ବରଗଡ଼ରେ ସଶସ୍ତ୍ର ଡକାୟତି, ଘରେ ପଶି ୧୨ ଭରି ସୁନା, ଟଙ୍କା ଲୁଟ୍‌

ବରଗଡ଼: ବରଗଡ଼ ସହରରେ ମଂଗଳବାର ଭୋର୍‌ରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଘରମାଲିକଙ୍କୁ ଭୟଭୀତ କରିବା ସହ ୧୨ ଭରି ସୁନା ଅଳଂକାର ଏବଂ ନଗଦ ୫ହଜାର ଟଙ୍କା ଲୁଟି ନେଇଛନ୍ତି। ଓ୍ଵାର୍ଡ ନମ୍ବର ୧୯ ଅନ୍ତର୍ଗତ ବ୍ରହ୍ମବିହାର ଅଂଚଳରେ ମଂଗଳବାର ଭୋର୍‌ ପ୍ରାୟ ସାଢ଼େ ୩ରୁ ୪ଟା ମଧ୍ୟରେ ଏହି ଘଟଣା ଘଟିଛି। ବ୍ରହ୍ମବିହାର ଠାରେ ଘର ତିଆରି କରି ରହୁଛନ୍ତି ଅବିନାଶ ପତି। ସେ ତୋରା ଏସ୍‌ଡିସିସି ବ୍ୟାଙ୍କରେ କ୍ୟାସିଅର ଭାବେ କାର୍ଯ୍ୟରତ। ସ୍ୱାଭାବିକ ଭାବେ ରାତିରେ ଖିଆପିଆ ସାରି ଅବିନାଶ, ପତ୍ନୀ ଶାଶ୍ୱତୀ ଏବଂ ଛୁଆ ଘରେ ଥିଲେ। ଅବିନାଶଙ୍କ କାକା ବିଳମ୍ବିତ ରାତିରେ ଟ୍ରେନ୍‌ରେ ବରଗଡ଼ ପହଂଚିବାକୁ ଥିବାରୁ ସେ ଘର ବାହାରେ ବୁଲାବୁଲି କରୁଥିଲେ। ତେବେ କାକା ପହଂଚିବାରେ ବିଳମ୍ବ ହେବାରୁ ଅବିନାଶ ଘରେ ପଶି ଶୋଇବାକୁ ଯାଇଥିଲେ। କିଛି ସମୟ ପରେ ଘରର ପ୍ରଥମ ଗେଟ୍‌ ଖୋଲିବାର ଶବ୍ଦ ହେଲା। ଅବିନାଶ ଏବଂ ତାଙ୍କ ସ୍ତ୍ରୀ ଉଠି ପଡ଼ିଥିଲେ। ସହାୟତା ପାଇଁ ପାଟି କରିବା ବେଳେ ୮/୧୦ ଜଣ ଦୁର୍ବୃତ୍ତ ଦ୍ୱିତୀୟ ଗେଟ୍‌ ଭାଂଗି ଘରେ ପଶିଥିଲେ। ସମସ୍ତଙ୍କ ହାତରେ ଭୁଜାଲି, ଛୁରା, ବାଡ଼ି ଏବଂ ଅନ୍ୟ ମାରଣାସ୍ତ୍ର ଥିଲା। ୨ଜଣ ଦୁର୍ବୃତ୍ତ ଘର ବାହାରେ ଜଗି ରହିଥିଲେ। ଅନ୍ୟମାନେ ମୁହଁରେ ରୁମାଲ ଭିଡ଼ି ଥିଲେ। ଦୁର୍ବୃତ୍ତମାନେ ଅବିନାଶ ଏବଂ ପତ୍ନୀ ଶାଶ୍ୱତୀଙ୍କ ବେକରେ ଭୁଜାଲି ଲଗାଇ ୨୦ଲକ୍ଷ ଟଙ୍କା ମାଗିଥିଲେ। ଅବିନାଶଙ୍କୁ ମାଡ଼ପିଟ୍‌ ମଧ୍ୟ କରିଥିଲେ। ଜୀବନ ବଂଚାଇବାକୁ ଯାଇ ଦମ୍ପତ୍ତି ଟ୍ରେଜେରି ଚାବି ଦୁର୍ବୃତ୍ତମାନଙ୍କୁ ଧରାଇ ଦେଇଥିଲେ। ଟ୍ରେଜେରି ଭିତରୁ ସେମାନେ ୧୨ଭରି ଓଜନର ସୁନା ଅଳଂକାର ଏବଂ ଟଙ୍କା ଧରି ପଳାଇଥିଲେ। ଶାଶ୍ୱତୀଙ୍କ କାନ ଏବଂ ବେକରୁ ଅଳଂକାର ବଳପୂର୍ବକ ଝାମ୍ପି ନେଇଥିଲେ। ଫଳରେ ଶାଶ୍ୱତୀ ଆହତ ହୋଇଛନ୍ତି। ଲୁଟେରାମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ ବୋଲି ପୀଡ଼ିତ ପରିବାର କହୁଛନ୍ତି। ସକାଳୁ ଖବର ପାଇ ଏସ୍‌ପି ଯୁଗଳ କିଶୋର, ଏସ୍‌ଡିପିଓ ସୁରେଶ ନାୟକ ଘଟଣାସ୍ଥଳରେ ପହଂଚି ଥିଲେ। ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲେ ହେଁ ପୁଲିସ୍‌କୁ କିଛି ସଫଳତା ମିଳିନାହିଁ। ଟାଉନ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର