ବନ୍ଧୁକ ଦେଖାଇ ଲୁଟିନେଲେ ୧୩ ଲକ୍ଷ

ଖଣ୍ଡଗିରି: ପୁଣିଥରେ ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ମଙ୍ଗଳବାର ସନ୍ଧ୍ୟାରେ ଚନ୍ଦକା ରାସ୍ତାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୧୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଚନ୍ଦକା ରାସ୍ତାରେ ଥିବା ହୋଟେଲ ଜଙ୍ଗଲ ଭିଉ ନିକଟ ଏକ ବେକେରି କମ୍ପାନିର କର୍ମଚାରୀମାନଙ୍କଠାରୁ ଏହି ବଡ଼ ଧରଣର ଲୁଟ୍‌ ହୋଇଛି। ଖବର ପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିଛି। କିନ୍ତୁ ଏଯାଏଁ ଲୁଟେରାମାନଙ୍କ ପତ୍ତା ମିଳିପାରିନାହିଁ।

ସୂଚନାନୁସାରେ କମ୍ପାନିର ଏଚ୍‌ଆର୍‌ ମ୍ୟାନେଜର୍‌ ଶିବାଶିଷ ମହାନ୍ତି ଓ ଅନ୍ୟ ଜଣେ ସହକାରୀ କର୍ମଚାରୀ କଟକରୁ ଟଙ୍କା ସଂଗ୍ରହ କରି ଏକ ବାଇକ୍‌ ଯୋଗେ କମ୍ପାନି ଅଫିସକୁ ଫେରୁଥିଲେ। କିଛି ଟଙ୍କା ବିଭିନ୍ନ ପାର୍ଟିଙ୍କଠାରୁ ଆଦାୟ ହୋଇଥିଲା ଓ କିଛି କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ବ୍ୟାଙ୍କରୁ ଉଠାଯାଇଥିଲା। ବ୍ୟାଗ୍‌ରେ ମୋଟ୍‌ ୧୩ ଲକ୍ଷ ଟଙ୍କା ଥିଲା। ସେମାନେ ବାରଙ୍ଗ ବଜାର ପାରି ହୋଇ ଚନ୍ଦକା-ପିତାପଲ୍ଲୀ ରାସ୍ତାରେ ଦାରୁଠେଙ୍ଗ ଛକ ପୂର୍ବରୁ ଭୁଆସୁଣୀ ମନ୍ଦିର ଓ ନନ୍ଦନକାନନ ବଟନିକାଲ୍‌ ଗାର୍ଡେନ୍‌ ଫାଟକ ନିକଟ ଏକ ନିଛାଟିଆ ସ୍ଥାନରେ ପହଞ୍ଚିଥିବାବେଳେ ଦୁଇଟି ବାଇକ୍‌ରେ ଥିବା ୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ସେତେବେଳକୁ ସମୟ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ହୋଇଥିଲା। କର୍ମଚାରୀଦ୍ୱୟ ବାଇକ୍‌ ଅଟକାଇବା ମାତ୍ରେ ଦୁର୍ବୃତ୍ତମାନେ ସେମାନଙ୍କ ବାଇକ୍‌ରୁ ଓହ୍ଲାଇପଡ଼ି ଘେରି ଯାଇଥିଲେ। ଦୁଇ ଜଣ ସେମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ଅନ୍ୟମାନଙ୍କ ହାତରେ ବି ଭୁଜାଲି ଭଳି ମାରଣାସ୍ତ୍ର ଥିଲା। ଜଣେ ହଠାତ୍‌ ଦୁଇ ଜଣଙ୍କ ମୁହଁକୁ ମୁଥ ମାରିଥିଲା ଓ ଚୁପ୍‌ଚାପ ଟଙ୍କା ଭର୍ତି ବ୍ୟାଗ୍‌ ସେମାନଙ୍କୁ ବଢ଼ାଇ ଦେବାକୁ ଧମକ ଦେଇଥିଲା। କିନ୍ତୁ କର୍ମଚାରୀଦ୍ୱୟ କିଛି କହିବା ପୂର୍ବରୁ ସେମାନେ ଟଙ୍କା ଭର୍ତି ବ୍ୟାଗ୍‌କୁ ଝାମ୍ପି ନେଇଥିଲେ। ଏହା ପରେ ସେମାନେ ବାଇକ୍‌ ବୁଲାଇ ବାରଙ୍ଗ ଦିଗରେ ପଳାଇଥିଲେ।

କିଛି ସମୟ ପାଇଁ କର୍ମଚାରୀଦ୍ୱୟ ନିର୍ବାକ୍‌ ହୋଇ ଯାଇଥିଲେ ଓ ଅସହାୟ ଅବସ୍ଥାରେ ଠିଆ ହୋଇ ରହିଥିଲେ। ପରେ ସେମାନେ ଫୋନ୍‌ କରି ଚନ୍ଦକା ଥାନାକୁ ଜଣାଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚିବାବେଳକୁ ଦୁର୍ବୃତ୍ତମାନେ କୁଆଡ଼େ ଅନ୍ତର୍ଧାନ ହୋଇ ସାରିଥିଲେ। ଲୁଟେରାମାନେ କଟକ କିମ୍ବା ବାରଙ୍ଗରୁ ସେମାନଙ୍କୁ ପିଛା କରୁଥିବା ସନ୍ଦେହ କରାଯାଉଛି। ପରେ ମ୍ୟାନେଜର ଶ୍ରୀ ମହାନ୍ତି ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ତୁରନ୍ତ ଲୁଟ୍‌ର ଶିକାର ହୋଇଥିବା ମ୍ୟାନେଜର ଶ୍ରୀ ମହାନ୍ତିଙ୍କୁ ଭେଟି ପଚରାଉଚରା କରିଥିଲେ। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଡିସିପି ଶ୍ରୀ ଭୋଇ ଏକ ସ୍ୱତନ୍ତ୍ର ଟିମ୍‌କୁ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି।

ସାମ୍ବାଦିକଙ୍କ ବାଇକ୍‌ ଡିକି ଭାଙ୍ଗି ଲୁଟିନେଲେ ୧ ଲକ୍ଷ ୧୦ ହଜାର
ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଉଥିବାବେଳେ ଆଜି ୟୁନିଟ-୨ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରୁ ଜଣେ ସାମ୍ବାଦିକଙ୍କ ଗାଡ଼ି ଡିକି ଭାଙ୍ଗି ଏକ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତ ମାସକ ମଧ୍ୟରେ କ୍ୟାପିଟାଲ ଥାନା ନିକଟରୁ ବାରମ୍ବାର ଲୁଟ୍‌ପାଟ ପୁଲିସ ଆଖିରୁ ନିଦ ହଜାଇ ଦେଇଛି। ହେଲେ ପୁଲିସ ଏ ପର୍ଯ୍ୟନ୍ତ ଲୁଟେରାମାନଙ୍କ ଟେର୍‌ ପାଉନି।
ସାମ୍ବାଦିକ ସାୟେଦ୍‌ ଆନ୍‌ସାରୀ ଅଲ୍ଲୀଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଖୋର୍ଦ୍ଧାରୁ କଳ୍ପନାରେ ଥିବା ଏକ ଗଣମାଧ୍ୟମ ଅଫିସ୍‌ରେ ଏଜେନ୍‌ସି ଟଙ୍କା ଜମା ଦେବା ପାଇଁ ଆସୁଥିଲେ। ସେ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକେ ନାୟକ ମାଗାଜିନ୍‌ ଷ୍ଟଲ ନିକଟରେ ବାଇକ୍‌ ରଖି ଷ୍ଟଲ୍‌କୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କ ଡିକି ଭାଙ୍ଗି ଟଙ୍କା ନେଇଯାଇଥିଲା। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଉଲ୍ଲେଖଯୋଗ୍ୟ ଯେ ଗତ ମାସ ୧୦ ତାରିଖରେ ଥାନା ନିକଟରେ ଥିବା ଏସ୍‌ବିଆଇ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟର ନିକଟରୁ ଦୁର୍ବୃତ୍ତମାନେ ଏସ୍‌ ସତ୍ୟନାରାୟଣ ନାମକ ଜଣେ ବ୍ୟକ୍ତିଙ୍କ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର