ଚାଷୀଙ୍କ ଘରୁ ଚୋରି : ସିସିଟିଭି ଡିଭିଆର ସହ ନେଇଗଲେ ୧୦ ବସ୍ତା ଧାନ

ଜୟପୁର : ଚାଷୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଘରେ କେହି ନ ଥିବା ଜାଣି ଚୋରି କରି ନେଇ ଗଲେ ୧୦ବସ୍ତା ଧାନ ସହ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଏପରିକି ଲାଗିଥିବା ସିସିଟିଭି ସହ ଡିଭିଆରକୁ ମଧ୍ୟ ନେଇଯାଇଛନ୍ତି ଦୁବୃର୍ତ୍ତ। ଏନେଇ ଆଜି ଜୟପୁର ସଦରଥାନାରେ ଜୟପୁର ବ୍ଲକ ଅନ୍ତା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମଦାଶପୁଟ ଗାଁର ଚାଷୀ କେ.ରତ୍ନା ରେଡ୍ଡୀ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ହୋଲି ପାଇଁ ଗାଁକୁ ଯାଇଥିଲେ ରତ୍ନା ଓ ତାଙ୍କ ପରିବାର। ଏହି ଦୁଇଦିନରେ ସମାଦାଶପୁଟରେ ରହିଥିବା ୧୭ ଏକର ଜମିରେ କରିଥିବା ଧାନ, ଟିଭି, ଗ୍ୟାସ ଷ୍ଟୋଭ, ରନ୍ଧାରନ୍ଧି କରିଥିବା ହାଣ୍ଡି ସହ ମାଛଚାଷ ପାଇଁ ଓଡ଼ିଶା ସରକାର ଦେଇଥିବା ଏକ ମାଛ ଆକୃତିର ପ୍ରତିମୂର୍ତ୍ତିକୁ ଦୁବୃତ୍ତ ନେଇଯାଇଛନ୍ତି। ଏହାସହ ବ୍ୟାଙ୍କ ତଥ୍ୟ ଥିବା ବ୍ୟାଙ୍କ କିଟ୍ ମାଛଧରା ହାଣ୍ଡିକୁ ନେଇଯାଇଥିବା ଜଣାପଡିଛି। ଖାଲି ସେତିକି ନୁହେଁ ରବିବାରଦିନ ସେ ଗାଁକୁ ଯାଇଥିଲେ। ପ୍ରାୟ ଦୁଇଦିନ ଘରେ ରହି ଫେରି ଆସିବାବେଳେ ସେ ଘରର ତାଲା ଭଙ୍ଗାଯାଇଥିବାବେଳେ ଘରର ଜିନିଷପତ୍ର ଫିଙ୍ଗା ହୋଇ ପଡିଥିଲା। ଏହାସହ ଜମିରୁ ଅମଳ ହୋଇଥିବା ୧୦ବସ୍ତା ଧାନକୁ ମଧ୍ୟ ପ୍ରାୟ ୧ କିଲୋମିଟର କେନାଲ ମଧ୍ୟରେ ନେଇ ପଛପଟେ ଥିବା ଖେଳପଡିଆରୁ ଏକ ଅଟୋରେ ନେଇଥିବାର ଟାୟାର ଚିହ୍ନ ରହିଛି। ଏନେଇ ଥାନାରେ ସେ ଅଭିଯୋଗ ଦେଇଥିବାବେଳେ ସଦର ଓଆଇସି ଶିବଶଙ୍କର ସାହୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଏହି ଚାଷୀ ଜଣକ ସମଦାଶପୁଟର ପ୍ରସିଦ୍ଧ ମିଠା ମାଛ ଚାଷ କରୁଥିବା ରାଜ୍ୟ ସରକାର ଓ ମତ୍ସ ବିଭାଗପକ୍ଷରୁ ବହୁ ବାର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ସମ୍ବନ୍ଧିତ ଖବର