ଗୁଳି ଫୁଟାଇ ପେଟ୍ରୋଲ ପମ୍ପ ସେଲସମ୍ୟାନ ଠାରୁ ଲୁଟ୍

କୋଷାଗୁମୁଡା/ନବରଙ୍ଗପୁର: ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ପେଟ୍ରୋଲ ପମ୍ପ ସେଲସମ୍ୟାନ ଠାରୁ ଲୁଟ୍ କରିଛନ୍ତି  ଦୁର୍ବୃତ୍ତ । ମାଲିକ ଅଟକାଇବା ପାଇଁ ଉଦ୍ୟମ କରିବାରୁ ମାଲିକ ପାଖରେ ପୁଣି ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ୨ ଜଣ ଦୁର୍ବୃତ୍ତ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଗାଁ ଥାନା ଅଞ୍ଚଳରେ। କୋଡିଗାଁ-ପାପଡାହାଣ୍ଡି ଯିବା ରାସ୍ତାରେ କୋଡିଗାଁ ଠାରୁ ମାତ୍ର ୨ କିମି ଦୁରରେ ନୂତନ ଭାବେ ଗତ ୨ ମାସ ପୂର୍ବେ ଖୋଲିଥିବା ମଲ୍ଲିକ ଫୁଏଲ ପେଟ୍ରୋଲ ପମ୍ପକୁ ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ୨ ଜଣ ଯୁବକ ଏକ ହଙ୍କ ମୋଟର ସାଇକେଲ ରେ ପେଟ୍ରୋଲ ପକାଇବା ବାହାନାରେ ପେଟ୍ରୋଲ ପମ୍ପକୁ ଆସିଥିଲେ ।  ସେଲସମ୍ୟାନକୁ ୧ଶହ ଟଙ୍କାର ପେଟ୍ରୋଲ ପକାଇବା ପାଇଁ ଗାଡି ଚାଳକ କହିଥିଲା। ସେଲସମ୍ୟାନ ପେଟ୍ରୋଲ ପକାଇବା ପାଇଁ ଉଦ୍ୟମ କରିବା ବେଳେ ଗାଡି ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଟଙ୍କା ମୁଣିକୁ ଛଡାଇନେଇଥିଲେ। ସେଲସମ୍ୟାନ ପାଟିକରିବାରୁ ପମ୍ପର ମାଲିକ ବିଦ୍ୟାଧର ମଲ୍ଲିକ ଘଟଣା ସ୍ଥଳକୁ ଦୌଡି ଆସିଥିଲେ।

ମାଲିକ ଉକ୍ତ ୨ ଜଣ ଯୁବକକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ପଛରେ ବସିଥିବା ଯୁବକ ଜଣକ ପୁଣି ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିବାରୁ ପମ୍ପ ମାଲିକ ଶ୍ରୀ ମଲ୍ଲିକ ପଛଘୁଞ୍ଚା ଦେଇଥିଲେ। ଏହାର ସୁଯୋଗ ନେଇ ଉକ୍ତ ୨ ଜଣ ଲୁଟେରା ଘଟଣା ସ୍ଥଳରୁ ପାପଡାହାଣ୍ଡି ଅଭିମୁଖେ ଖସିପଳାଇବା ପାଇଁ ସଫଳ ହୋଇଥିଲେ। ଖବର ପାଇ କୋଡିଗାଁ ପୁଲିସ ସମସ୍ତ ରାସ୍ତାକୁ ସିଲ୍ କରି ତଦନ୍ତ ଜାରି ରଖିଛି। ତେବେ ଖବର ଲେଖା ପର୍ଯ୍ୟନ୍ତ ଥାନାରେ ଏତଲା ଦିଆଯାଇନଥିଲା।  ପ୍ରାୟ ୧ ଲକ୍ଷେ ରୁ ଅଧିକ ଟଙ୍କା ହେବ ବୋଲି ମାଲିକ ଅନୁମାନ କରିଛନ୍ତି। ତେବେ ହିସାବ କରିବା ପରେ ହିଁ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିବ। ପେଟ୍ରୋଲ ପମ୍ପରେ ସିସି କ୍ୟାମେରା ସଂଯୋଗ ହୋଇନଥିବାରୁ ପୁଲିସକୁ ଅଧିକ ଚିନ୍ତାରେ ପକାଇଛି। ଏପରି ଭାବେ ବନ୍ଧୁକ ରୁ ଫାଙ୍କା ଗୁଳିଚାଳନା କରି ଟଙ୍କା ଲୁଟ୍ ଜିଲ୍ଲା ରେ ପ୍ରଥମ ଘଟଣା ହୋଇଥିବାରୁ ପୁଲିସ ପାଇଁ ମୁଣ୍ଡ ବଥା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର