ଦେବଗଡ଼: ଘରକୁ ଫେରିବା ପାଇଁ ଛକରେ ଛିଡ଼ା ହୋଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ଅତର୍କିତ ଆକ୍ରମଣ କରି ଦୁର୍ବୃତ୍ତମାନେ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ତିଲେଇବଣୀ ବ୍ଲକ ସଦର ମହକୁମାରେ ମଙ୍ଗଳବାର ଅପରାହ୍‌ଣରେ ଏହି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି କୁନା ନାଏକ (୨୭)।

Advertisment

ସୂଚନା ଅନୁସାରେ ତିଲେଇବଣୀରେ ଆଜି (ମଙ୍ଗଳବାର) ସାପ୍ତାହିକ ବଜାର ଥିଲା। ସେହି ବଜାରକୁ ଦେବଗଡ଼ ପୌରାଞ୍ଚଳର ଖପରସାହିର ବ୍ୟବସାୟୀ କୁନା ନାଏକ ତିଲେଇବଣି ବଜାର‌ରର ଦେକାନଗୁଡ଼ିକୁ ରାସନ ସାମଗ୍ରୀ ଦେବା ପାଇଁ ଯାଇଥିଲେ। ବଜାରରେ କାରବାର ସାରି ଅପରାହ୍‌ଣ ପ୍ରାୟ ୩ଟାରେ ସେ ଘରକୁ ଫେରୁଥିଲେ।  ଏଥି ପାଇଁ ତିଲେଇବଣୀ ଛକ ନିକଟରେ ଛିଡ଼ା ହୋଇଥିଲେ। ଏତିକି ବେଳେ ୪ରୁ ୬ ଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତାଙ୍କୁ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ତାଙ୍କ ଠାରୁ ବଳପୂର୍ବକ ୬୦ ହଜାର ଟଙ୍କା ଲୁଟ୍‌ କରି ‌ଫେରାର ହୋଇଯାଇଥିଲେ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ କୁନାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। କୁନା ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ଦେବଗଡ଼ ଥାନା ଅଞ୍ଚଳରେ ବାରମ୍ବାର ଲୁଟ୍‌ ଘଟଣା ଦେଖିବାକୁ ମିଳୁଛି। ଛୁରିଆବାହାଲ ଗ୍ରାମ ନିକଟରେ ଗତ ୨୦ ତାରିଖ ଦିନ ମାରଣାସ୍ତ୍ର ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୧୭ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୁଲିସ ଅଦ୍ୟାବଧି କାହାରିକୁ ଗିରଫ କରିନାହିଁ।