କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଜଗନ୍ନାଥପଡ଼ାରେ ରହୁଥିବା ଉଦ୍ୟୋଗପତି ସୁବାସ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ପରିବାର ଲୋକଙ୍କୁ ବାନ୍ଧି ମାରଣାସ୍ତ୍ର ଦେଖାଇ ମୁଖା​ପିନ୍ଧା ଡକାୟତମାନେ ୬ ଲକ୍ଷରୁ ଅଧିକ ନଗଦ ରାଶି ଓ ବହୁ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ରବିବାର ରାତି ପ୍ରାୟ ୨ଟାରେ ୭-୮ ଜଣ ଡକାୟତ ଶ୍ରୀ ଅଗ୍ରୱାଲଙ୍କ ଘେର ପଶିଥିଲେ। ଘରେ ଶୋଇଥିବା ଚାକରାଣୀ ଓ ପରିବାରର ସମସ୍ତଙ୍କୁ ଗାମୁଛା ଓ ରଶିରେ ବାନ୍ଧିଦେଇ ମରଣାସ୍ତ୍ର ଦେଖାଇ ପାଟିକଲେ ମାରିଦେବେ ବୋଲି ଧମକ ଦେଇଥିଲେ। ଏପରିକି ଘରେ ଥିବା ଛୋଟ ଛୁଆଙ୍କୁ ବି ବାନ୍ଧି ଦେଇଥିଲେ। ୪୫ ମିନିଟ୍ରୁ ଅଧିକ ସମୟ ଧରି ଡକାୟତମାନେ ଘରେ ଥିବା ସମସ୍ତ ଆଲମିରା ଖୋଲି ଟଙ୍କା ଓ ସୁନା ଗହଣା ନେଇ ଯାଇଥିବା ଗୃହକର୍ତ୍ତା ଅଭିଯୋଗ କରିଛନ୍ତି। ମୁଖା ପିନ୍ଧିଥିବା ଏହି ଡକାୟତମାନେ ଗଲା ବେଳେ ସମସ୍ତଙ୍କ ମୋବାଇଲ ଫୋନ୍, ସିସିଟିଭିର ହାର୍ଡଡିସ୍କ ନେଇ ଯାଇଥିଲେ। ପରେ ଚାକରାଣୀ ପ୍ରଥମେ ନିଜର ରଶି ଖୋଲି ଅନ୍ୟମାନଙ୍କୁ ମୁକ୍ତ କରିଥିଲେ। ଗୋଟିଏ ମୋବାଇଲ୍ ନପାଇ ଛାଡ଼ି ଯାଇଥିବାରୁ ସେଥିରୁ ଘର ଲୋକେ ସମ୍ପର୍କୀୟଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଏ ପର୍ଯ୍ୟନ୍ତ ପୁଲିସ୍ ଡକାୟତଙ୍କ କୌଣସି ଟେର୍ ପାଇନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/loot.jpg)