ଡାବୁଗାଁ ଥାନା ଅଂଚଳରେ ପୁଣି ସଶସ୍ତ୍ର ଡକାୟତି : ଚିକିଲି ଗାଁ’ରେ ମାଡ଼ ମାରି ଲୁଟିନେଲେ ଟଙ୍କା

ଘଟଣା ସ୍ଥଳରେ ପହଞ୍ଚି ତଦାରଖ କଲେ ନବରଙ୍ଗପୁର ଏସପି

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ଗତ ୧୫ ଦିନ ମଧ୍ୟରେ ଦୁଇ ଥର ସଶସ୍ତ୍ର ଡକାୟତି ହୋଇଥିବା ବେଳେ ସମାନ ଢଙ୍ଗରେ ବିଭିନ୍ନ ମାରଣଅସ୍ତ୍ର ଧରି ଡକାୟତ ଦଳ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଲୁଟ କରିଛନ୍ତି। ପ୍ରଥମ ଡକାୟତ ବେଳେ ଡକାୟତ ଦଳକୁ ସମ୍ପୂର୍ଣ୍ଣ ସଫଳ ମିଳିଥିବା ବେଳେ ଦ୍ୱିତୀୟ ଡକାୟତ ସମୟରେ କିନ୍ତୁ ସମ୍ପୂର୍ଣ ସଫଳ ହୋଇ ପାରି ନାହାନ୍ତି। ତେବେ ଗତ ୧୫ ଦିନ ମଧ୍ୟରେ ଡାବୁଗାଁ ଥାନା ଅଞ୍ଚଳରେ ଦୁଇଟି ସଶସ୍ତ୍ର ଡକାୟତି ଘଟଣାକୁ ନେଇ ପୁଲିସର ମୁଣ୍ଡ ବ୍ୟଥା ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ସୂଚନା ଅନୁଯାୟୀ ଗତକାଲି ମଙ୍ଗଳବାର ବିଳମ୍ବିତ ରାତ୍ର ପ୍ରାୟ ଏକ ଘଣ୍ଟା ସମୟରେ ଡାବୁଗାଁ ଥାନା ଚିକିଲି ଗ୍ରାମରେ ୧୫ ରୁ ଉର୍ଦ୍ଧ ଏକ ଡକାୟତ ଦଳ ବିଭିନ୍ନ ମାରଣାସ୍ତ୍ର ଧରି ଚିକିଲି ଗ୍ରାମର କ୍ଷୁଦ୍ର ବ୍ୟବସାୟୀ ଅଜୁତ୍ ଗୌଡର ଘର ସମ୍ମୁଖ ମୁଖ୍ୟ ଫାଟକର କବାଟ ତାଡି ଘର ମଧ୍ୟରେ ପ୍ରବେଶ କରିଥିଲେ। ସେଠାରେ ଦୋକାନ ମଧ୍ୟରେ ଶୋଇଥିବା ଅଜୁତ୍‌ର ଭଣଞ୍ଜା ହରି ଗୌଡ ଉପରେ ଅତର୍କିତ ଆକ୍ରମଣ କରି ତାକୁ ତଳେ ଶୁଆଇ ଦେଇଥିଲେ। ସେ ଚିତ୍କାର କରିବାରୁ ଏକ ଲୁହା ରଡ଼ରେ ପିଠିରେ ଓ ଗୋଡ଼ରେ ବାଡେଇଥିଲେ। ଦୋକାନ ମଧ୍ୟରେ ଥିବା ଟଙ୍କା ଡ୍ର ତାଡି ସେଥିମଧ୍ୟରେ ଥିବା ୩୦୦୦ ଟଙ୍କା ଓ ଖାଇବା ତେଲ ଦୁଇ ପେଟି ନେଇ ଯାଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୨୦୦୦ ଟଙ୍କା ହେବ। ଏହାପରେ ପାଖ ଘର ମଧ୍ୟରେ ଥିବା ଅଜୁତ୍‌ର କବାଟକୁ ଜୋର୍‌ରେ ଡକାୟତମାନେ ବାଡେଇବା ସହ ଚିତ୍କାର କରି କବାଟ ଖୋଲିବାକୁ ପାଟି କରିଥିଲେ। ଅଜୁତ୍ କିନ୍ତୁ ଡକାୟତମାନେ ଘର ମଧ୍ୟରେ ପ୍ରବେଶ କରିଥିବା ଜାଣି କବାଟ ଖୋଲି ନ ଥିଲା। ସାହସ ଜୁଟାଇ ପାଖ ପଡିଶାଙ୍କୁ ରକ୍ଷା କରିବାକୁ ପାଟି କରିଥିଲା।

ଅଜୁତ୍‌ର ପାଟି ଶୁଣି ପାଖ ପଡିଶାର କେତେ ଜଣ ଉଠି ଥିଲେ ସୁଦ୍ଧା ଡକାୟତମାନେ ତାଙ୍କୁ ଭୟଭୀତ କରିବାରୁ କବାଟ ବନ୍ଦ କରି ରହିଲେ। ଧିରେ ଧିରେ ଗ୍ରାମର ଲୋକେ ଜାଣି ପାରିବା ପରେ ଡକାୟତ ଦଳ ସେଠାରୁ ଚାଲି ଯାଇଥିଲେ। ଅଜୁତ୍‌ର ଘର ମଧ୍ୟରେ ପ୍ରବେଶ କରିଥିଲେ ଡକାୟତ ଦଳକୁ ସଫଳ ମିଳିଥାନ୍ତା କିନ୍ତୁ ଉପସ୍ଥିତ ବୁଦ୍ଧି ଯୋଗୁ ଅଜୁତ ଏଥିରୁ ରକ୍ଷା ପାଇଁ ଯାଇଥିଲା। ଆଜି ଏ ନେଇ ଅଜୁତ ଡାବୁଗାଁ ଥାନାରେ ଏତଲା ଦେବା ପରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳ କର, ଉମରକୋଟ ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ, ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର ବେହୁରିଆ ସହ ଏକ ଅନୁସନ୍ଧାନି ଦଳ ଚିକିଲି ଗ୍ରାମରେ ପହଂଚି ତଦନ୍ତ କରି ଫେରିଛନ୍ତି। ଏ ନେଇ ଡାବୁଗାଁ ଥାନାରେ ୧୧୯/୨୦ ରେ ମାମଲା ରୁଜୁ ହୋଇଥିବା ବେଳେ ଏହାର ତଦନ୍ତ ଏସଆଇ ଅରୁଣ ପଟ୍ଟନାୟକ କରୁଛନ୍ତି।

ସୂଚନା ଥାଉକି ଗତ ୨୫/୦୫ ବିଳମ୍ବିତ ରାତ୍ର ଏକ ଘଣ୍ଟ ସମୟରେ ଡାବୁଗାଁ ଥାନା ହଲଦିଗୁଡ଼ାରେ ବ୍ୟବସାୟୀ ହସ୍ ମନ୍ ଖାନ୍‌ଙ୍କ ଘରେ ମଧ୍ୟ ୧୫ ରୁ ଉର୍ଦ୍ଧ ସଶସ୍ତ୍ର ଡକାୟତ ଦଳ ପଶି ବିଭିନ୍ନ ମାରଣାସ୍ତ୍ରରେ ଧମକ ଦେବା ସହ ପରିବାରର କେତେଜଣଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଘରୁ ୮ ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଲୁଟ୍ ସମୟରେ ମଧ୍ୟ ହଲଦିଗୁଡ଼ା ଗ୍ରାମର କେତେଜଣ ବିରୋଧ କରିବାକୁ ଆସିଥିଲେ ସୁଦ୍ଧା ଡକାୟତମାନେ ମାରଣାସ୍ତ୍ର ଧରି ସେମାନଙ୍କୁ ଭୟଭୀତ କରିବାରୁ ଗ୍ରାମ ଲୋକେ ପାଖକୁ ଆସି ନ ଥିଲେ। ତେବେ ଗତ ୧୫ ଦିନ ମଧ୍ୟରେ ଡକାୟତ ଦଳ ଦୁଇଟି ବଡ଼ ଧରଣର ସଶସ୍ତ୍ର ଡକାୟତ କରି ପୁଲିସକୁ ଖୋଲା ଚେଲେଞ୍ କରିଥିବା ବେଳେ ବର୍ତମାନ ସୁଦ୍ଧା ପୁଲିସ କୁ କୌଣସି ସଫଳତା ମିଳିପାରି ନାହିଁ। ଏକ ନିର୍ଦ୍ଧିଷ୍ଟ ଡକାୟତ ଦଳ ଏପରି ଆତଙ୍କ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଡାବୁଗାଁ ଥାନା ଅଂଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ସମ୍ବନ୍ଧିତ ଖବର