ଖୋର୍ଦ୍ଧା : କବାଟ ଭାଙ୍ଗି ଘରେ ପଶିଲେ, ଶାବଳ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଖୋର୍ଦ୍ଧା : ଆଜି ଭୋରରେ ବାଘମାରୀ ଥାନା ଅଧୀନ ଦିନିଆରିରେ ଏକ ବଡ଼ଧରଣର ଡକାୟତି ହୋଇଛି । କବାଟ ଭାଙ୍ଗି ଘରେ ପଶିବା ପରେ ଶାବଳ ଆଦି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଲୁଟିନେଇଛନ୍ତି । ଘଟଣାସ୍ଥଳରେ ପୁଲିସ ଓ ଫରେନ୍ସିକ୍ ଟିମ୍ ଯାଂଚ କରି ଫେରିଥିବା ବେଳେ ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଆଖପାଖ ଅଂଚଳରେ ତନାଘନା ଆରମ୍ଭ କରିଛନ୍ତି ।

ସୂଚନାନୁସାରେ, ଦିନିଆରିର ଯଦୁନାଥ ମହାରଣାଙ୍କ ପୁଅ ତ୍ରିନାଥ ମହରାଣାଙ୍କ ବାହାଘର ଫେବ୍ରୁଆରୀରେ ହୋଇଥିଲା । ବିବାହ ବେଳେ ନବବଧୂଙ୍କୁ ମଳିଥିବା ସୁନା ଅଳଙ୍କାର ଆଦି ଘରେ ରହିଥିଲା । ଆଜି ଭୋର ପ୍ରାୟ ୩ଟା ବେଳେ ୬ଜଣ ଦୁର୍ବୃର୍ତ୍ତ ବାହାର କବାଟ ତାଡ଼ି ଘର ଭିତରେ ପଶିଥିଲେ । ଶବ୍ଦ ହେବା ଶୁଣି ଘର ଲୋକ ସବୁ ଉଠିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ନବବଧୂ ପିନ୍ଧିଥିବା ମଙ୍ଗଳସୂତ୍ର ଓ ସୁନାଚେନ୍ ସହ ଆଲମିରାରେ ଥିବା ୯ଟି ସୁନାମୁଦି ଓ ନଗଦ ଟଙ୍କା ନେଇ ଚାଲିଯାଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଯଦୁନାଥ ଆହତ ହୋଇଥିବା ବେଳେ ତାଙ୍କୁ ପୁଲିସ ନେଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ କରିଛି ।

ଏନେଇ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା କ୍ଷଣି ସେ ନିଜେ, ଦୁଇଜଣ ଅତିରିକ୍ତଏସ୍ପି, ଏସ୍‌ଡିପିଓ ସୁଶୀଲ ମିଶ୍ର, ଇନ୍ସପେକ୍ଟର ଅର୍ଚ୍ଚନା ମଲ୍ଲିକ ଓ ଅନ୍ୟ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ । ଘର ଲୋକ ବୋମା ମାଡ଼ କରି ଲୁଟିଥିବା ଅଭିଯୋଗ କରିଛନ୍ତି, ତେବେ ଫରେନ୍ସିକ୍ ଟିମ୍‌ର ଯାଂଚରେ ବୋମା ମାଡ଼ ହୋଇଥିବାର କୌଣସି ସୁରାକ ମିଳିପାରିନାହିଁ । ଅପରପକ୍ଷରେ ଘଟଣାର ତଦନ୍ତ ନିମନ୍ତେ ଏସ୍‌ଡିପିଓ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ବାଘମାରୀ ଥାନା ଅଧିକାରୀ ପ୍ରଣୀତା ପଟ୍ଟନାୟକ ଛୁଟିରେ ଥିବାରୁ ତଦନ୍ତ ଭାର ଅର୍ଚ୍ଚନା ମଲ୍ଲିକଙ୍କୁ ପ୍ରଦାନ କରାଯାଇଛି । ଏନେଇ ଆଇପିସି ଦଫା ୩୯୫, ୪୫୮, ବିସ୍ପୋରକ ଆଇନ ୯(ଖ)ରେ ୪୩/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି । ଖୁବ୍‌ଶୀଘ୍ର ଅପରାଧିଙ୍କୁ ଧରାଯିବ ବୋଲି ଏସ୍ପି ଶ୍ରୀ ସ୍ୱାଇଁ କହିଛନ୍ତି ।

ଏନେଇ ତଦନ୍ତ ଟିମ୍‌ର ନେତୃତ୍ୱ ନେଉଥିବା ସୁଶୀଲ ମିଶ୍ର କହିଛନ୍ତି ଯେ ଘଟଣାସ୍ଥଳ ସେତେ ଜନଗହଳି ନୁହେଁ। ଯେଉଁସ୍ଥାନରେ ଡକାୟତି ହୋଇଛି ସେଠାରୁ ବାଙ୍କୀ ଓ ବୈଦ୍ୟେଶ୍ୱର ୩-୪ କିଲୋମିଟର ଦୂରରେ ରହିଛି । ବିଗତ ଅପରାଧିକ ବିବରଣୀରୁ ଦିନିଆରିର ୫-୬ କିଲୋମିଟର ଇଲାକା ଡକାୟତି, ଲୁଟ ପ୍ରବଣ। ଏଣୁ ବାଙ୍କୀ ଓ ବୈଦ୍ୟେଶ୍ୱରରେ ଛାନଭିନ କରାଯାଉଛି ।

ସୂଚନାଯୋଗ୍ୟ, ବିଗତ ୨ ବର୍ଷ ମଧ୍ୟରେ ବାଘମାରୀ ଇଲାକା ଅପରାଧୀଙ୍କ ଚାରଣଭୂମୀରେ ପରିଣତ ହୋଇଥିଲା । ଏହି ଇଲାକାରେ ନିୟମିତ ଲୁଟ, ଡକାୟିତି, ଛିନତାଇ, ଗୋରୁ ଚାଲାଣ ଆଦି ଘଟଣା ଘଟିଛି । ତେବେ ୨୦୧୯ରେ ବାଘମାରୀ ଫାଣ୍ଡୀକୁ ସ୍ୱତନ୍ତ୍ର ଥାନାର ପାହ୍ୟାକୁ ଉନ୍ନୀତ ହେବା ପରେ ସେଠାରେ ଅପରାଧ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ତେବେ ୨୦୧୯, ଜୁନ୍ ମାସରେ ବାଘମାରୀ-ସିମୋର ରାସ୍ତାରେ ଜଣେ ମହିଳା ଅଧ୍ୟାପିକାଙ୍କ ଠାରୁ ଲୁଟ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିଲେ । ୨୦୧୯ ନଭେମ୍ବର ୧୪ ତାରିଖ ରାତିରେ ବାଘମାରୀ ଥାନା ଅଧୀନ ଅଟ୍ରି ଗାଁରେ ୧୪ଜଣଙ୍କ ଘରୁ ସିରିଜ୍ ଚୋରି ହୋଇଥିଲା । ୨୦୧୮ ଅକ୍ଟୋବର ମାସରେ ବାଘମାରୀ ବଜାର ନିକଟରେ ଏସ୍‌ବିଆଇ ଏକ ଏଟିମ୍‌ ଭାଙ୍ଗି ଲୁଟ ହୋଇଥିଲା । ୨୦୧୮ ନଭେମ୍ବର ମାସରେ ଗେଡିଆପଲ୍ଲୀ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୬୦ଳକ୍ଷ ଟଙ୍କା ଲୁଟ ଘଟଣାରେ ବାଙ୍ଗୀ ନିକଟସ୍ଥ ପୁଇଁଚ ଗାଁରୁ ପୁଲିସ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୩୦ଲକ୍ଷ ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର