ବେତନଟୀ/ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ପଞ୍ଚାୟତ ଡାଙ୍ଗିରିପୁରା ଗ୍ରାମର ଆଗ୍ରିଆ-ନଡ଼ପୁର ରାସ୍ତାପାର୍ଶ୍ୱସ୍ଥିତ ଜନୈକ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରପଛପଟ ଝରକା ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସମେତ ନଗଦ ଟଙ୍କା ଓ ଦାମୀ ଲୁଗାପଟା ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଦୁର୍ବୁତ୍ତ।

Advertisment

ସୂଚନା ଅନୁଯାଇ ଡାଙ୍ଗିରିପୁରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ମହାନ୍ତି ତାଙ୍କ ଧର୍ମପତ୍ନୀ ଓ ସାନ ଝିଅ ସହିତ ପୂଜା କରିବା ପାଇଁ ବେତନଟୀସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇଥିଲେ। ଗଲାବେଳେ ଘର କବାଟ ବନ୍ଦ କରିବା ସହିତ ସମ୍ମୁଖରେ ଲାଗିଥିବା ମୁଖ୍ୟ ଲୁହାଗ୍ରିଲରେ ବାହାର ପଟୁ ତାଲା ପକାଇ ଥିଲେ। ହେଲେ ମଧ୍ୟାହ୍ନରେ ପୂଜା ସାରି ଘରକୁ ଫେରି ଗ୍ରିଲ ତାଲା ଖୋଲି ଘର ଭିତରକୁ ପଶିବା ବେଳକୁ ଘର ମୁଖ୍ୟ କାଠ କବାଟ ଆଉ ଖୋଲି ନଥିଲା ଓ ସେ ଜାଣିବାକୁ ପାଇଲେ କି କବାଟଟି ଘର ଭିତର ପଟୁ ଲକ ହୋଇଯାଇଛି।

ପ୍ରଥମେ ସେ କିଛି ବୁଝି ନପାରି କବାଟ ଭିତର ଲକ ଖୋଲିବା ପାଇଁ ପାଖ କାଠମିସ୍ତ୍ରୀକୁ ଡାକିଥିଲେ। ସେହି ସମୟ ମଧ୍ୟରେ ସେ ସନ୍ଦେହ କରି ଘର ପଛ ପଟକୁ ବୁଲିବାପାଇଁ ଯାଇ ଦେଖିବାକୁ ପାଇଥିଲେ କି ତାଙ୍କ ମୁଖ୍ୟ ଶୋଇବା ଘର ପଛପଟ ଝରକା ଗ୍ରିଲ ଭାଙ୍ଗି ତଳେ ଥୁଆଯାଇଛି ଓ ଝରକା ପଟେ କେହି ଦୁର୍ବୁତ୍ତ ଘର ଭିତରକୁ ପଶିଛି। ହେଲେ ଘର ଭିତରେ ପଶି ସେ ଯାହା ଦେଖିଥିଲେ ସେଥିରେ ତାଙ୍କ ମୁଣ୍ଡ କାମ ଦେଇନଥିଲା। ଦୁର୍ବୁତ୍ତମାନେ ତାଙ୍କ ଶୋଇବା ଘରେ ଥିବା ଲୁହା ଆଲମିରାକୁ ଭାଙ୍ଗି ତା ଭିତରେ ଥିବା ପ୍ରାୟତଃ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ କିଛି ନୂଆ ଲୁଗାପଟା ଲୁଟିନେଇଛନ୍ତି। ପରେ ଅନ୍ୟ ଏକ ଘରେ ପଶି ଗୋଟେ ପର୍ସରେ ଥିବା ୬୦ହଜାର ଟଙ୍କା ମଧ୍ୟ ଲୁଟିନେଇ ସେହି ଝରକା ପଟେ ଖସି ପଳେଇଥିଲେ। ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂସୁ ଶେଖର ମିଶ୍ର ଓ ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାବେଳେ ପରେ ବାରିପଦାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରକୁ ଡ଼କାଇ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଥିଲା।