ନାବାଳକର କଳା କାରନାମା : ଶତାଧିକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଠକେଇ

ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳଙ୍କ ନାଁରେ ବି ଖୋଲିଥିଲା ନକଲି ଆକାଉଣ୍ଟ, ପୂର୍ବରୁ ଏମିତି କରି ସ୍ବଧାର ଗୃହକୁ ଯାଇଥିଲା, ହେଲେ ସୁଧୁରି ନ ଥିଲା

ସମ୍ବଲପୁର : ପଦାକୁ ଆସିଛି ଆଉ ଏକ ସାଇବର ଠକେଇ। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନାଙ୍କ ସମେତ ଶହେରୁ ଊର୍ଧ୍ବ ବ୍ୟକ୍ତିଙ୍କ ନାଁରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ୍ କରିଛି ସମ୍ବଲପୁର ପୁଲିସ। ତେବେ କୌଣସି ପେସାଦାର ସାଇବର ଠକ ନୁହେଁ, ଜଣେ ନାବାଳକ ହିଁ ଏପରି କରିଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି। ଗୁରୁବାର ଟାଉନ ଥାନା ପୁଲିସ ସଂପୃକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରିବା ପରେ କିଶୋର ନ୍ୟାୟ ବୋର୍ଡରେ ହାଜର କରାଯାଇଥିଲା। ବୋର୍ଡର ଭାରପ୍ରାପ୍ତ ପ୍ରମୁଖ ମାଜିଷ୍ଟ୍ରେଟ୍‌ ପ୍ରଶାନ୍ତ ପାଢ଼ୀ ଜାମିନ ନାମଞ୍ଜୁର କରିବାରୁ ତା’କୁ ରାଉରକେଲା ସ୍ଥିତ ଶିଶୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ନକଲି ଫେସବୁକ ଆକାଉଣ୍ଟ ଜରିଆରେ ନାବାଳକ ଜଣକ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଏବଂ ମୂଲ୍ୟବାନ ଉପହାର ଆଦାୟ କରୁଥିଲା। ପୂର୍ବରୁ ଗତ ଏପ୍ରିଲ ମାସରେ ନିର୍ବାଚନ ସମୟରେ ବିଜେପି ନେତା ତଥା ବର୍ତ୍ତମାନର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ୨ ଲକ୍ଷ ୯୭ ହଜାର ୫୦୦ ଟଙ୍କା ଠକେଇ ମାମଲାରେ ମଧ୍ୟ ସଂପୃକ୍ତ ନାବାଳକକୁ ସ୍ବଧାର ଗୃହ ପଠାଯାଇଥିଲା। ମାତ୍ର ସେଠି ସୁଧୁରି ନ ଥିଲା ନାବାଳକ। ସେଠାରେ କିଛି ଦିନ ରହିବା ପରେ ସେ ଜାମିନରେ ଆସି ପୁଣି ଏହି କଳା କାରନାମା ଆରମ୍ଭ କରି ଦେଇଥିଲା। ଗତ କିଛି ଦିନ ହେଲା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନାଙ୍କ ନୂଆ ଫେସବୁକ ଆକାଉଣ୍ଟକୁ ନଜରକୁ ଆସିଥିଲା। ସମ୍ବଲପୁରର ଦୁଇ ପୂର୍ବ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏବଂ ସମର୍ଥ ବର୍ମା ସୋସିଆଲ ମିଡିଆରେ ସକ୍ରିୟ ରହୁଥିବାବେଳେ ଶୁଭମ ସ‌େକ୍ସ‌େନା କିନ୍ତୁ ନିଜକୁ ଏଥିରୁ ଦୂରେଇ ରଖିଥିଲେ। ସୋସିଆଲ ମିଡିଆରେ ତାଙ୍କୁ କେହି ଖୋଜି ପାଉନଥିଲେ। ମାତ୍ର ସଂପୃକ୍ତ ନାବାଳକ ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ଏକ ନକଲି ଫେସବୁକ ଆକାଉଣ୍ଟ ଖୋଲିଥିଲା। ଜିଲ୍ଲାପାଳଙ୍କ ଫେସବୁକ୍ ଆକାଉଣ୍ଟ ଦେଖି ଅଳ୍ପ ସମୟ ମଧ୍ୟରେ ବହୁସଂଖ୍ୟକ ବନ୍ଧୁ ହୋଇ ଯାଇଥିଲେ। ଯାହାକି ଅଭିଯୁକ୍ତଙ୍କୁ ସୁହାଇଥିଲା। ଜିଲ୍ଲାପାଳଙ୍କ ଏହି ନକଲି ଆକାଉଣ୍ଟରୁ ନାବାଳକ ଜଣକ ଫ୍ରେଣ୍ଡଲିଷ୍ଟରେ ଥିବା ଜଣେ ବ୍ୟକ୍ତିଙ୍କ ସହିତ ଚାଟିଂ କରୁ କରୁ କହିଥିଲା, ଆଜି ତାଙ୍କ ବନ୍ଧୁଙ୍କ ଜନ୍ମଦିନ ଅଛି, ସେ ଦିଲ୍ଲୀ ଯାଉଛନ୍ତି। ତେଣୁ ତାଙ୍କ ପାଇଁ ଉପହାରରେ ବଲାଙ୍ଗୀରକୁ ଏକ ମୋବାଇଲ ପଠାନ୍ତୁ। ବନ୍ଧୁ ଜଣକ ବସଷ୍ଟାଣ୍ଡ ଆସି ଉପହାର ଗ୍ରହଣ କରି‌ବେ। ଜିଲ୍ଲାପାଳ କହୁଛନ୍ତି ଭାବି ଏହି ବ୍ୟକ୍ତି ଜଣକ ମୋବାଇଲ ମଧ୍ୟ ପଠାଇଥିଲେ। କିନ୍ତୁ କିଏ କାହିଁକି ଉପହାର ନେଲା ଜାଣି ପାରି ନ ଥିଲେ। ଏମିତି ଭାବେ ଜଣକ ପରେ ଜଣକୁ ଠକି ଚାଲିଥିଲା ନାବାଳକ।

ପୁଲିସ ନଜରକୁ ଆସିଲା କେମିତି?

ଗତ ୧୧ ତାରିଖ ଦିନ ପୂର୍ବ ଉପନଗରପାଳ ସିଦ୍ଧାର୍ଥ ସାହା ଟାଉନ ଥାନାରେ ଅଭିଯୋଗ କରିଥିଲେ ଯେ, କେହି ଜଣେ ତାଙ୍କ ଫଟୋ ବ୍ୟବହାର କରି ତାଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲିଛି। ଏ ନେଇ ଅବଗତ ହେବା ପରେ ସମ୍ବଲପୁର ଏସ୍‌ପି ଦାୟିତ୍ବରେ ଥିବା ଡିଆଇଜି ସଂଜୀବ ଆରୋରାଙ୍କ ନିର୍ଦେଶରେ ଗଠିତ ଏକ ଟିମ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜଣା ପଡ଼ିଥିଲା, ସିଦ୍ଧାର୍ଥଙ୍କ ନକଲି ଫେସବୁକ ଆକାଉଣ୍ଟ ଜରିଆରେ ସଂପୃକ୍ତ ନାବାଳକ ଜଣକ ବୁର୍ଲାର କ୍ରିଷ୍ଣା ମାଝିଙ୍କଠାରୁ ଟଙ୍କା ଏବଂ ବୁଢାରଜାର ନିର୍ମଳ ଭୋଇଙ୍କଠାରୁ ମୋବାଇଲ ଠକି ନେଇଛି। ସମ୍ବଲପୁର ଜିଲ୍ଲାପାଳଙ୍କ କୌଣସି ଫେସବୁକରେ ଆକାଉଣ୍ଟ ନ ଥିବା ସେ ଜଣାଇବା ପରେ ଏହି ନକଲି ଆକାଉଣ୍ଟକୁ ଠାବ କରିବା ମଧ୍ୟ ସହଜ ହୋଇଥିଲା।

କେବଳ ରାଜନେତା କିମ୍ବା ଅଧିକାରୀ ନୁହନ୍ତି, ଅପରାଧୀ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ଠକେଇ କରୁଥିବା ତଦନ୍ତରୁ ଜଣାପଡ଼ିଛି। ସମ୍ବଲପୁର ସମେତ ବଲାଙ୍ଗୀରର ଅନେକ ବ୍ୟକ୍ତିଙ୍କ ନାଁରେ ଏଭଳି ନକଲି ଆକାଉଣ୍ଟ ଖୋଲିଥିବା ଡିଆଇଜି କହିଛନ୍ତି। ବର୍ଷେରୁ ଉର୍ଧ୍ବ ସମୟ ହେଲା ସେ ଏଭଳି ଠକେଇ କରି ଆସୁଛି। ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଠକିଛି ସେ ନେଇ ପୁଲିସ ତଦନ୍ତ ଜାରି ରହିଛି। ଏଥିପୂର୍ବରୁ ସେ ରାମଜୀ ମନ୍ଦିରର ମନୋରଞ୍ଜନ ପାଣିଗ୍ରାହୀଙ୍କୁ ପେଟ୍ରୋଲ ପମ୍ପ କରାଇଦେବା ପାଇଁ କହି ଟଙ୍କା ଠକି ନେଇଯାଇଥିଲା। ଏଥିରେ ଅଭିଯୁକ୍ତ ନାବାଳକର ବାପା ମଧ୍ୟ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର