ଘରେ ପଶି ଡକାୟତି: ପରିବାର ଲୋକଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ଲୁଟ୍‌

ନିଶ୍ଚିନ୍ତକୋଇଲି/ନେମାଳ: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ନାହାଳପୁର ଗ୍ରାମରେ ସୋମବାର ରାତି ପ୍ରାୟ ୨ଟାରେ ବଡ଼ ଧରଣର ଡକାୟତି ଘଟିଛି। ପରିବାର ଲୋକଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଭୟଭୀତ କରାଇ ଗୋଟିଏ କୋଠରୀରେ ଅଟକ ରଖି ମୁହଁରେ କଳାପଟି ବାନ୍ଧିଥିବା ୭/୮ ଜଣ ଡକାୟତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ ଦାଉଦପୁର ପଞ୍ଚାୟତର ନାହାଳପୁର ଗ୍ରାମର ଖଗେଶ୍ୱର ପୃଷ୍ଟିଙ୍କ ଗ୍ରୀଲ୍‌ କବାଟ ଭାଙ୍ଗି ଡକାୟତମାନେ ଘରେ ପଶିଥିଲେ। ଏହି ସମୟରେ ଖଗେଶ୍ୱର ଉଠିପଡିବାରୁ ଡକାୟତମାନେ ଭୁଜାଲି, ବନ୍ଧୁକ ଧରି ତାଙ୍କ ପତ୍ନୀ ଓ ବୋହୂଙ୍କୁ ମାଡ ମାରିବା ସହ ତାଙ୍କ ନାତିଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ‘ଗଡରେଜ୍‌ ଚାବି ଓ ଟଙ୍କା ମାଗିବା ସହ ଡକାୟତମାନେ ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ। ପରେ ସେମାନେ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ପକାଇ ଥିଲେ। ଏଥିରେ ଭୟଭୀତ ହୋଇ ପରିବାର ଲୋକେ ଗଡ୍‌ରେଜର ଚାବି ଦେଇ ଦେବାରୁ ସେମାନେ ଗଡରେଜ ଖୋଲି ବାରଟି ସୁନା ମୁଦି, ୩ଟି ସୁନା ହାର, ୨ଟି ମଙ୍ଗଳ ସୂତ୍ର, ଦୁଇ ହଳ ଶଙ୍ଖା, ଦୁଇ ହଳ କାନ ଫୁଲ, ଦୁଇ ହଳ ରୂପା ପାଉଁଜି ସହ ନଗଦ ତିନି ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଗଲାବେଳେ ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ କୋଠରୀରେ ପୂରାଇ ତାଲା ପକାଇ ଦେଇଥିଲେ।

ଆଜି ଭୋର ସମୟରେ ସେମାନଙ୍କର ଜଣେ ପଡ଼ୋଶୀ ଫୁଲ ତୋଳିବାକୁ ଆସିଥିବା ବେଳେ ପରିବାର ଲୋକେ ପାଟି କରି ଡାକିବାରୁ ସେମାନେ ଉଦ୍ଧାର କରିଥିଲେ। ଏ ସଂପର୍କରେ ଖଗେଶ୍ୱର ନେମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ (କେସ୍‌ ନମ୍ବର ୮୯/୧୭) ମାମଲା ରୁଜ କରିଛି। ସାଲେପୁର ଏସଡିପିଓ ପ୍ରଦ୍ୟୁମ୍ନ ଜେନା, ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ପ୍ରଦ୍ୟୁମ୍ନ ବେହେରା, କିଶନନଗର ଥାନା ଆଇଆଇସି ପ୍ରଭାସ କୁମାର ସାହୁ, ସାଲେପୁର ଥାନା ଆଇଆଇସି ପ୍ରଶାନ୍ତ କୁମାର ମାଝି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ ସୁଦ୍ଧା ଡକାୟତଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର