ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ୍

କଟକ-ସିଡିଏ : ସିଡିଏ ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସେକ୍ଟର ୬ରେ ଥିବା ଶ୍ରୀରାମ ଜୁଏଲାରିରେ ଆଜି ରାତିରେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଛନ୍ତି। ଦୋକାନରୁ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ଏକ କାର‌୍‌ରେ ଆସିଥିବା ଡକାୟତି ଦଳର ୪ ଜଣଙ୍କ ମଧ୍ୟରୁ ୩ ଜଣ ଖସି ଯାଇଥିବା ବେଳେ ଜଣକୁ ଲୋକେ କାବୁ କରି ନେଇଛନ୍ତି। ତାକୁ ନିସ୍ତୁକ ମାଡ ମାରିବା ପରେ ମର୍କତନଗର ଥାନା ପୁଲିସର ଜିମା ଦେଇଛନ୍ତି।

ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯ଟା ୩୦ରେ ସିଡିଏ ସେକ୍ଟର ୬ରେ ଥିବା ଶ୍ରୀରାମ ଜୁଏଲାରି ବାହାରେ ଏକ କାର‌୍‌(ଓଡି ୦୭ ଏସ୍‌ ୧୮୮୮) ପହଞ୍ଚି ଥିଲା। ଗାଡ଼ିରୁ ଦୁଇ ଜଣ ଦୁର୍ବୃତ୍ତ ବାହାରି ଦୋକାନ ଭିତରକୁ ଯାଇଥିଲେ। ସାଙ୍ଗରେ ଆଣିଥିବା ବନ୍ଧୁକ ଓ ଛୁରୀ ଦେଖାଇ ଦୋକାନ ମାଲିକ ଗଣେଶ ଦାସଙ୍କୁ ଆକ୍ରମଣ କରିଥିଲେ। ଅଳ୍ପ କେଇ ମିନିଟ୍‌ ଭିତରେ ଦୁର୍ବୃତ୍ତମାନେ ଦୋକାନରୁ ଚାରିଟି ବ୍ରେସ୍‌ଲେଟ୍‌, ସୁନା ଚେନ୍‌, କାନ ଫୁଲ ଲୁଟି ନେଇ ଚମ୍ପଟ୍‌ ମାରିଥିଲେ। ଦୋକାନରୁ ଦୁର୍ବୃତ୍ତମାନେ ଯିବା ବେଳେ ସ୍ଥାନୀୟ ଲୋକେ ପାଟି କରିବାରୁ ଡକାୟତି ଦଳ କାରରେ ଦ୍ରୁତ ବେଗରେ ଖସିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଜଣେ ଦୁର୍ବୃତ୍ତ ପଛରେ ରହି ଯିବାରୁ ଗାଡ଼ିରେ ଚଢ଼ି ପାରିନଥିଲା। ସ୍ଥାନୀୟ ଲୋକେ ତାକୁ ଗୋଡ଼ାଇ ଗୋଡାଇ କଳିଙ୍ଗ ଗ୍ୟାସ୍‌ ନିକଟରେ ମାଡ଼ି ବସିଥିଲେ। ତାକୁ ନିସ୍ତୁକ ଛେଚିବା ପରେ ସେ ଗଞ୍ଜାମର ଏସ୍‌ ସୂର୍ଯ୍ୟ ରାଓ(୨୭) ବୋଲି କହିଥିଲା। ଗାଡ଼ିରେ ମୋଟ ଚାରି ଜଣ ଆସିଥିବା ବେଳେ ମୁଖ୍ୟ କାର୍ପଟଦାର ନରସି˚ହପୁରର ବାପି ବୋଲି ଜଣାପଡ଼ିଛି। ଅନ୍ୟମାନେ ଗଞ୍ଜାମ ଜିଲ୍ଲାର ବୋଲି ସୂର୍ଯ୍ୟ କହିଥିଲା। ଘଟଣା ସମ୍ପର୍କରେ ଖବର ପାଇ ମର୍କତନଗର ଥାନା ପୁଲିସ ପହଞ୍ଚି ତାକୁ ଥାନାକୁ ନେଇଯାଇଥିଲା। ଦୁର୍ବୃତ୍ତମାନେ ଯେଉଁ କାର‌୍‌ରେ ଆସିଥିଲେ ଉକ୍ତ କାର‌୍‌ ଗଞ୍ଜାମ ଜିଲ୍ଲାର ସଂଜିତ କୁମାର ପାତ୍ରଙ୍କ ମାଲିକାନାରେ ଥିବା ଜଣାପଡ଼ିଛି। ଗଞ୍ଜାମର ଏକ ଗ୍ୟାଙ୍ଗ ଆଜି କଟକରେ ବଡ଼ ଧରଣାର ଡକାୟତି ଯୋଜନା କରିବାକୁ କାର‌୍‌ରେ ସିଡିଏ ଆସିଥିବା ବେଳେ ବିହାରରୁ ବନ୍ଧୁକ କିଣିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି।

ସମ୍ବନ୍ଧିତ ଖବର