା ସଦସ୍ୟାମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଶାବଳ ମାଡ଼ରେ ନବଘନଙ୍କ ପତ୍ନୀ ରତ୍ନମଣିଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ବୋହୂ ଗୀତାଞ୍ଜଳି ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ଏହାପରେ ଡକାୟତମାନେ ଆଲମିରା, ବାକ୍ସ ଚାବି ନେଇ ଲୁଟତରାଜ କରିଥିଲେ। ଏହି ସମୟରେ ନବଘନ କୌଶଳ କ୍ରମେ ଘରୁ ଖସି ପଳାଇ ଯାଇ ଗ୍ରାମବାସୀଙ୍କୁ ଡାକି ଆଣିଥିଲେ। ଗ୍ରାମବାସୀ ଆସିବା ଜାଣି ଡକାୟତ ଦଳ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଜୁଆଣିଆ ସରପଞ୍ଚଙ୍କ ପ୍ରତିନିଧି ସୁବ୍ରତ ନାୟକ ଆଳି ଥାନାକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇବା ପରେ ଆଳି ପୁଲିସ ଓ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଏହି ଡକାୟତ ଦଳର ପିଛା କରିଥିଲା। କେନ୍ଦ୍ରାପଡ଼ାର ଗରାପୂର ନିକଟରେ ଡକାୟତମାନେ ଗାଡ଼ି ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ଡକାୟତମାନଙ୍କ ଭିତରୁ ଜଣେ ପୁଲିସ ଉପରକୁ ଗୁଳି ମାଡ଼ କରିଥିଲା। ଏହାର ସୁଯୋଗ ନେଇ ଏହି ଦଳର ୪ ଜଣ ଖସିଯିବାକୁ ସମର୍ଥ ହୋଇଥିଲେ। ପୁଲିସର ପାଲଟା ଗୁଳିମାଡ଼ କରିବାରୁ ଜଣେ ଡକାୟତ ଆହତ ହୋଇଥିଲା। ଏହି ଡକାୟତର ନାମ ହୃଷୀକେଶ ମଲିକ। ତା’ର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ କାର୍‌ ଭିତରୁ ଶାବଳ, ଖଣ୍ଡା, ଚାପଡ଼ ଓ ଏକ ଖେଳଣା ବନ୍ଧୁକ ଜବତ କରିଛି। ହୃଷୀକେଶ ନାମରେ କେନ୍ଦ୍ରାପଡ଼ା ସମେତ ଅନ୍ୟ ଜିଲ୍ଲାରେ ଏକାଧିକ ଚୋରି, ଡକାୟତି ଓ ରାହାଜାନି ମାମଲା ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ ମାସ ୩୦ ତାରିଖରେ ଆଳି ଥାନା ଭରତପୁର ଗ୍ରାମରେ ଗୋଟିଏ ପରିବାରର ୪ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ସୁନା, ଟଙ୍କା ଲୁଟ ପରେ ପୁଣି ଜୁଆଣିଆରେ ଡକାୟତି ଘଟଣା ସାଧାରଣରେ ଆତଙ୍କ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର