ବେତନଟୀ ସଦର: ବୈଶିଙ୍ଗା ଥାନା ଅଞ୍ଚଳରେ ଦିନକୁ ଚୋରି ବୃଦ୍ଧି ପାଇବାରେ ଲାଗିଛି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍ କରିଚାଲିଛନ୍ତି ଦୁର୍ବୃତ୍ତ। ଶନିବାର ସନ୍ଧ୍ୟାରେ ଉକ୍ତ ଥାନା ଅଧୀନ ପତଡ଼ା ଗ୍ରାମର ଯୁଗପୁରା ଛକର ଅନତି ଦୂରରେ ରାସ୍ତା ପାର୍ଶ୍ୱରେ ଥିବା ଜନୈକ ବ୍ୟକ୍ତିଙ୍କ ଘରୁ ଘରେ କେହି ନଥିବାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଘରର ଗ୍ରିଲ ତାଲା ସମେତ ଭିତର କବାଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଅନ୍ୟ ସାମଗ୍ରୀ ଲୁଟ୍ କରି ନେଇଛନ୍ତି ଲୁଟେରା।
ସୂଚନା ଅନୁଯାଇ ଉକ୍ତ ଗ୍ରାମର ସ୍ବର୍ଗତଃ କ୍ଷୀରଦ ଚନ୍ଦ୍ର ମହାପାତ୍ରଙ୍କ ପୁଅ ଯତୀନ ମହାପାତ୍ର ପୂର୍ବରୁ ଚାକିରି କରି ବାହାରେ ରହୁଥିବାବେଳେ ଏଇମାତ୍ର ୨ବର୍ଷ ପୂର୍ବରୁ ଯୁଗପୁରା ଛକ ଉପକଣ୍ଠ ଜାରକା- ଯୁଗପୁରା ରାସ୍ତା ପାର୍ଶ୍ୱରେ ଏକ ନୂଆ ଘର କରି ନିଜ ଧର୍ମପତ୍ନୀ ମମତା ଓ ପୁଅଝିଅଙ୍କ ସହିତ ରହି ଆସୁଥିଲେ। ତାଙ୍କର ଏକମାତ୍ର ଝିଅଳୁ ଭୁବନେଶ୍ୱରରେ ବିବାହ କରାଇଛନ୍ତି। ଏକମାତ୍ର ପୁଅ ବାହା ହେଲା ପରେ ନିଜ କର୍ମସ୍ଥଳ ପୁନେରେ ସ୍ତ୍ରୀ ସହିତ ରହୁଛନ୍ତି। ଏଠି ଏକୁଟିଆ ଯତୀନ ଓ ତାଙ୍କ ସ୍ତ୍ରୀ ରହୁଥିଲେ। ହେଲେ ମାସେ ପୂର୍ବରୁ ଯତୀନ ନିଜ ସ୍ତ୍ରୀଙ୍କ ସହିତ ପୁନେସ୍ଥିତ ନିଜ ପୁଅ ପାଖକୁ ବୁଲିବାକୁ ଯାଇଥିଲେ ଓ ଘରର ଦାୟିତ୍ୱ ଗାଁ ଭିତରେ ରହୁଥିବା ନିଜ ବଡଭାଇ ବିପିନଙ୍କୁ ଦେଇଯାଇଥିଲେ।
ବିପିନ ପ୍ରତିଦିନ ନିଜ କାମସାରି ରାତିରେ ଯତୀନଙ୍କ ଘରେ ଶୋଉଥିଲେ ଓ ସକାଳ ହେଲେ ଘର କବାଟ ସହିତ ଗ୍ରିଲରେ ତାଲା ପକେଇ ନିଜ ଘରକୁ ଫେରୁଥିଲେ। ହେଲେ ସବୁଦିନ ଭଳି ଗତକାଲି ବିପିନ ରାତିରେ ଶୋଇବାକୁ ଯାଇ ଦେଖିବାକୁ ପାଇଥିଲେ କି ଗ୍ରିଲ ତାଲା ଭଙ୍ଗାଯାଇଛି। ସେ ଆଶ୍ଚର୍ଯ୍ୟ ହୋଇ ଭିତରକୁ ଯାଇ ଦେଖିବାକୁ ପାଇଥିଲେ କି ଘରର ମୁଖ୍ୟ କବାଟର ତାଲା ମଧ୍ୟ ଭଙ୍ଗା ଯାଇଛି ଏବଂ ସେ ନିଶ୍ଚିତ ହୋଇଯାଇଥିଲେ କି ଘରେ କେହି ଲୁଟେରା ପଶି କଳାକନା ବୁଲେଇ ସାରିଛନ୍ତି। ପରେ ସେ ଭିତରକୁ ଯାଇ ଦେଖିବାକୁ ପାଇଥିଲେ କି ଘର ଭିତରେ ଥିବା ଆଲମିରା ଗୁଡିକ ମଧ୍ୟ ତାଲା ଭଙ୍ଗାଯିବା ସହିତ ଲକର ବି ଖୋଲା ପଡ଼ିଛି।
ଅନ୍ୟପଟେ ଘରର ଆସବାପତ୍ର ସବୁ ଛାନଭିନ ହୋଇ ଏପଟେ ସେପଟେ ପଡିଛି। ହେଲେ ତାଙ୍କ ଭାଇଙ୍କ ଅନୁପସ୍ଥିତି ଯୋଗୁଁ ସେ ପ୍ରକୃତ ଚୋରି ସାମଗ୍ରୀର ମୂଲ୍ୟ ଆକଳନ କରିପାରି ନଥିଲେ। ସେ ସଙ୍ଗେ ସଙ୍ଗେ ସାହି ପଡିଶାଙ୍କୁ ଡାକିବା ସହିତ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ପୁଲିସ ବିଳମ୍ବିତ ରାତିରେ ପହଞ୍ଚି ତଦନ୍ତ କରି ଫେରି ଆସିଥିବାବେଳେ ରବିବାର ପୂର୍ବାହ୍ନରେ ବିପିନଙ୍କ ଲିଖିତ ଅଭିଯୋଗ ପରେ ୨୪୧/୨୪ରେ ଏକ ମାମଲା ରୁଜୁ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ଘଟଣା ସ୍ଥଳରେ ତନାଘନା କରି ଫେରିଛି। ଖବର ପାଇ ଆଜି ଯତୀନଙ୍କ ଝିଅ ଜ୍ୱାଇଁ ମଧ୍ୟ ଆସି ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଯତୀନ ପୁନେରୁ ବାହାରି ସାରିଥିବା ବେଳେ ଏଠାରେ ପହଞ୍ଚିବା ପରେ ହିଁ ପ୍ରକୃତ ଚୋରିର ମୂଲ୍ୟ ଆକଳନ କରିହେବ ବୋଲି ବିପିନ କହିଛନ୍ତି।