ଘର ଭିତରେ ବୃଦ୍ଧ ଦମ୍ପତ୍ତିଙ୍କ ହାତଗୋଡ ବାନ୍ଧି ଲୁଟି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ ଏବେ ସକ୍ରିୟ ହୋଇଉଠିଛନ୍ତି । ଘରେ ପଶି କେଉଁଠି ଗୃହକର୍ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତ ଆଉ କେଉଁଠି ମାଡ ମାରି ସର୍ବସ୍ୱ ଲୁଟି ନେଉଛନ୍ତି । ଏଭଳି ଭାବେ ସୋମବାର ବିଳମ୍ବିତ ରାତିରେ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଅଞ୍ଚଳରେ ଜଣେ ବ୍ୟାଙ୍କ ମ୍ୟାନେଜର ଓ ପତ୍ନୀଙ୍କୁ ରୁମରେ ବନ୍ଦ କରି ଘରେ ଦୁର୍ବୃତ୍ତ କଳାକନା ବୁଲାଇ ଦେଇଛନ୍ତି । ଥାନାରେ ଅଭିଯୋଗ ହେବା ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଲେନ ୭ ପ୍ଲଟ ନମ୍ବର ୫୩/୧୩୯ରେ ବ୍ୟାଙ୍କ ମ୍ୟାନେଜର ବିଷ୍ଣୁଚରଣ ପଲାଇ ରହୁଛନ୍ତି । ସୋମବାର ରାତିରେ ସେ ପରିବାର ସହ ଘରେ ଶୋଇଥିବା ସମୟରେ ୫/୭ ଜଣ ଲୁଟେରା ଘର ପଛପଟ ଝରକା ଭାଙ୍ଗି ଭିତରେ ପଶିଥିଲେ । ଚୋର ପଶିବା ଶବ୍ଦ ଶୁଣୀ ବିଷ୍ଣୁଚରଣ ଓ ତାଙ୍କ ପତ୍ନୀ ଉଠିପଡିବାରୁ ତାଙ୍କୁ ଭୟଭୀତ କରି ଲୁଟେରା ଏକ ଘରେ ବନ୍ଦ କରି ଦେଇଥିଲେ ।

ପରେ ଘରେ ଥିବା ସମସ୍ତ ସୁନା ଗହଣା, ନଗଦ ଟଙ୍କା ଓ ମୂଲ୍ୟବାନ ଜିନିଷ ଲୁଟି ନେଇଥିଲେ ଦୁର୍ବୃତ୍ତ । ପ୍ରାୟ ୧ଘଣ୍ଟା ଭିତରେ ଲୁଟପାଟ କରି ୫ଲକ୍ଷରୁ ଅଧିକ ଟଙ୍କାର ଜିନିଷ ନେଇ ଦୁର୍ବୃତ୍ତ ଅତି ସହଜରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର