ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଗତକାଲି ଘଟିଥିବା ଲୁଟ୍‌ ଘଟଣାର ୨୪ଘଣ୍ଟା ପରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସାଗରୋଜରେ ଏକ ଗ୍ରାହକ ସେବାକେନ୍ଦ୍ରରୁ ୪ଜଣ ଲୁଟେରା ବନ୍ଧୁକ ମୁନରେ ୩୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ପୁଲିସ ଆଜି ୪ ଲୁଟେରା ମଧ୍ୟରୁ ଜଣକୁ ଧରିବାରେ ସଫଳ ହେବା ସହିତ ଲୁଟ୍‌ରେ ବ୍ୟବହୃତ ୨ଟି ଅପାଚି ଗାଡ଼ି ଓ ବନ୍ଧୁକ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ସାଗରୋଜ ପଞ୍ଚାୟତର ମଝାପଡ଼ାରେ ଥିବା ଜନ ସେବାକେନ୍ଦ୍ରର ପରିଚାଳିକା ସରିତା କୁଜୁର ପ୍ରତିଦିନ ପରି ଆଜି ମଧ୍ୟ ସେବାକେନ୍ଦ୍ରକୁ ଆସିଥିଲେ। ମଧ୍ୟାହ୍ନ ୧୨ଟାବେଳେ ରଘୁନାଥ ସୁନାନୀ ଟଙ୍କା ରଖିବା ପାଇଁ ଉକ୍ତ ସେବାକେନ୍ଦ୍ରକୁ ଆସିଥିଲେ। ସେହି ସମୟରେ ୨ଟି ନମ୍ବରବିହୀନ ଆପାଚି ମୋଟରସାଇକଲ (ଗୋଟିଏ ଧଳା ଏବଂ ଅନ୍ୟଟି ନାଲି ରଂଗର)ରେ ୪ ଜଣ ଦୁର୍ବୃତ୍ତ କେନ୍ଦ୍ର ସାମ୍‌ନାରେ ପହଞ୍ଚିଥିଲେ। ସେଥମଧ୍ୟରୁ ୨ଜଣ ବନ୍ଧୁକ ଧରି ଭିତରେ ‌ପଶିଥିଲେ। ସେବାକେନ୍ଦ୍ରରେ ଥିବା ୨ ଜଣ ଗ୍ରହକ ଏବଂ କେନ୍ଦ୍ରର ପରିଚାଳକଙ୍କୁ ବନ୍ଧୁକ ଦେଖାଇ ପ୍ରାୟ ୩୦ ହଜାର ଟଙ୍କା ଲୁଟିନେଇ ମୋଟର୍‌ସାଇକଲ୍‌ରେ ଜଙ୍ଗଲ ଦେଇ ପଳାଇଥିଲେ।

Advertisment

କାଂସବାହାଲ ଫାଣ୍ଡି ଅଧିକାରୀ ଖବର ପାଇ ଲୁଟେରାଙ୍କ ପିଛା କରିଥିଲେ। ରାଜଗାଙ୍ଗପୁର ପୁଲିସ ବିପରୀତ ଦିଗରୁ ଛକି ରହିଥିଲା। ଲଖୁଆ ଘାଟି ନିକଟରେ ୪ ଲୁଟେରା ଏବଂ ପୁଲିସ ମୁହାଁମୁହିଁ ହୋଇଥିଲେ। ପୁଲିସକୁ ଦେଖି ୩ ଜଣ ଲୁଟେରା ଗାଡ଼ି ଛାଡ଼ି ଜଙ୍ଗଲକୁ ପଳାଇ ଯିବାରେ ସଫଳ ହୋଇଥିଲେ। ଅନ୍ୟଜଣକୁ ପୁଲିସ କାବୁ କରି ନେଇଥିଲା। ତା’ ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଥିଲା। ଏହି ଘଟଣାରେ ଲୁଟେରାମାନେ ବ୍ୟବହାର କରିଥିବା ମୋଟରସାଇକଲ ଗୁଡ଼ିକ ଚୋରିଗାଡ଼ି ଓ ପୁଲିସ ଅଟକ ରଖିଥିବା ଲୁଟେରା ଜଣକ ମଧ୍ୟ ପେସାଦାର ଅପରାଧୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଲୁଟ ଘଟଣା ଓ କୁତ୍ରାରେ ଘଟିଥିବା ଲୁଟ୍‌ରେ ସମାନ ଲୋକଙ୍କ ସଂପୃକ୍ତି ରହିଛି ବୋଲି ପୁଲିସ ଅନୁମାନ କରୁଛି।